ଗୀତିକାର ଚିଠି
ନଳିନୀ ପ୍ରଭା ମିଶ୍ର
ଚିଠିଟି କୁ ଆମୂଳଚୂଳ ପଢି ନେଲା ସୁରଞ୍ଜନ। ପୁନଃ ପୁନଃ ପଢ଼ିଲେ ବି ମନ ସ୍ଥିର ହେଉ ନାହିଁ।ଚିଠି ଲେଖିଛି ଗୀତିକା , ମୁଁ ତୁମକୁ ———। ଆଉ ପଢି ପାରୁ ନ ଥିଲା ସୁରଞ୍ଜନ।ଭାବ ପ୍ରବଣତା ଭିତରେ କେତେବେଳେ ଯେ ଆସି ଅଫିସ୍ ଟାଇମ୍ ହେବାକୁ ବସିଲାଣି,ସେଥି ପ୍ରତି ତା’ର ମୋଟେ ଖିଆଲ ନାହିଁ।ଏବେ ସେ ଏ ସହରକୁ ମୋଟେ ଦୁଇ ମାସ ହେବ ବଦଳି ହୋଇ ଆସିଛି। ନୂଆଁ ଜାଗା, ନୂଆଁ ଅଫିସ୍ ,ଭାରି ଟିଙ୍ଗା ଲୋକ ଜଣକ ସେ ଅଫିସର , ସମୟାନୁବତର୍ତ୍ତୀ ନ ହେଲେ ପୁଣି ବଦଳି ହୋଇ ଯାଇ ପାରେ।ଦୁଇ ଦିନ ତଳେ ବାପା ଗାଁ ରୁ ଆସିଥିଲେ,ବୋଉର ସେଇ ଏକା ଜିଦ୍ ଆସନ୍ତା ଫଗୁଣ ରେ ସୁର ର ବାହାଘର ହେବ, କନ୍ୟା ଠିକ୍ କରାଯାଇଛି,ଝିଅଟି ଦେଖିବାକୁ ଭାରି ସୁନ୍ଦର, ଗୋଟିଏ ଚାଉଳରେ ଗଢା, ବି. ଏ ପର୍ଯ୍ୟନ୍ତ ପଡ଼ିଛି,କେବଳ ସୁର ଦେଖିବା ପରେ କଥା ପକ୍କା କରାଯିବ।କିଛି ଉତ୍ତର ଦେଇ ପାରି ନଥିଲା ବାପାଙ୍କୁ,କାଳେ ବାପା କିଛି ଖରାପ ଭାବି ପାରନ୍ତି।
କଟକ ରେ ପ୍ରଥମ ଚାକିରି ପରେ ରେଭେନ୍ସା କଲେଜିଏଟ୍ ରାସ୍ତାରେ ଛୋଟିଆ ଘରଟିଏ ଭଡ଼ା ନେଇଥିବା ସୁରଞ୍ଜନ।ଦିନର କର୍ମ କ୍ଲାନ୍ତ ଜୀବନର ଅବସାନ ପରେ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ମଦ ଭାଟି,ସିନେମା, କ୍ଲବ ଭିତରେ ନିଜକୁ ହଜାଇ ଦେଇଥିବା ସୁରଞ୍ଜନ ରାତିକି ଯେ କିପରି କଟୁ ଥିଲା ,ସେ ନିଜେ ବି ଜାଣି ପାରୁ ନ ଥିଲା।ସକାଳର କଅଁଳ ଖରା ଭେଣ୍ଟିଲେଟ୍ରର ଦେଇ ଘରେ ପ୍ରବେଶ କରି ଘଣ୍ଟାରେ ଅଠର ସୂଚନା ଦେଲେ ଆଖି ମଳି ମଳି ଉଠି ଧରେ ତକିଆକୁ। ସେ ଜାଣେ ତା’ପରି ଜଣେ ନଷ୍ଟ ଚରିତ୍ର କୁ କେଉଁ ଝିଅ ବାହା ହେବାକୁ ରାଜି ହୋଇ ପାରେ।ସକାଳୁ ସକାଳୁ ବାହାରି ଯାଏ ବାହାରକୁ।
ସେ ଦିନର ସେ ଘଟଣାଟି ଯେ ତା’ର ଜୀବନର ମୋଡ଼ ବଦଳାଇ ଦେବ ନିଜକୁ ନିଜେ ସେ ବିଶ୍ବାସ କରି ପାରୁ ନ ଥିଲା। ଅଫିସ୍ କୁ ଯିବା ବାଟରେ ହଠାତ୍ ପଛରୁ କାହାରି ଡାକ ଶୁଣି ଚମକି ପଡ଼ିଥିଲା ସେ।ଭାରି କୋମଳ ସ୍ଵର ,ଆଜି ପରୀକ୍ଷା ସମୟ ହୋଇଗଲାଣି ଦୟାକରି —-।
ଗାଡି ରେ ବସାଇ କଲେଜ ଫାଟକ ପାଖରେ ଛାଡି ଆସିଥିଲା ଗୀତିକାକୁ।
ବେଳେବେଳେ ସାକ୍ଷାତ ହୁଏ ତା ‘ସହ ସ୍ମିତ ହସଟିଏ ହସି ଚାଲିଯାଏ ଗୀତିକା।ଅନେକ ଥର ଗୀତିକା ଘରକୁ ଯାଇଛି,ଅନ୍ୟ ଝିଅ ମାନଂକ ଅପେକ୍ଷା ଗୀତିକା ଥିଲା ଏକ ଭିନ୍ନ ଧରଣର ଚରିତ୍ର।ସାମୟିକ ସାହାଯ୍ୟ ପାଇଁ କୃତଜ୍ଞତା,ଉଦାରତା ଏ ସବୁ ଗୁଣ ତା’ ଠାରେ ଏକତ୍ରିତ ହୋଇଥିଲେ।ବେଳେ ବେଳେ ଗୀତିକା ଆମନ୍ତ୍ରଣ କରେ ସୁରଞ୍ଜନକୁ, ପାଖରେ ବସାଇ ବଳେଇ ବଳେଇ ଖୁଆଏ। କେତେବେଳେ କେମିତି ତା ସାନ ଭାଇ ହାତରେ ପଠାଇ ଦିଏ ନିଜ ହାତ ରନ୍ଧା ଜିନିଷ।ସେ ଜାଣେ ଗୀତିକା ତାକୁ ନିଶ୍ଚିତ ଭାବେ ଭଲ ପାଇ ବସିଛି। ବୋଧହୁଏ ସେ ଜାଣେନା ତା,ର ବଦ୍ଧ ଗୁଣ ସମ୍ବନ୍ଧ ରେ। ଯେଉଁ ଦିନ ଗୀତିକାର ବୋଉ ଗୀତିକାର ବିବାହ ପ୍ରସ୍ତାବ ନେଇ ତା’ ଆଗରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ, ଗୀତିକା କୁ ଏକାକିନୀ ପାଇ ସେ ପଚାରିଥିଲା,”ମୋ ପରି ଜଣେ ମଣିଷ ସହିତ ତୁମେ ସାଂସାରିକ ଜୀବନ ରେ ଆବଦ୍ଧ ହୋଇ ପାରିବ ତ? ” ସାଙ୍ଗେ ସାଙ୍ଗେ ସେ କହି ଉଠିଥିଲା “,, ମୁଁ ମଣିଷକୁ ଘୂଣା କରେନି ସୁରଞ୍ଜନ ,ସବୁ ମଣିଷ ସମାନ ଭଲ ପାଇବା ହେଉଛି ପ୍ରତ୍ୟେକ ମଣିଷ ର ସହଜାତ ପ୍ରବୃତ୍ତି।ଆମେ ସମସ୍ତେ ପରା ପ୍ରଭୁ ଯୀଶୁଙ୍କ ସନ୍ତାନ ଏହା ବ୍ୟତୀତ ଗୋଟିଏ ଚରିତ୍ର କୁ ବଦଳାଇ ଦେଇ ପାରେ ଅନ୍ୟ ଏକ ଚରିତ୍ର,କାଚ କାଞ୍ଚନ ର ସଂସ୍ପର୍ଶରେ ଆସି ମରକତ ମଣିଷର ତେଜକୁ ଧାରଣ କରେ।
ମୁଁ ତୁମକୁ ଘୃଣା କରେନି ବରଂ ତୁମ ଭିତରେ ଦେଖି ପାରୁଛି ପବିତ୍ର ଈଶ୍ବରଙ୍କ ରୂପ।”
ଚିଠି ଭିତରୁ ଗୀତିକାର ମୁହଁ ଟି ଦିଶି ଯାଉଛି। ତା’ର ପବିତ୍ର ଆହ୍ବାନ ସତେ ଯେପରି ସମସ୍ତ ଚାରିତ୍ରିକ କଳୁଷତାକୁ ଧୌତ କରି ତାକୁ ପବିତ୍ର କରି ଦେଇଛି।ଶୁଣା ଯାଉଛି ସେଇ କଥା ” ସୁରଞ୍ଜନ ମୁଁ ତୁମକୁ ନେଇଯିବି ମାନବିକତାର ଉର୍ଦ୍ଧ୍ବ ସ୍ତରକୁ।