ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମଜୟନ୍ତୀ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର ତଥା ଓଡ଼ିଆ ଜାତୀୟତାର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । 

“ଜଣେ ନିଜ ପାଇଁ ସ୍ୱପ୍ନ ଦେଖିଲେ, ଜାତି ପାଇଁ ସ୍ୱପ୍ନ ଦେଖିବ” – ତାଙ୍କର ଏହି ମହାନ ବିଚାର ଆଜିର ଦିନରେ ଅଧିକ ପ୍ରାସଙ୍ଗିକ । ସ୍ୱାଭିମାନୀ ମଧୁବାବୁଙ୍କ ତ୍ୟାଗ, ସେବା, ପରୋପକାର ଏବଂ ଓଡ଼ିଆ ଜାତିର ଉତଥାନ ପାଇଁ ଯୋଗଦାନ ସମସ୍ତଙ୍କୁ ଅନୁପ୍ରାଣିତ କରିବ ।

କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ. ବି.ଏଲ ର ଡିଗ୍ରୀ ପାଇଥିବା ପ୍ରଥମ ଓଡିଆ | ବିଚ୍ଛିନ୍ନ ହୋଇଥିବା ଓଡିଆ ମାନଙ୍କର ଏକୀକରଣ ପାଇଁ ସାହସିକ ପଦକ୍ଷେପ ନେଇଥିଲେ | ସମସ୍ତ ଓଡିଆଙ୍କର ନୂତନ ଆଶା ଏବଂ ଆକାଂକ୍ଷାର ପ୍ରତୀକ ଭାବରେ ପୂର୍ବାଞ୍ଚଳରେ ଉଭା ହୋଇଥିଲେ | ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଓଡିଆ ଆନ୍ଦୋଳନର ମୁଖ୍ୟ ତଥା ଶିଳ୍ପ ବିକାଶ କ୍ଷେତ୍ରରେ ଅଗ୍ରଣୀ ଥିଲେ | ଜଣେ ମହାନ ବିଧାୟକ ଓ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଥିଲେ, ସେ ପ୍ରଥମ ଓଡିଆ ଭାବରେ ବିଧାନ ପରିଷଦର ସଦସ୍ୟ ତଥା କେନ୍ଦ୍ରୀୟ ବିଧାନସଭା ସଦସ୍ୟ ଥିଲେ ଏବଂ ବିଦେଶକୁ ପ୍ରଥମ ଯାତ୍ରା କରିଥିଲେ। ତାଙ୍କର ପ୍ରଥମ ଭାରତୀୟ ମନ୍ତ୍ରୀ ହେବାର ଭିନ୍ନତା ଥିଲା। ସେ କୁଳବୃଦ୍ଧ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସ ଭାବରେ ମଧ୍ୟ ଜଣାଶୁଣା |

ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର,ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡାରେ ଚଢିବି।”

ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ –

“ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳଙ୍କୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ!”

ମଧୁସୂଦନ ଦାସଙ୍କର ପରିବାର….

ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାମାଜିକ ଚଳଣି ଅନୁସାରେ ତାଙ୍କ ପିତା ତାଙ୍କ ସହ ସମ୍ବନ୍ଧ ତୁଟାଇ ଦେଇଥିଲେ । ଏଣୁ ସେ ଗାଁ ବାହାରେ କୋଠିଟିଏ ଗଢ଼ାଇ ସେଠାରେ ବସବାସ କରୁଥିଲେ । ତାଙ୍କ ମା’ ପାର୍ବତୀ ଦେବୀ ତାଙ୍କ ପାଖକୁ ସକାଳେ ଓ ସଞ୍ଜରେ ଦେଖାକରି ସେକାଳର ଚଳଣି ଅନୁସାରେ ଗାଁ ମୁଣ୍ଡରେ ଥିବା ରସକୁଣ୍ଡ ପୋଖରୀରେ ଗାଧୋଇ ଘରକୁ ଆସୁଥିଲେ ।

ସତ୍ୟଭାମାପୁରଠାରେ ଥିବା ତାଙ୍କ ଏନ୍ତୁଡ଼ିଶାଳକୁ ଇନଟାକ ତରଫରୁ ପୁନରୁଦ୍ଧାର କରି ତାକୁ ମୂଳ ଢାଞ୍ଚାରେ ଆଉଥରେ ତିଆରି କରାଯାଇଛି ।

ବାବର୍ଚ୍ଚିଖାନା…..

ମଧୁବାବୁ ଖ୍ରୀଷ୍ଟିଆନ ହେଲା ପରେ ତାଙ୍କ ପାଇଁ ମୁସଲମାନ ରାନ୍ଧୁଣିଆ ଜଣେ ତାଙ୍କ କୋଠିରେ ରାନ୍ଧୁଥିଲେ । ଏହି ଘରର ନାମ ବାବର୍ଚ୍ଚିଖାନା 

ଶିକ୍ଷା…..

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟିବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ୧୩ ବର୍ଷ ବୟସରେ ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ଇଂରାଜୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ତାଙ୍କ ପିତାମହୀ(ଆଇ) ଘୋର ଆପତ୍ତି କରିଥିଲେ।ତାଙ୍କର ଆଶଙ୍କା ଥିଲା ଯେ,ସେ ଇଂରାଜୀ ପଢିଲେ ‘କିରସ୍ତାନ ବା ଖ୍ରୀଷ୍ଟିଆନ’ ହୋଇଯିବ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି) । ସ୍କୁଲରେ ପଢିବା ସମୟରେ କେତେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ଗୋଛାଏ ବାଳର ଗଣ୍ଠିଥିଲା। ଦିନେ ଜଣେ ସହପାଠୀ ସେହି ଚୁଟିଟି କୌଶଳରେ କାଟି ପକାଇଲେ। ତାଙ୍କର ସେତେବେଳର ପୋଷାକ ମଧ୍ୟ ଅଦ୍ଭୁତ ଥିଲା, ନାଲି କନାରେ ତୁଳା ପଶି ଗୋଟାଏ ମିରଜେଇ କୁର୍ତ୍ତା;ସେଥିରେ ବୋତାମ ଲାଗୁ ନ ଥିଲା।କୁର୍ତ୍ତା ଦୁଇପଟେ କନାଧଡି ବା ସୂତାରେ ବନ୍ଧା ହୋଇଥାଏ। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ।

୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା । ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ । ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ ।

ଅଧ୍ୟାପନା…..

କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ । ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ । ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ । ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା । ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ ।ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ ।

ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ ।

ଓକିଲାତି……

ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ ।ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ । ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ’ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ । ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ ।

ରାଜନୀତି….

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଶିଳ୍ପର ଉନ୍ନତି…..

କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ ।ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା ।

ସାହିତ୍ୟ ରଚନା….

ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା” । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ ।

ସତୀ ଚଉରା…..

ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ । ସଂପ୍ରତି ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି।

୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କର ପରଲୋକ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ ପ୍ରବନ୍ଧ = ରକ୍ତତୀର୍ଥ ଇରମ

Sunil Chandra Nayak

ଦି ଟଲ ମ୍ୟାନ…. ବିଜୁ ପଟ୍ଟନାୟକ

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୦୨ ଫେବୃୟାରୀ : ଐତିହାସିକ ସ୍ମୃତି,ବର୍ତ୍ତମାନର ଚେତନା ଓ ଭବିଷ୍ୟତର ଦିଗଦର୍ଶନ

Sunil Chandra Nayak

Leave a Comment

error: Content is protected !!