ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

  ଭୁବନେଶ୍ୱର (ମସୀହା ବ୍ୟୁରୋ): ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ | ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଚର୍ଚ୍ଚିତ ଓ ପ୍ରିୟ ଭାଜନ ଥିଲେ |

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ପରିଚିତ କଣ୍ଠଶିଳ୍ପୀ ଥିଲେ । ନିଜ କଣ୍ଠର ଯାଦୁଗରିରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଥିଲା । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରେ ୧ ଅକ୍ଟୋବର ୧୯୬୦ରେ ଜନ୍ମ ହୋଇଥିଲେ ଶାନ୍ତିଲତା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତରେ ଆଚାର୍ଯ୍ୟ କରିଥିବା ଶାନ୍ତିଲତା ବିଶିଷ୍ଟ ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାସ, ମାର୍କଣ୍ଡେୟ ମହାପାତ୍ର, ସିଂହାରୀ ଶ୍ୟାମସୁନ୍ଦର କର, ଗୋପାଳ ପଣ୍ଡା ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା ନେଇଥିଲେ ।

‘ଶିଶୁ ସଂସାର’ ସିଧା ପ୍ରସାରଣରୁ ଆକାଶବାଣୀ ସହ ସଂପୃକ୍ତ ଏବଂ ପରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିଲେ। ୧୯୭୫ ମସିହାରେ ପ୍ରଥମ ଗ୍ରାମୋଫୋନ୍ ରେକର୍ଡ ‘ହେ ଚକାନୟନ’ ଓ ‘ମଲ୍ଲୀଫୁଲ ଗଜରାମାଳ’ ବାଳକୃଷ୍ଣ ଦାଶଙ୍କ ଦ୍ୱାରା ସ୍ୱରବଦ୍ଧ ହୋଇ ଇନ୍‌ରେକୋ କମ୍ପାନି ଦ୍ୱାରା ଗୃହୀତ ଓ ପ୍ରସାରିତ ହୋଇଥିଲା। ସବୁବେଳେ ପାରମ୍ପରିକ ଶୈଳୀରେ ଗାୟନକୁ ଗୁରୁତ୍ୱ ଦେଇଆସିଥିବା ଶାନ୍ତିଲତା ପଲ୍ଲୀ, ସୁଗମ, ଓଡ଼ିଶୀ ସଂଗୀତରେ ପ୍ରବୀଣା ହୋଇଥିଲେ ମଧ୍ୟ ‘ଭକ୍ତି ଗୀତ’ ଗାୟନରେ ସର୍ବାଧିକ ପ୍ରସିଦ୍ଧି ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟରେ ‘ବାସନ୍ତୀ ଅପା’ର ‘ମା ମଙ୍ଗଳା’ ଗୀତ ପୁରପଲ୍ଲୀରେ ବେଶ୍‌ ଆଦୃତ ହୋଇଥିଲା। ସଂଗୀତ ଅନୁଷ୍ଠାନ ‘ସ୍ୱର ତୀର୍ଥ’ର ପ୍ରତିଷ୍ଠାତ୍ରୀ ହେଉଛନ୍ତି ଶାନ୍ତିଲତା। ‘ହେ ଚକାନୟନ’, ‘ଭଜିଭଜି ତୋ ନାମ’, ‘ବାଲିରେଣୁ ମହାବନ୍ଧ ସୁଜନେ ହୋ’, ‘ଦେଖ ଉଡୁଛି ବାନା’, ଆଦି ତାଙ୍କର କେତୋଟି ଲୋକପ୍ରିୟ ଭଜନ। ଓଡ଼ିଶା ସଙ୍ଗୀତ ଏକାଡେମୀ ପକ୍ଷରୁ ୨୦୧୭ରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ସମ୍ମାନିତା ଓ ସମ୍ବର୍ଦ୍ଧିତା ଏବଂ ୨୦୨୩ ଫେବ୍ରୁଆରି ୧୩ରେ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ ଶାନ୍ତିଲତା ଛୋଟ ରାୟ l

Related posts

ୟୁ ଏ ଏସ୍ ଲାଗୁ ପ୍ରତିବାଦରେ ଶିକ୍ଷକଙ୍କ ବିରୋଧ

Sunil Chandra Nayak

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ  ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

Sunil Chandra Nayak

ଜବାହାର ନେହେରୁ ବିଦ୍ୟାଳୟ ପାଇଁ ପ୍ରବେଶ ପରୀକ୍ଷା 

masiha

Leave a Comment

error: Content is protected !!