ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସିତାଂଶୁ ଜେନା ଙ୍କ କବିତା//ପ୍ରଭାମୟୀ ରାତ୍ରୀ

ପ୍ରଭାମୟୀ ରାତ୍ରୀ

ପ୍ରଭାମୟୀ ଏହି ରାତ୍ରୀ କହୁଛି
ରିକ୍ତ ଭାବନା ତେଜି
ତାମସା ରେ ଲିପ୍ତ ଲାବଣ୍ୟ ବଦନ
ଲୋତକ ଯାଇଛି ଭିଜି।
ଭିଜା ପଣତରୁ ଅତରର ବାସ୍ନା
ମହ ମହ ବାସୁଥାଏ
ଵୋକଦେଉଥାଏ ସରାଗରେ ଆସି
ସୁଖକୁ ଆଦରି ନିଏ।
ନିରବ ନିଟୋଳ ନୀଳ ଆକାଶରୁ
ନିରୀମାଖି ଜହ୍ନ ହସେ
ଆତ୍ମହରା ହୋଇ କୁମୁଦ କିଶୋରୀ
ମୃଦୁ ମାଦକତା ଭାଷେ।
ଭାବ ଗମ୍ଭୀରାରୁ ଗନ୍ଧ ଗୁର୍ଜରିଣୀ
ଗାଉଥାଏ କେଉଁ ଗୀତ
ଗୁପତେ ରଖିଛି ପ୍ରିତି ଫରୁଆକୁ
ବାଛିବା ପାଇଁକି ମିତ।
ମିନତୀ କରିକି ଲେଖୁଛି ପତର
ଆସ ମୋ କାଇଁଚ ମାଳି
କୁଂକୁମ ଲେସିଛି କପାଳ ରେ କିଏ
ଦେବନାହିଁ କେବେ ଗାଳି।
ପ୍ରଲିପ୍ତ ପଙ୍କଜ ନାହିଁ ପାପ ଭାଗ
ପ୍ରଭାମୟୀ ଏଇ ରାତ୍ରୀ
ରଙ୍ଗ ରୋଷଣୀର ଓଢଣା ଫାଙ୍କରେ
ଯାଇଅଛି ଦିନ ବିତି।
ବିଦୀର୍ଣ୍ଣ ଶେଯରେ ସୁକୁମାରୀ ତନୁ
ତରାଜୁରେ ପାପ ଭାର
ଭାଗ ବଣ୍ଟନର ବିଚାର ରଜ୍ଜୁରେ
କାହିଁ ଏତେ ଆଖି ଠାର।
ଠୁମୁକୁ ଠୁମୁକୁ ଚାଲିରେ ଯାହାର
ଫୁଟିଛି ପଦୁଅଁ ଫୁଲ
ରାତ୍ରୀ ଅଭିସାର ଅରାଜକତାରେ
କାହିଁ ଏମିତିକି କଲ।
କଙ୍କଣ କହୁଛି କୁଟିଳ ହସରେ
କୁହାଟ କେ ମାରୁଥିଲା
ବୀଣା ଜିଣା ଜିଣି ଝଞ୍ଜିରା ପକାଇ
କିଏ ଅବା ଟାଣି ନେଲା।
ଟିପି ଟିପି ଏହି ଚନ୍ଦନ ଟୋପିରେ
ହସୁଛି କାହାର ମୁହଁ
ପାଟି ରେଖ ଆଙ୍କି କି ସୁନ୍ଦର ଦିଶେ
ଥର ଟିଏ ଚାହିଁ ଦିଅ।
ବେଦନାର ଅନ୍ତଃ ଅବୁଝା ଏ ରାତ୍ରୀ
ଢାଳୁଛି ରଜତ ରଶ୍ମି
ଟାଣିଦେଇଅଛି ସରମୁନେ ଅବା
ଯାଉଛି ଏ ଦେହ ଝୁମି।
ଝରି ପଡୁଅଛି ସତେକି ସୁଧାଶ୍ରୁ
ସରୋଜିନୀ ନଦୀ ତଟୁ
ତିତୀକ୍ଷାର ଲଗ୍ନ ଗଡିଯାଇଅଛି
କାହିଁ ବେତ୍ରା ଘାତେ ପିଟୁ।
ଜଡାଇ ଧରନାଁ ନଶ୍ୱର ଶରୀର
ବିତିଯାଉ ସୁଖ ରାତ୍ରୀ
ରାବଣ ସାଜିଛି ରକ୍ତ ଦାନବ
ଭିଡିନେବ କିବା ଛାତି।
ଛପିଯାଅ ଆଉ ସମ୍ଭାଳି ହେଉନି
ଶୁଭୁଛି କାହାର ରଡି
ଭିଡି ନେଇଯିବ ନିର୍ଲଜ ଦାନବ
ଆସୁଅଛି ଏବେ ମାଡି।
ମଡ଼ମଡ଼ ଶୁଭେ ମଶାଣିରେ କିଗୋ
ଭାଙ୍ଗୁଛି କୁଆଁରୀ ହାଡ଼
ହଇଜା ଲାଗିଲା କାହାର ଦ୍ୱାରରେ
ପିଢ଼ା ପାଣି ପଣା ବାଢ଼।
ରେବୀ ଶୋଇଅଛି ନିଘୋଡ଼ ନିଦରେ
ଦହି ମୁଆଁ ରାନ୍ଧିବାକୁ
ନିଆଁ ଜଳୁଅଛି ସ୍ମଶାନ ବୁକୁରେ
କିଏ ନେଲା ମୋ ବାସୁକୁ।
ବାର ବରସର ତପସ୍ୟାର ଅନ୍ତ
ଏବେକି ସରିଲା କୁହ
ତନ୍ମୟିନୀ ରାତ୍ରୀ ବିଭୀଷିକା ସାଜି
ଅନ୍ତରୁ କାଢୁଛି କୋହ।
ସ୍ୱପ୍ନ ସବୁ ଫୁଟୁ ଫୁଲ ହୋଇ ବୁକୁ
ବରସୁ ନିଗୋଢ ନିଦ୍ରା
ନିରଞ୍ଜନା କୂଳେ ନିବାରଣ ହେଉ
ନଯାଉ ଏ କୁଶଭଦ୍ରା।
ବାରଣ ଶିରରେ ନ ରଖ ହେ ପଦ
ବିତିଯାଉ ରାତ୍ରୀ ରାଗ
ବିଶ୍ରାମ ର ଏହି ମନ୍ମୟ ମୁହୂର୍ତ୍ତ
ମୋର ପାଇଁ କେଉଁ ଭାଗ।
ଭାଗ ଫଳ ହେଉ ଶେଷ ସପନର
ଶ୍ରୀବସ୍ଛକାଞ୍ଚନ ସ୍ମର
ବଇଁଶୀ ର ସୁର ଅଙ୍ଗେ ଭରିଦେଉ
କାମନାର ହସ୍ତାକ୍ଷର।।

   ସିତାଂଶୁ ଜେନା

Related posts

ଶୁଭ୍ରାଂଶୁ ଶେଖର ପାଢ଼ୀ ଙ୍କ କବିତା = ଜହ୍ନ ଓ ତାରା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଲଜ୍ଜା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

Leave a Comment

error: Content is protected !!