ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ 

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ 

କନ୍ଧମାଳ: 28/09:(ମନିସ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ ଜଣଙ୍କୁ ଏହି ରୋଗରେ ପୀଡିତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେମାନେ ଏହି ରୋଗ ସମ୍ପର୍କରେ କିଛି ଅନୁଭୂତି ନ ଥିବା ଓ ଅଞ୍ଚଳରେ ଏଭଳି ପ୍ରଥମଥର ପାଇଁ ହେଉଥିବାରୁ ତାହା ଅଜଣା ରୋଗ ବୋଲି କହିଛନ୍ତି। ଅର୍ଥାଭାବ ଯୋଗୁଁ ଲୋକେ ଡାକ୍ତରଖାନା ଯାଇ ପାରୁ ନାହାନ୍ତି। କିଛି ଲୋକ ଏହି ଅଜଣା ରୋଗକୁ ବସନ୍ତ, ମିଳିମିଳା ଭାବି ଘରୋଇ ଚିକିତ୍ସା କରୁଛନ୍ତି। କିଛି ଲୋକ ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖାଯାଇଛି। ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ପାଇପ ବିଛାଯାଇଥିଲେ ସୁଦ୍ଧା ଜଳ ଯୋଗାଣ କରାଯାଉ ନାହିଁ, ଯାହା ଫଳରେ ଲୋକେ ନିକଟସ୍ଥ ଚୁଆଁ ପାଣିରେ ଗାଧୋଇବା ସହ ପିଇବା ପାଇଁ କୂଅ ପାଣି ବ୍ୟବହାର କରୁଥିବା ଗ୍ରାମର ଜଳେଶ୍ୱର ପ୍ରଧାନ, ପରମେ ପ୍ରଧାନ, ରଞ୍ଜନ ଦିଗାଲ ପ୍ରମୁଖ କହିଛନ୍ତି। ଏନେଇ ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲ୍ଲିକ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଯେଉଁମାନେ ଚର୍ମ ଜନିତ ରୋଗି ସେମାନଙ୍କୁ ଚିକିତ୍ସା କରାଯାଉଛି। ଯୋଉଟା ଏଠି ସମ୍ଭବ ହେଉନି ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯାଉଛି କିନ୍ତୁ ଲାଦାମାଲା ଗ୍ରାମରେ ବହୁ ଶିଶୁଙ୍କୁ ଏଭଳି ରୋଗ ହୋଇଥିବା ତାଙ୍କ ନିକଟରେ କୌଣସି ଖବର ନ ଥିବା କହିଛନ୍ତି। ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥି କହିଛନ୍ତି ଯେ, ଏବେ ଚାରିଆଡେ ଏଭଳି କାଛୁ କୁଣ୍ଡିଆ ରୋଗ ଚାଲିଛି ତେଣୁ ଏହା କୌଣସି ଅଜଣା ରୋଗ ନୁହଁ । ଡାକ୍ତର ଖାନାରେ ପହଞ୍ଚିଲେ ସହଜରେ ରୋଗି ଭଲ ହୋଇପାରିବ ବୋଲି ସେ କହିଛନ୍ତି। ରୋଗକୁ ନେଇ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦ୍ରାପଡାକୁ ମିଳିଲା ସ୍ଥାନ

Sunil Chandra Nayak

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

masiha

Leave a Comment

error: Content is protected !!