ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଉଦଘାଟନ ହେଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନୂତନ ସଂସଦ ଭବନ l ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦରେ ସ୍ଥାପିତ ହେଲା ସେନଗୋଲ ବା ରାଜଦଣ୍ଡ : ୧୮ ମଠର ମଠାଧୀଶ ମୋଦୀଙ୍କୁ ଦେଲେ ଆଶୀର୍ବାଦ…..

ଏଠାରେ ଶୈବ ସମ୍ପ୍ରଦାୟର ପଣ୍ଡିତ ମୋଦୀଙ୍କୁ ରାଜଦଣ୍ଡ ସେନଗୋଲ ପ୍ରଦାନ କରିଛନ୍ତି । ସେନଗୋଲକୁ ନୂଆ ସଂସଦ ଭବନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଶ୍ୱର୍ରେ ରଖାଯାଇଛି । ପିଏମ ମୋଦୀ କହିଛନ୍ତି ଯେ ନୂଆ ସଂସଦ ଭବନ ପ୍ରତିଟି ଭାରତୀୟଙ୍କୁ ଗୌରବାନ୍ୱିତ କରିବ ।

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ। ଯାହାର ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ।

ନୂଆ ସଂସଦ ସୌଧର ବିଶେଷତ୍ୱ…

ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର। ତଳେ ଲେଖାଯାଇଛି ସତ୍ୟମେବ ଜୟତେ

ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି। ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା।

ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ।

ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ

ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା।

ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟ୍‌ରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା।

ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି।

ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା। ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକମ୍ପ ପ୍ରତିରୋଧୀ ମଧ୍ୟ। ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ। 

ସେଙ୍ଗୋଲ୍ ବା ରାଜଦଣ୍ଡ….

ରାଜଦଣ୍ଡ ବା ଧର୍ମଦଣ୍ଡ ବା ସେଙ୍ଗୋଲ ଅତୀତ ଇତିହାସ ର ଏକ ବିଲୀନ ପୃଷ୍ଠାଟି ର ପୁନଃ ଉଦ୍ଧାର ……

୫ ଫୁଟ୍ ଲମ୍ବ, ରୂପାରେ ନିର୍ମିତ, ଉପରେ ସୁନାର ଛାଉଣୀ, ଶୀର୍ଷରେ ଶୋଭିତ ନନ୍ଦି- ଶକ୍ତି, ସାମର୍ଥ୍ୟ ଓ ସତ୍ୟର ପ୍ରତୀକ, ତଳେ ଲେଖାଯାଇଛି- “ଏହା ମୋର ଆଦେଶ ଯେ ଈଶ୍ବରଙ୍କ ଅନୁଗାମୀ ରାଜା ସ୍ବର୍ଗ ସମାନ ଶାସନ କରିବେ”

୧୯୪୭ ରେ ବ୍ରିଟିଶ ଶାସକ ଗୋଷ୍ଠୀ ଉପନିବେଶବାଦରୁ ଭାରତକୁ ସ୍ୱାୟତ୍ତତା ଓ ସ୍ୱାଧୀନତା ପ୍ରଦାନ କଲାବେଳେ ତତ୍କାଳୀନ ବଡ଼ଲାଟ ମାଉଣ୍ଟବ୍ୟାଟେନ ତଥାକଥିତ ପଣ୍ଡିତ ଜବାହରଲାଲ ନେହେରୁକୁ ପଚାରିଥିଲେ, ଶାସନ ହସ୍ତାନ୍ତରର କୌଣସି ପ୍ରତୀକାତ୍ମକ ଉତ୍ସବ ହେବ କି ନାହିଁ… ? ନେହେରୁ ସେହି ପ୍ରଶ୍ନ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କୁ ପଚାରିଥିଲେ ।

ରାଜଗୋପାଳାଚାରୀ ଚୋଳ ରାଜାମାନଙ୍କର ପାରମ୍ପରିକ ଶାସନ ହସ୍ତାନ୍ତର ପଦ୍ଧତି ବିଷୟରେ ଜଣାଇଥିଲେ। ନୂଆ ଚୋଳ ରାଜାଙ୍କର ଅଭିଷେକ ସମୟରେ, ସେ ଏକ ରାଜଦଣ୍ଡ ଗ୍ରହଣ କରୁଥିଲେ ଯାହାକୁ ସେଙ୍ଗଲ( Sengol ) କୁହାଯାଉଥିଲା । ତାମିଲରେ ସେମ୍ମାଇ , ଯାହାର ଅର୍ଥ ଧର୍ମ ଓ ସତ୍ୟ । ନୂତନ ରାଜା ଏହି ଦଣ୍ଡ ଗ୍ରହଣ କଲାବେଳେ ସତ୍ୟ ଓ ଧର୍ମ ଆଧାରିତ ଶାସନ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହେଉଥିଲେ । ଏହି ଦଣ୍ଡ ମଧ୍ୟ ସମସ୍ତ ଗ୍ରହ, ନକ୍ଷତ୍ରଙ୍କ ପ୍ରଭାବ ବାହାରେ ଭଲ ଓ ମନ୍ଦ–ଉଭୟ ସମୟରେ ରାଜ୍ୟକୁ ସୁରକ୍ଷିତ ରଖିବ ( କୋଲାରୁ ପୋଦିଗମ )ବୋଲି ବିଶ୍ୱାସ ଥିଲା । ରାଜାଜୀଙ୍କ ପରାମର୍ଶ ଥିଲା, ଯେ ଏହି ସେଙ୍ଗଲ’ କୁ ଲର୍ଡ଼ ମାଉଣ୍ଟବ୍ୟାଟେନ ତଥା କଥିତ ପଣ୍ଡିତ ନେହେରୁକୁ ପ୍ରଦାନ କରିବ ଏବଂ ତାହା ହିଁ କ୍ଷମତା ହସ୍ତାନ୍ତରର ପ୍ରତୀକ ହେବ।

ସମୟ ଖୁବ କମ ଥିଲା। ଚେନ୍ନାଇର ଭୂମିଡ଼ି ବଙ୍ଗାରୁ ଜିୱେଲରସଙ୍କୁ ଦାୟିତ୍ୱ ଦିଆଯାଇଥିଲା ଓ ଏହାର ମୁଖ୍ୟ ଭୂମିଡ଼ି ବଙ୍ଗାରୁ ଚେତ୍ତି ଏହି ରାଜଦଣ୍ଡକୁ ନିର୍ମାଣ କରିଥିଲେ ସୁନାରେ। ଏଥିପାଇଁ ମାସେ ସମୟ ଲାଗିଥିଲା। ବୈଦିକ ପୂଜା ପରେ ସେଙ୍ଗଲକୁ ବା ଧର୍ମଦଣ୍ଡକୁ ଲର୍ଡ଼ ମାଉଣ୍ଟବ୍ୟାଟେନକୁ ଦିଆଯାଇଥିଲା, ଯାହା ସେ ୧୯୪୭ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟାରେ ଶାସନ ହସ୍ତାନ୍ତରର ପ୍ରତୀକ ସ୍ୱରୂପ ଜବାହରଲାଲ ନେହେରୁକୁ ପ୍ରଦାନ କରିଥିଲା । ଅଗଷ୍ଟ ୧୪-୧୫ ମଧରାତ୍ରୀରେ ତଥାକଥିତ ପଣ୍ଡିତ ନେହରୁ ତାର ପ୍ରସିଦ୍ଧ ‘ଭାଗ୍ୟ ସହିତ ଅଭିସାର’ ବକ୍ତବ୍ୟ ରଖିବା ପୂର୍ବରୁ ଏହି ଧର୍ମଦଣ୍ଡକୁ ଗ୍ରହଣ କରିସାରିଥିଲା ।

ଏହି ଧର୍ମଦଣ୍ଡ ବା ରାଜଦଣ୍ଡ ଅତୀତର ପୃଷ୍ଠାରେ, ଇତିହାସରେ ବିଲୀନ ହେଇ ଯାଇଥିଲା ଓ ଏହାର ସ୍ମୃତି ଉପରେ ଅଳନ୍ଧୁ ଲାଗିଯାଇଥିଲା। ତାମିଲନାଡୁର କିଛି ବ୍ୟକ୍ତିବିଶେଷ ଏହାକୁ ମନେ ରଖିଥିଲେ ଓ ସେମାନେ ଏହାକୁ ଖୋଜିବା ପାଇଁ ଭାରତ ସରକାରଙ୍କ ସହିତ ପତ୍ରାଳାପ କରିଥିଲେ। ପ୍ରାୟ ଦେଢ଼ ବର୍ଷର ଖୋଜାଖୋଜି ପରେ ଏହା ମିଳିଲା ପ୍ରୟାଗରାଜ ( ପୂର୍ବର ଆଲ୍ଲାହାବାଦ ) ର ‘ଆନନ୍ଦ ଭବନ’ ସ୍ଥିତ ନେହେରୁ ସଂଗ୍ରହାଳୟରୁ। ସୂଚନାରେ ଲେଖାଥିଲା– ‘ନେହେରୁଙ୍କୁ ଉପହାର ହିସାବରେ ମିଳିଥିବା ସ୍ୱର୍ଣ୍ଣ ଚଲାବାଡି’ !!! ଇତିହାସର ଏହି ସ୍ବର୍ଣ୍ଣିମ ସ୍ମୃତିଚିହ୍ନ ପଡିରହିଥିଲା ତାର ମର୍ଯ୍ୟାଦା ହରେଇ। 

ଆଜି ଏହି ରାଜଦଣ୍ଡର ପୁନରୁଦ୍ଧାର ହୋଇଛି। ନୂତନ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ନିକଟରେ ସ୍ୱୟଂଶାସନର ପ୍ରତୀକ ରୂପେ ଏହା ସ୍ଥାନିତ ହୋଇଛି ।

ଐତିହ୍ୟ, ସଂସ୍କୃତି, ପରମ୍ପରା, ଏପରିକି ସ୍ୱାଭିମାନର ପ୍ରତୀକକୁ ପରିତ୍ୟକ୍ତ କରିଦେବା ପଛରେ କଣ ଏକମାତ୍ର କାରଣ, ଏହାର ଶୀର୍ଷରେ ଥିବା ନନ୍ଦୀ ପ୍ରତିମୂର୍ତ୍ତି ସମ୍ଭବତଃ ,ଚୋଳ ବିଶ୍ୱାସ ଅନୁଯାୟୀ ନନ୍ଦୀଙ୍କର ଚାରି ଗୋଡ଼ ‘ସତ୍ୟ, ଧର୍ମ, ଶାନ୍ତି, ପ୍ରେମ’ କୁ ବୁଝାଇଥାଏ। ଏହି ରାଜଦଣ୍ଡର ଅର୍ଥ ହେଉଛି, ଶାସକ ସତ୍ୟ ଓ ଧର୍ମ ( Righteousness ) ଅନୁଯାୟୀ ଶାସନ କରିବା ନିମନ୍ତେ କର୍ତ୍ତବ୍ୟବଦ୍ଧ। 

ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନା କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ।

ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ।

ଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କ୍ୟାବିନେଟ୍‌ ମନ୍ତ୍ରୀମାନେ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ସର୍ବଧର୍ମ’ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।

ଆଜି ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରମ୍ପରିକ ବେଶପୋଷାକ ସାଜି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ସ୍ବାଗତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଟ୍ରମ୍ପଙ୍କ ପ୍ଲାନ୍‌ ଖାରଜ: ଇରାନ କହିଲା “ଶାନ୍ତି ନୁହେଁ, ସମ୍ପୂର୍ଣ୍ଣ ଯୁଦ୍ଧର ଶେଷ ଦରକାର” 

Sunil Chandra Nayak

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

Sunil Chandra Nayak

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’! 

Sunil Chandra Nayak

Leave a Comment

error: Content is protected !!