ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜଗମୋହନ ପଟ୍ଟନାୟକ ଙ୍କ କବିତା = ପୁରୁଣା ସ୍ମୃତି,ମୋ ଅନୁଭୂତି

ପୁରୁଣା ସ୍ମୃତି,ମୋ ଅନୁଭୂତି

ଜଗମୋହନ ପଟ୍ଟନାୟକ

ପୁଣି ଫେରନ୍ତା କି ସେ ପୁରୁଣା ଦିନ
ପୁଣି ଆଜି ଚାଟଶାଳୀରେ ମନ
ଦଶ ପଇସାରେ ଅଡାଏ ମୁଢ଼ି
ପାଞ୍ଚ ପଇସାରେ ଗୋଟେ କାକୁଡି
ବିଦ୍ୟାଳୟେ ଆମେ କରିଛୁ ମଜା
କେତେ ମକା ସିଝା ନଡ଼ିଆ ଖଜା
ଗହମ ଉପମା ଖାଇଛ କେବେ
ମନରେ ଉତ୍କଣ୍ଠା ଖାଇବି ଏବେ
ମକାଗୁଣ୍ଡ ଖିରି ଆହା କି ମିଠା
ଏବେ ସେଗୁଡ଼ାକ ଲାଗୁଛି ସିଠା
ଗୁରୁଜନଙ୍କର ସ୍ନେହ ଆଶିଷ
ଶିକ୍ଷାଦାନ ପୁଣି ଭାରି ସରସ
ପଢ଼ାରେ ଯେ ଠକେ ମାଡ଼ ଖାଇଛି
କନିଅର ଛାଟ ଛିଣ୍ଡି ଯାଇଛି
ଯୁକ୍ତାକ୍ଷର ପଣିକିଆ ମିଶାଣ
ଲସାଗୁ ଗସାଗୁ ପୁଣି ଗୁଣନ
ମଧୁ ବର୍ଣ୍ଣବୋଧ ପୁରୁଣା ହେଲା
ସାହିତ୍ୟ ପାଠର ଅସ୍ତିତ୍ୱ ଗଲା
ଡିବିରି ଲଗାଇ ପାଠ ପଢିଛୁ
କ୍ଷେତ ଖଳା ଯାଇ କାମ କରିଛୁ
ପଖାଳ ଭାତକୁ ନାଲି ପିଆଜ
କେବେ ଆଳୁ ସିଝା ସାଥିରେ ସଜ
ତଥାପି ନଥିଲା ମନରେ ଦୁଃଖ
ଝଡ଼ ଝଞ୍ଜା ଭୁଲି ପାଇଛୁ ସୁଖ
ମାଁ ଯାହା ଦେଲା ପାଇ ହରସେ
ଅଝଟ ହୋଇନୁ କେବେ ତା ପାସେ
ବାଟି ନଟୁ ପୁଚି କବାଡି ଖେଳ
ବହୁରୂପୀ ଝୋଟି ସବୁରେ ମୂଳ
ଫୁଟବଲ କ୍ରିକେଟ ଉନ୍ନତ ଥିଲା
ଖେଳାଳିଙ୍କ ଠାରେ ଶୃଙ୍ଖଳା ଥିଲା
ନୃତ୍ୟ ନାଟକ ଗାଁ ଆଖଡା ଥିଲା
ସବୁ ଆଜି ଅବସାନ ହୋଇଲା
ସବୁ ଜାତି ଧର୍ମେ ଥିଲା ପୀରତି
ସାମ୍ପ୍ରଦାୟିକତା ଏବେ ଥରାଏ ଛାତି
ପୁରୁବ ଗୌରବ ପୁରୁଣା ଦିନ
ଯେତେ ଲେଖୁଥିଲେ ବୁଝେନି ମନ
ହେ ଗୁଣିଜନ କିମ୍ପା ହୁଅ ଅଜ୍ଞାନ
ଇତିହାସ ଦେଖ ମିଳିବ ଜ୍ଞାନ ।

ଜଗମୋହନ ପଟ୍ଟନାୟକ

ବରିଷ୍ଠ ପତ୍ରକାର, ସମାଜସେବୀ

Related posts

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

© ମଧୁମିତା ମିଶ୍ର ଙ୍କ କବିତା — ଫିନିକ୍ସ

masiha

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଦାୟ ବାଇଶି

Sunil Chandra Nayak

Leave a Comment

error: Content is protected !!