ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରବନ୍ଧ

 

             ଆମ ଭାଷା ଆମ ଅସ୍ମିତା

ଭାଷା ମଣିଷର ଜୀବନୀ ଶକ୍ତିର ପରିପ୍ରକାଶ । ତାର ଚିନ୍ତା, ଭାବନା ସବୁକିଛି ସେ ଭାଷା ମାଧ୍ୟମରେ ପ୍ରକାଶ କରେ ଓ ନିଜକୁ ବ୍ୟକ୍ତ କରେ । ବାକଶକ୍ତି ଜୀବନର ମେରୁଦଣ୍ଡ ପରି । ଆପଣାର ଭାଷା ହେଉଛି ଆପଣାର ଆତ୍ମା । ମହାତ୍ମାଗାନ୍ଧୀଙ୍କ ଭାଷାରେ – ମାତୃଭାଷା ମାତୃସ୍ତନ୍ୟ ପରି ମହନୀୟ । ଆମେ ଓଡିଆ ଆମ ଭାଷା ଓଡିଆ । ସୁନ୍ଦରତାର ସମସ୍ତ ନିଦର୍ଶନ ଆମ ଠାକୁର ଜଗନ୍ନାଥ , ଆମ ରାଜ୍ୟ ଓଡିଶା ଏବଂ ଆମ ଭାଷା ଓଡିଆ । ଏ ଟଥା ଏକାନ୍ତ ସତ୍ୟ ହୋଇଥିବାରୁ ବଙ୍ଗଳା ଶିକ୍ଷକ କାନ୍ତିଚନ୍ଦ୍ର ଯେତେବେଳେ ‘ଓଡିଆ ଏକ ସ୍ବତନ୍ତ୍ର ଭାଷା ନୟ’ ବୋଲି କହିଲେ ସେତେବେଳେ ପ୍ରଚଣ୍ଡ ସ୍ବାଭିମାନୀ ଭାଷାପ୍ରେମୀ ବ୍ୟାସକବି ଫକିରମୋହନ, ଉତ୍କଳ ଗୌରବ ମଧୁସୂଦନ, ସାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ , କନିକା ରାଜା ରାଜେନ୍ଦ୍ର ନାରାୟଣ ଭଂଜଦେଓ, ମୟୁରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ , ଉତ୍କଳମଣି ଗୋପବନ୍ଧୁ ଦାସ ଅଣ୍ଟାଭିଡି ବାହାରି ପଡିଥିଲେ ଏ କଥାର ପ୍ରତିବାଦ କରିବା ପାଇଁ । ସଂଗ୍ରହ କରିବାରେ ଲାଗିପଡିଲେ ଓଡିଆ ଭାଷାର ପୋଥି, ପୁରାଣ, ଶିଳାଲିପି, ତାମ୍ରଲିପି ଆଦି । କାନ୍ତିଚନ୍ଦ୍ରଙ୍କ ଯୁକ୍ତି ଥିଲା ଓଡିଆ ଭାଷାରେ ସେପରି ପୁସ୍ତକ ମାନ ଛପା ଯାଉନାହିଁ ।ତେଣୁ ତାର ସାହିତ୍ୟ ଓ ଭାଷା ଦୁର୍ବଳ । ନିଜେ ଫକିରମୋହନ ଛାପାକଳ ପକାଇ ଆରମ୍ଭ କଲେ ଛାପାଖାନା ।
ଇତିହାସ କହେ ୧୫୬୮ ରେ ଗଜପତି ମୁକୁନ୍ଦ ଦେବଙ୍କ ପରାଜୟ ପରେ ଓ ନିଧନ ପରେ ଦୁର୍ଦ୍ଧର୍ଷ ଓ ଅପରାଜେୟ ଓଡିଆ ଜାତି ଦୁର୍ବଳ ଓ ପରାକ୍ରମହୀନ ହୋଇ ପଡିଲା । ଆଫଗାନ୍ , ମୋଗଲ, ମରହଟ୍ଟା ଶାସନ ପରେ ୧୮୦୩ ମସିହାରେ ଓଡିଶାର ଶାସନ ଭାର ଗଲା ଇଂରେଜମାନଙ୍କ ହାତକୁ । ଶାସନଗତ ସୁବିଧା ପାଇଁ ଓଡିଶାକୁ ଖଣ୍ଡବିଖଣ୍ଡିତ କଲେ ଇଂରେଜ ସରକାର ।କଟକ, ପୁରୀ ଓ ବାଲେଶ୍ବର କୁ ନେଇ ଗଠିତ ଓଡିଶା ଡିଭିଜନକୁ ନିଜ ଶାସନାଧୀନ ରଖି ଦେ ଶୀୟ ରାଜ୍ୟ ସହ ଅନେକ ଅଞ୍ଚଳ ମିଶାଇଦେଲେ ପଡୋଶୀ ପ୍ରଦେଶ ସହିତ । ମଧ୍ୟ ପ୍ରଦେଶରେ ମିଶିଲା କଳାହାଣ୍ଡି, ପାଟଣା , ସୋନପୁର, ସମ୍ବଲପୁର ଓ ବାମଣ୍ଡା ଆଦି ଅଞ୍ଚଳ ।ମେଦିନୀପୁର ରହିଲା ବଙ୍ଗଳାରେ ।ବଣେଇ ଗଡଜାତ ଛୋଟନାଗପୁରରେ । ଓଡିଶା ଡିଭିଜନର ଶାସନ ବ୍ୟବସ୍ଥା ବି ସଂଯୁକ୍ତ ହୋଇ ରହିଲା ବିହାର ପ୍ରଦେଶ ସହିତ । ସଙ୍କୁଚିତ ହେଲା ଓଡିଶାର ସୀମା ଏବଂ ସାଂସ୍କୃତିକ ପରିଚୟ । କଲିକତା, ନାଗପୁର ଅଞ୍ଚଳର ଓଡିଆ ମାନେ ସଂଖ୍ୟା ଲଘୁ ହୋଇ ବଞ୍ଚିଲେ ମାନ୍ଦ୍ରାଜ ଅଧୀନରେ । ପ୍ରାଦେଶିକ ସରକାରଙ୍କର କ୍ରମାଗତ ଅବହେଳା ଯୋଗୁଁ ଉପେକ୍ଷିତ ହେଲା ଓଡିଆ ମାନଙ୍କର ସ୍ବାର୍ଥ । ବିପର୍ଯ୍ୟସ୍ତ ହୋଇ ପଡିଲା ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଚଳଣି ।
ଏପରି ଦୁର୍ଦ୍ଦଶାର ସୁଯୋଗ ନେଇ ଓଡିଆ ଭାଷାକୁ ସରକାରୀ ଦପ୍ତର , କଚେରୀ ଓ ଶିକ୍ଷାନୁଷ୍ଠାନରୁ ଉଚ୍ଛେଦ କରିବାକୁ ଚକ୍ରାନ୍ତ କରାଗଲା । ବୋଝ ଉପରେ ନଳିତା ବିଡା ପରି ପ୍ରାକୃତିକ ଦୁର୍ବିପାକ ସବୁବେଳେ ଓଡିଆ ମାନଙ୍କର ମନୋବଳକୁ ଦୁର୍ବଳ କରି ପକାଇଲା । ପୁଣି ନଅଙ୍କ ଦୁର୍ଭିକ୍ଷ ଓଡିଆ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଲା । ଅଣ୍ଟା ସଳଖିବା ପୂର୍ବରୁ ମେଦିନୀପୁର ଓ ବାଙ୍କୁଡା ଜିଲ୍ଲାରୁ ଓଡିଆ ଭାଷା ଉଚ୍ଛେଦ ହୋଇଗଲା । ଏଥିରେ ଉତ୍ସାହିତ ହୋଇ ଓଡିଆ ଭାଷାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ବଙ୍ଗଳାର ରାଜେନ୍ଦ୍ର ଲାଲ ମିତ୍ରଙ୍କ ତରଫରୁ ଚାଲିଥିବା ଏହି ଉଦ୍ୟମକୁ ତେଜୀୟାନ କରିଦେଲା କାନ୍ତିଚନ୍ଦ୍ରଙ୍କ
ପୁସ୍ତକ ‘ଓଡିଆ ଏକଟା ସ୍ବତନ୍ତ୍ର ଭାଷା ନୟ ।’

ଦେଶପ୍ରେମୀ ମାନଙ୍କ ଆଖିରୁ ନିଦ ହଜିଗଲା । ଭାଷା ବିଲୋପ ଚକ୍ରାନ୍ତକୁ ପ୍ରତିହତ କରିବାକୁ ପ୍ରଥମେ ଆଗେଇ ଆସିଲେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ରାଜା ବୈକୁଣ୍ଠ ନାଥ ଦେ ଆଦି ଦେଶପ୍ରେମୀ ମାନେ । ବାଲେଶ୍ବରର ତତକାଳୀନ କଲେକ୍ଟର ତଥା ବିଶିଷ୍ଟ ଗବେଷକ ଜନ୍ ବିମସ୍ ଏମାନଙ୍କୁ ସହଯୋଗ କଲେ । କଲିକତାସ୍ଥିତ ‘ ‘ଏସିଆଟିକ୍ ସୋସାଇଟି’ ରେ ଆୟୋଜିତ ସଭାରେ ଜନ ବିମସ୍ ଓଡିଆ ଭାଷାର ବୁନିଆଦି ପ୍ରମାଣ କରିବାକୁ ଯାଇ ଯେଉଁ ତଥ୍ୟ ଉପସ୍ଥାପନ କଲେ ସେଥିରେ ପ୍ରତିବେଶୀଙ୍କ ଚକ୍ରାନ୍ତ ଭଣ୍ଡୁର ହୋଇଗଲା । ଏଥିରୁ ଉତ୍ସାହିତ ହୋଇ ରାଜ୍ୟ ମିଶ୍ରଣ ଆନ୍ଦୋଳନର ମୂଳଦୁଆ ତେଜିଲା ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲକ୍ଷ୍ୟ ନେଇ ଏକାଠି ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ , କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ମୟୁରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏବଂ ଆହୁରି ଅନେକ ଓଡିଶାର ବରପୁତ୍ର । ୧୯୦୩ ମସିହାରେ ୩୨୫ ଜଣ ଦେଶପ୍ରେମୀଙ୍କ ସର୍ବସମ୍ମତ ପ୍ରସ୍ତାବକ୍ରମେ ଗଠନ କରାଗଲା ଜାତୀୟ ମହାମଞ୍ଚ ‘ ଉତ୍କଳ ସମ୍ମିଳନୀ’ । ଏହି ଅଣରାଜନୈତିକ ମଞ୍ଚରୁ ପ୍ରବାହିତ ହେଲା ଜାତୀୟତାର ଉତ୍ତାଳ ତରଙ୍ଗ । ୩୩ ବର୍ଷ ପରେ ୧୯୩୬ ଏପ୍ରିଲ ପହିଲା ରେ ଆତ୍ମପ୍ରକାଶ କଲା ଉତ୍କଳ ପ୍ରଦେଶ ମାତ୍ର ସଂପୂର୍ଣ୍ଣ ନୁହେଁ ବିଖଣ୍ଡିତ ହୋଇ । ଓଡିଶାରୁ ଅଲଗା ହୋଇ ରହିଗଲା ଖାଣ୍ଟି ଓଡିଆ ଅଞ୍ଚଳ ସିଂଭୂମ, ମେଦିନୀପୁର, ମଞ୍ଜୁଷା, ଟିକାଲି, ସାରଙ୍ଗଗଡ ଓ ବସ୍ତର ଆଦି ଅଞ୍ଚଳ ।
ଚଳିତ ଶତାବ୍ଦୀରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି ଓଡିଶାର ବୁଦ୍ଧିଜୀବୀ ମାନଙ୍କ ପ୍ରଚେଷ୍ଟାରେ । ମାତ୍ର ଶିକ୍ଷିତ ଓଡିଆ ମାନଙ୍କର ଇଂରାଜୀ ପ୍ରୀତି ତଥା ପରମୁଖାପେକ୍ଷିତା ପାଇଁ ଓଡିଆ ଭାଷା ଆଜି ଓଡିଆ ମାଟିରେ ହିଁ ଅବହେଳିତ, ସିଂହାଣୀ ନାକି । ଏହି ହୀନମଣ୍ୟ ବ୍ୟକ୍ତି ମାନେ ଭାଷା ପାଇଁ କିଛି କରିବା ତ ଦୂରର କଥା ବରଂ ଏମାନେ ଭାଷା ସୁରକ୍ଷାର ବାଧକ । ଏଥିପାଇଁ ଅନେକ ଭୋଗିଲାଣି ଜାତି ଓ ଭାଷା । ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଓଡିଶା ନ କହି କେବଳ ଓଡିଶା କହିବାର ବେଳ ଉପଗତ । ଏହି ଉପଲବଧି ନ ରହିଲେ ପୂର୍ବ ଗୌରବ ଆଉ ଐତିହ୍ୟ ଆଉ ଫେରି ପାଇବାନି । ଯାହା କୁହାଯାଇଛି ମାତୃ ଭାଷା ମାତୃସ୍ତନ୍ୟ ପରି ଉପାଦେୟ ଓ ପୁଷ୍ଟିକାରୀ, ଏହାହିଁ ହେଉ ଆଜି ଦିବସର ଅନୁଚିନ୍ତା ସବୁ ଓଡିଆ ମାନଙ୍କ ପାଇଁ । ସୁଖର କଥା ଏବେ ପ୍ରାଥମିକ ଶିକ୍ଷାରେ ମାତୃଭାଷା ଶିକ୍ଷା ବାଧ୍ୟତାମୂଳକ ଏବଂ ଓଡିଆ ଉଇକିପିଡ଼ିଆରେ ସଂଯୋଗୀକରଣ ବଢୁଛି । ତଥାପି ଅନେକ କିଛି କରିବାର ଅଛି ।
~~~~~~~~~~~~~~~~~~~~
ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ
ଭୁବନେଶ୍ୱର – ୧୬
~~~~~~~~~~~~~~~~~~~~

Related posts

ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ବୈଠକ 

Sunil Chandra Nayak

ଉଠାଦୋକାନିଙ୍କୁ ଥଇଥାନ ଦାବି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!