ଡାବୁଗାଁ, ୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ନାୟକମୁଣ୍ଡାଗୁଡା ଗ୍ରାମରେ ଶଳା ଭାଉଜକୁ ମାଡ ମାରିବା ଅଭିଯୋଗରେ ଗୁରୁବାର ଜ୍ଵାଇଁ କୁ ଗିରଫ କରିଛି ଡାବୁଗାଁ ପୋଲିସ | ସୂଚନାଯୋଗ୍ୟ :- ବୁଧବାର ରାତ୍ର ପ୍ରାୟ ୧୦ ଘ. ସମୟରେ ନାୟକମୁଣ୍ଡାଗୁଡା ଗ୍ରାମର ସମାରୁ ଜାନୀ (୪୦) ମଦ୍ୟପାନ କରି ଘରକୁ ଫେରି ଥିଲେ | ସେହି ସମୟରେ ତାଙ୍କ ସ୍ତ୍ରୀ ରତ୍ନା ଜାନୀ ଘର ଦାଣ୍ଡରେ ନିଜ ଭାଉଜ ସାବିତ୍ରୀ ଜାନୀ ଙ୍କ ସହ ବସି କଥା ବାର୍ତ୍ତା ହେଉଥିଲେ | ସେହି ସମୟରେ ସମାରୁ ଆସି ନିଜ ସ୍ତ୍ରୀ ରତ୍ନା ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ସେଠାରେ ଉପସ୍ଥିତ ଥିବା ଶଳାଭାଉଜ ସାବିତ୍ରୀ ତାଙ୍କୁ କାହିଁକି ଗାଳି କରୁଛ ବୋଲି କହିଥିଲେ | ସମାରୁ ସଙ୍ଗେସଙ୍ଗେ ସାବିତ୍ରୀ ଙ୍କୁ ଗାଳିଗୁଲଜ କରିବା ସହ ହଠାତ ପାଖରେ ଥିବା ଏକ କାଠ ଫାଳିଆ ଧରି ତାଙ୍କୁ ଆକ୍ରମଣ କରିଥିଲେ | ଫଳରେ ତାଙ୍କର ମୁଣ୍ଡରେ ଓ ଅନ୍ୟ ସ୍ଥାନରେ ମାଡ ବାଜି ରକ୍ତସ୍ରାବ ହୋଇଥିଲା | ଫଳରେ ସାବିତ୍ରୀ ବେହୋସ ହୋଇପଡିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଆଜି ଗୁରୁବାର ସାବିତ୍ରୀ ଡାବୁଗାଁ ଥାନାରେ ଜ୍ଵାଇଁ ସମାରୁ ଙ୍କ ନାମରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଅଭିଯୁକ୍ତ ସମାରୁ ଙ୍କୁ ଗିରଫ କରିଥିଲେ | ଆସନ୍ତା କାଲି ଶୁକ୍ରବାର ସମାରୁଙ୍କୁ କୋର୍ଟ ଚାଲାଣ କରାଯିବ | ଏନେଇ ଥାନା କେସ ନଂ ୪୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ