ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡା ତା ୩୧/୦୧/୨୦୨୪: ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ନିଜ ଅଭିଭାଷଣ ରେ କହିଥିଲେଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି । ଆଜି ଆମେ ଯେଉଁ କାର୍ଯ୍ୟ କରୁଛେ ତାହା ଆଗାମୀ ଦିନରେ ଜିଲ୍ଲା ପାଇଁ ସୁଫଳ ଆଣିଦେବ । ଗୋଟିଏ ବିଭାଗର କାମ ଅନ୍ୟ ବିଭାଗ ପ୍ରତି ପରୋକ୍ଷରେ ସହାୟକ ହେଉଛି ତେଣୁ ମିଳିତ ଭାବେ ଯୋଜନା କରି କାର୍ଯ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି । କିଶୋର କିଶୋରୀ ମାନଙ୍କୁ ଶିକ୍ଷା ଓ ସଚେତନତା କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ସଂବେଦନଶୀଳ ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଅଧିକ ଗୁରୁତ୍ଵ ଦେଲେ ଆମ ଜିଲ୍ଲାର ଅନେକ ଶିଶୁ ଉପକୃତ ହୋଇ ପାରିବେ ବୋଲି ଆଲୋଚନା ହୋଇଥିଲା ।  

ବିଶେଷ କରି ଗ୍ରାମ ପଂଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠି ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଚଳିତ ୩ ମାସରେ ଜିଲ୍ଲାରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପରିଡା ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଜି ପର୍ଯ୍ୟନ୍ତ ୧୩୪୫ ଟି ରାଜସ୍ୱ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯାଇଛି ବୋଲି କହିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ ।  

ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ନିଃଶେଷ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଏହା ସହିତ ଶିଶୁ ମାନଙ୍କ ପାଇଁ ବିକଳ୍ପ ଯତ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା- ସି ଆର ଏସ ଦ୍ଵାରା ମିଳିତ ଭାବେ ପ୍ରସ୍ତୁତ ପଞ୍ଚାୟତ ଓ ପୌରସଭାକୁ ମିଳୁଥିବା ଅନଟାଏଡ ଅନୁଦାନର ୫% ଯାହା ମହିଳା ଓ ଶିଶୁ ବିକାଶ ନିମନ୍ତେ ଉଦ୍ଦିଷ୍ଟ; ତାକୁ ଶିଶୁର ପାରିବାରିକ ଯତ୍ନ, ଶିକ୍ଷା, ସ୍ୱାସ୍ଥ୍ୟ, ବୃତ୍ତିଗତ ତାଲିମ ତଥା ଅନ୍ୟାନ୍ୟ ଆବଶ୍ୟକତା ନିମନ୍ତେ ଖର୍ଚ କରାଯାଇପାରିବ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡାକୁ ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ କୁମାର ନାୟକ ଏବଂ ସୁଶ୍ରୀ ସୁସ୍ମିତା ଭୋଇ ଉପସ୍ଥାପନ କରିଥିଲେ ଏବଂ ଏହା ଆଲୋଚନା କରାଯାଇ ଗୃହିତ କରଯାଇଥିଲା । 

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷା ବିଦୁଲତା ହୁଇକା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲାର ସମସ୍ତ ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତାପ କୁମାର ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

masiha

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

Sunil Chandra Nayak

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

Leave a Comment

error: Content is protected !!