ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମ କରୁଥିବାବେଳେ ସାତ ମହଲାରୁ ଖସିପଡିଲେ   ରାଜକୋଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଫେରିପାରୁନି ଶବ 

କାମ କରୁଥିବାବେଳେ ସାତ ମହଲାରୁ ଖସିପଡିଲେ  
ରାଜକୋଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଫେରିପାରୁନି ଶବ 

ଭବାନୀପାଟଣା,୨୭/୦୪(ମ ନି ସ)-ଏବେ ନିର୍ବାଚନର ଋତୁ ଚାଲିଥିବାବେଳେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଦଳ ହେଉ କି ବିଭିନ୍ନ ଦଳ ବିଭିନ୍ନ ପ୍ରାର୍ଥୀ ଲୋକଙ୍କ ପାଇଁ କରିଥିବା ଅନେକ ଯୋଜନା, ଅନେକ କାମ, ଅନେକ ସଫଳତା ସମ୍ପର୍କରେ ବଖାଣୁଛନ୍ତି। ଏହାସହିତ ଜନସାଧାରଣଙ୍କୁ ତାଙ୍କର ଭୋଟ ବଦଳରେ ଦେଖାଉଛନ୍ତି ଭଳି କି ଭଳି ବିକାଶର ସ୍ବପ୍ନ। କିନ୍ତୁ ଠିକ ସେହି ସମୟରେ ପେଟ ଚାଖଣ୍ଡକ ପୋଷିବାକୁ ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ଚିକିତ୍ସାଧୀନ ଭାବେ ଜୀବନ ହରାଉଛନ୍ତି।ଏଇ ଜୀବନ ଯିବା ସହିତ ହିଁ ସରକାର, ପ୍ରଶାସନ, ଶାସକ, ବିରୋଧୀ ସମସ୍ତଙ୍କ ଘୋଷଣା, ସମସ୍ତଙ୍କ ସ୍ବପ୍ନ ସତେ ଯେମିତି ଧୂଆଁ ହୋଇ ମିଳେଇଯାଉଛି। କେବଳ ସେତିକି ନୁହେଁ ଏଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଆମ ସମାଜର ସମସ୍ତଙ୍କ ମୁଖା ଖୋଲିଦେଉଛି। ଏପରି ଏକ ଦୁଃଖଦ ଘଟଣା ଆଜି ଆମ ଆଖିରେ ଆଙ୍ଗୁଠି ଗେଞ୍ଜି ଚେତାଇ ଦେଉଛି, ଆମେ ଆଜି କେତେ ଉନ୍ନତ, କେତେ ବିକଶିତ ? ଆମ ଯୋଜନା ସବୁ କେତେ ଫଳପ୍ରଦ ? ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗିଗିନା ଗ୍ରାମର ଜଣେ ଦାଦନ ଶ୍ରମିକ ଜଗଦୀଶ ନାଗଙ୍କ କ୍ଷେତ୍ରରେ। ଗାଁରେ କାମଧନ୍ଦା ଅଭାବରୁ ଜଗଦୀଶ ନିଜ ପରିବାର ସହିତ ଗୁଜରାଟର ରାଜକୋଟକୁ ଯାଇଥିଲେ। ତିନିବର୍ଷ ହେଲା ସେଠାରେ ପରିବାର ସହିତ କାମ କରୁଥିବାବେଳେ ଗତ ଗୁରୁବାର ୨୬ ତାରିଖ ଦିନ ୧୦ଟା ସମୟରେ ଏକ ନିର୍ମାଣାଧୀନ ବିଲଡିଂରେ କାମ କରୁଥିବାବେଳେ ପାଦ ଖସିଯିବାରୁ ସାତ ମହଲା ଉପରୁ ଖସି ପଡ଼ିଥିଲେ। ତାଙ୍କୁ ଅତ୍ୟନ୍ତ ଗୁରୁତର ଭାବେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜଗଦୀଶଙ୍କ ମୃତ୍ୟୁ ପରେ ପରିବାର ବର୍ଗ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପତ୍ନୀ ଜୟନ୍ତୀ ନାଗ ଧାରକରଜ କରି ଆମ୍ବୁଲାନ୍ସ ଯୋଗେ ଘରକୁ ଶବ ଆଣୁଥିବା ଖବର ମିଳିଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ପରିବାର ଉପରେ ସତେ ଯେମିତି ଦୁଃଖର ବିରାଟ ପାହାଡ଼ ଭାଙ୍ଗିପଡିଛି। ଏଇ ଅସହାୟ ପରିବାରକୁ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ଲାଞ୍ଜିଗଡ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

masiha

ବାଇକ ଧକ୍କାରେ ବୃଦ୍ଧ ମୃତ

masiha

Leave a Comment

error: Content is protected !!