ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

ରୁପ୍ରା, ୧୨/୧ (ମନିସ ): ନର୍ଲା ପଞ୍ଚାୟତ ସମିତି ପରିସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବୁଧବାର ଦିନ ଉଦଘାଟିତ ହୋଇଥିବା ବେଳେ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ବୁଧବାର ପୂର୍ବାହ୍ନରେ ନର୍ଲା ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ମଶାଲ ଶୋଭାଯାତ୍ରା । ମଶାଲ୍ ଯାତ୍ରା କଳାପାର୍ ମଞ୍ଚ ଠାରେ ପହଞ୍ଚିଥିବା ପରେ ମଞ୍ଚ ସମ୍ମୁଖରେ ସ୍ଥାପନ ହୋଇ ଆନୁଷ୍ଠାନିକ ଭାବେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ହୋଇଥିଲା। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସରୋଜ କାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ନର୍ଲା ବିଡିଓ ତଥା କଳାହାଣ୍ଡି ଉତ୍ସବ ଘୁମୁରା କମିଟିର ସମ୍ପାଦିକା ବାସନ୍ତୀ ସେଠୀ, ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ତହସିଲଦାର ଶଙ୍କର ବାଗ, ବିଇଓ ତପିମଣି ଯାନୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ/ ସଦସ୍ୟା ନମ୍ରତା ସାହୁ, ଲିଲୀ ଦୀପ ଓ ହରିଶଙ୍କର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ କଳାହାଣ୍ଡି ତଥା ନର୍ଲା ମାଟିର ସାଂସ୍କୃତିକ ବିଭବ ଉପରେ ମତବ୍ୟକ୍ତ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ବ୍ଲକ୍ ଅଧିନ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଆସିଥିବା କଳାକାର ମାନେ ଲୁକ୍କାୟିତ ପ୍ରତିଭାର ପରିଚୟ ସୃଷ୍ଟି କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି କଳାହାଣ୍ଡି ଉତ୍ସବ ଘୁମୁରା ପାଳନ ବାବଦରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣାର ପରମେଶ୍ୱର ମୁଣ୍ଡ ଯୋଗଦେଇ ଏହି ଉତ୍ସବର ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥିଭାବେ ନର୍ଲା ବିଡିଓ ବାସନ୍ତୀ ସେଠୀ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ।

ଉଦଯାପନୀ ସନ୍ଧ୍ୟାରେ କୁନିକୁନି ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚଗୀତ ମାଧ୍ୟମରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ମଞ୍ଚରେ ସ୍ବରଚିତ କବିତା ପାଠ ସହ ଲୁକ୍କାୟିତ ଖଞ୍ଜଣୀ, ସଞ୍ଚାର, ଢୋଲ ମହୁରୀ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରମାନେ କଳାହାଣ୍ଡି ବିରବାଦ୍ୟ ‘ଘୁମୁରା’ ବହୁତ ସୁନ୍ଦର ଭାବେ ପରିବେଷଣ କରିଥିଲେ । ଉକ୍ତ ମଞ୍ଚରେ ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ଲିଖିତ ନାଟକ ‘ସେରଁରା’ ମଞ୍ଚସ୍ଥ ହୋଇଥିଲା, ବୁଢିପଦର ସ୍ଥିତ ଦେବଗୁରୁ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ଉକ୍ତ ନାଟକ ପରିବେଷଣ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ଗୋବିନ୍ଦ ତାଣ୍ଡି, ସର୍ବେଶ୍ବର ଭୋଇ, ସନ୍ତୋଷ କର ଓ ଜଗ୍ୟଁସେନ ପଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ନର୍ଲା ଓଜେୟୁ ଓ ଓୟୁଜେ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ୍ ଅଧିନ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ ଅବସରରେ ବ୍ଲକ୍ ପରିସରରେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ସହଭାଗୀ ବିକାଶ ଅଭିଯାନ ବାଲିପଡା ତରଫରୁ ବିଭିନ୍ନ ଷ୍ଟଲ୍ ବସାଯାଇଥିଲା । ବିଶେଷ କରି ଏସ୍. ଭି. ଏ ତରଫରୁ ଗୁର୍ଜି, ମାଣ୍ଡିଆ, କୋଦୋ ରୁ ପ୍ରସ୍ତୁତ କରିଥିବା କ୍ଷୀରି, ଚା ଓ ଲଡୁ ସମେତ ଅନେକ ବ୍ୟଞ୍ଜନ ସମସ୍ତ ଦର୍ଶକ ମାନଙ୍କୁ ମାଗଣାରେ ବଣ୍ଟନ ବ୍ୟବସ୍ଥା କରିଥିଲେ। ନର୍ଲା ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଥିଲା। ଶେଷରେ ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବନ୍ୟଜନ୍ତୁ ଓ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!