ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ , ‘ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ

ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ
-ଯୋଗଦେଲେ ଡମ୍ ଜାତିର କବି, ଲେଖକ, ବୁଦ୍ଧିଜୀବୀ ଓ କଳାକାର
-ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ ହେଲେ ବୟୋଜ୍ୟେଷ୍ଠ ପ୍ରତିଭା 

ଭବାନୀପାଟଣା,୨୩ା୧୨( ମ ନି ସ)-ଭାରତର ସବୁଠାରୁ ପୁରାତନ ଦ୍ରାବିଡ ସଂସ୍କୃତିଠାରୁ ବି ପ୍ରାଚୀନ ହେଉଛି ଡମ୍ ସଂସ୍କୃତି। ଡମ୍ ସଂସ୍କୃତି ଓ ଅସ୍ମିତା ସହିତ ଅତ୍ୟନ୍ତ ସମୃଦ୍ଧ ଡମ୍ ଜାତିର ଭାଷା। ଏହି ଭାଷାରେ ରାଶି ରାଶି ଲୋକକଥା, ଲୋକଗୀତ ଆଦି ଭରି ରହିଥିବାବେଳେ ପାଲି, ପ୍ରାକୃତ ଭାଷାର ମୂଳପିଣ୍ଡ ଡମ୍ ଭାଷା, ସେହିପରି ଲୋକସାହିତ୍ୟ, ଡମ୍ ସଂସ୍କୃତିର ମୁଖ୍ୟ ଅଙ୍ଗ ଡମ୍ ବାଜା ଆଦି ଏ ଜାତି ଓ ଏ ସଂସ୍କୃତିକୁ ଏକ ମୌଳିକ ପରିଚୟ ଦେଇଥାଏ। ସେହିପରି ଏହି ଜାତିର ଲୋକଙ୍କ ଦ୍ୱାରା ବ୍ୟବହୃତ ଡମ୍ ଭାଷା ଆଜି ଓଡିଶାର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ ସମେତ ଦଶଟି ଜିଲ୍ଲାର ଏଗାର ଲକ୍ଷ ଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ। ତେବେ ଏହାସତ୍ତ୍ୱେ ଡମ୍ ଭାଷା ବିଲୁପ୍ତର ଦ୍ୱାରଦେଶରେ ଥିବାବେଳେ ଏହାକୁ ପୁନରୁଦ୍ଧାର କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଐତିହାସିକ ମର୍ଯାଦା ସଂପନ୍ନ ଏହି ଭାଷାର ସୁରକ୍ଷା ପାଇଁ ବର୍ତ୍ତମାନ ଏହି ଜାତିର ପ୍ରତିଟି ବ୍ୟକ୍ତିବିଶେଷ ଉଦ୍ୟମ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ଆଜି ବିଶିଷ୍ଟ କବି, ଲେଖକ ଓ ଔପନ୍ୟାସିକ ଡ. ବାସୁଦେବ ସୁନାନୀଙ୍କ ସଂପାଦିତ ‘ଡମ୍ କାଥା’ କବିତା ସଂକଳନର ଉନ୍ମୋଚନ ବା ମୁକ୍ଲା ପରବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନକଟିଗୁଡାସ୍ଥିତ ଡ. ଆମ୍ବେଦକର ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏହି ନିଆରା ସମାରୋହରେ ଡମ୍ ଭାଷାକୁ ବର୍ତମାନ ପର୍ଯ୍ୟନ୍ତ ବ୍ୟାବହାରିକ ଭାଷା ଭାବେ ବ୍ୟବହାର କରୁଥିବା ବୟୋବୃଦ୍ଧା ମହୁଲ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୁସ୍ତକର ଉନ୍ମୋଚନ କରିଥିଲେ। ଭୁବନେଶ୍ୱରର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆରୋହୀ’ ଏବଂ ଭବାନୀପାଟଣା ଡ. ଆମ୍ବେଦକର ଭବନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଆଲୋଚକ ଭାବେ ଡ. କ୍ଷେତ୍ରବାସୀ ମାନସେଠ ଯୋଗଦେଇ ଡମ ଭାଷାର ମୌଳିକତା ଓ ବହୁଳ ବ୍ୟବହାର ସଂପର୍କରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ରାୟଗଡା ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଡ. ଦୟାନିଧି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ସୁବାସ ନିଆଲ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଧନୁର୍ଯ୍ୟୟ ନାଏକ, ଜଳଛାୟା ମିଶନର ଅବସରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗଙ୍ଗାଧର ଜାଲ, କୃଷି ବିଭାଗର ଅବସରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ନାଗ, ହରିଜନ କଲ୍ୟାଣ ସମିତିର ସଭାପତି ସୁଗ୍ରୀବ ଦୀପ, ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ, ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହାସଚିବ ସୂର୍ଯ୍ୟନାରାୟଣ କୁମାର, ସମାଜସେବୀ ଯତୀନ୍ଦ୍ର କର ପ୍ରମୁଖ ମଂଚାସୀନ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଯୋଗେଶ୍ୱର ସାଗର ସଭା ପରିଚାଳନା କରିଥିବାବେଳେ ଶ୍ରୀ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ସହିତ ଡମ୍ ଭାଷା, ଲୋକ ସାହିତ୍ୟକୁ ବଂଚାଇ ରଖିଥିବା ସୁଗ୍ରୀବ ଦୀପ, ଦୟାନିଧି ଜାଲ, ବୃନ୍ଦା ସାଗର, ରାମସ୍ୱାମୀ ନାଏକ, ମହୁଲ ମଙ୍ଗରାଜଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, କବି, ଲେଖକ, ସମାଜସେବୀ, କଳାକାରମାନେ ସାମିଲ ହୋଇଥିଲେ। ସେହିପରି ଡମ୍ ଭାଷାର କଥାନୀ, ଗୀତ ସହିତ ଡମବାଜା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି

masiha

କୋକସରା ପଞ୍ଚାୟତ ସମିତି ବୈଠକ, ବିକଶିତ ଓଡିଶା ବିକଶିତ ଗାଁ ଉନ୍ନୟନ ପ୍ରକଳ୍ପ ଉପରେ ଫୋକସ

masiha

ସାନପାଖଣା ଉପ୍ରା ବିଦ୍ୟାଳୟର ଉର୍ମିଳା ପାଢୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!