ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରିଲା ପ୍ରଚାର; ମୟୂରଭଞ୍ଜ କାହାକୁ ଦେବ ଆଶୀର୍ବାଦ?

ସରିଲା ପ୍ରଚାର; ମୟୂରଭଞ୍ଜ କାହାକୁ ଦେବ ଆଶୀର୍ବାଦ?

ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲା। ଏଠାରେ – ବାଥୁଡି, ସାନ୍ତାଳ, ଭୁଇଆଁ, ଭୁମୀଜ କହ୍ଲ, ହୋ, ମୁଣ୍ଡା, ଖଡିଆ, ମାଙ୍କଡିଆ ପରି ୬୫ ପ୍ରକାର ଆଦିବାସୀ ବସବାସ କରନ୍ତି।

ସାଧାରଣ ନିର୍ବାଚନ ପାଇଁ ଆଜି ସରିଲା ହାଇଭୋଲ୍‌ଟେଜ୍‌ ପ୍ରଚାର। ଏଥର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ନେତା ମୟୂରଭଞ୍ଜରେ ପ୍ରଚାର କରିଛନ୍ତି। ଆଉ ଜିଲ୍ଲାରେ ବସବାସ କରୁଥିବା ୬୫ ପ୍ରକାର ଜନଜାତିର ଆଦିବାସୀଙ୍କୁ ଦେଇଛନ୍ତି ନାନା ପ୍ରତିଶ୍ରୁତି। ହେଲେ କେଉଁ ନେତାଙ୍କ ପ୍ରତିଶ୍ରୁତିକୁ ସତ ବୋଲି ମାନିବେ ଜିଲ୍ଲାରେ ବାସ କରୁଥିବା ଆଦିବାସୀ? ଆଉ କେଉଁ ରାଜନେତାଙ୍କୁ ଦେବେ ଆଶୀର୍ବାଦ? ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବାଥୁଡି, ସାନ୍ତାଳ, ଭୁଇଆଁ, ଭୁମୀଜ କହ୍ଲ, ହୋ, ମୁଣ୍ଡା, ଖଡିଆ, ମାଙ୍କଡିଆ ପରି ୬୫ ପ୍ରକାର ଆଦିବାସୀ ବସବାସ କରନ୍ତି। ଏହାଛଡ଼ା କୁଡୁମୀ ସହ ସାଧାରଣ ବର୍ଗ ପରି ଲୋକ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ସବୁଠାରୁ ବେଶୀ ଅଛନ୍ତି ସାନ୍ତାଳ ଭୋଟର୍। ଏମାନଙ୍କ ସଂଖ୍ୟା ପାଖାପାଖି ୮ ଲକ୍ଷ ହେବ। ତା’ ତଳକୁ ରହିଛି କୁଡୁମୀ। ଏମାନଙ୍କ ସଂଖ୍ୟା ପ୍ରାୟ ୭ ଲକ୍ଷ। ସେହିପରି ବାଥୁଡି ୫ ଲକ୍ଷ, ଭୁଇଆଁ ୪ ଲକ୍ଷ, ଭୁମୀଜ ଓ ମୁଣ୍ଡା ୩ ଲକ୍ଷ, ହୋ ସମ୍ପ୍ରଦାୟ ୩ ଲକ୍ଷ ଲୋକ ରହିଛନ୍ତି। ଏହାଛଡ଼ା ସାଧାରଣ ବର୍ଗର ଲୋକମାନେ ମଧ୍ୟ ବାସବାସ କରୁଛନ୍ତି।

ସେପଟେ ଦେଖିବାକୁ ଗଲେ ଚଳିତ ସାଧାରଣ ନିର୍ବାଚନରେ ୧୩ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ତେବେ ପ୍ରମୁଖ ୩ ସାଂସଦ ପ୍ରାର୍ଥୀ ଯଥା- ବିଜେପିରୁ ନବଚରଣ ମାଝୀ, ବିଜେଡିରୁ ସୁଦାମ ମାରାଣ୍ଡି ଓ ଜେଏମ୍‌ଏମ୍‌ର ଅଞ୍ଜନୀ ସୋରେନ ସାନ୍ତଳ ସମ୍ପ୍ରଦାୟର। ତେଣୁ ଗୋଟିଏ ସମ୍ପ୍ରଦାୟର ପ୍ରାର୍ଥୀ ୩ ଜଣ ଥିବାରୁ ସାନ୍ତଳ ଭୋଟ୍‌ ଭାଗ ଭାଗ ହେବ। ଏପରି ସ୍ଥିତିରେ ବାଥୁଡି, ଭୁଇଆଁ, ଭୁମୀଜ, ମୁଣ୍ଡା, ହୋ, କୁଡୁମୀ ଓ ସାଧାରଣ ବର୍ଗର ଭୋଟ୍‌ର ଯାହାକୁ ସମର୍ଥନ ଦେବେ ସିଏ ନିର୍ବାଚନରେ ବାଜିମାତ କରିବେ।

ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ୭ ଲକ୍ଷ କୁଡୁମୀ ଭୋଟ୍‌ ବିଜେଡି ଉପରେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି। ସେମାନେ ହୁଏତ ବିଜେଡିକୁ ଭୋଟ୍‌ ଦେଇନପାରନ୍ତି। କୁଡୁମୀନେତାଙ୍କ ଅଭିଯୋଗ ଅନୁସାରେ ୧୯୩୫ ମସିହାରେ ସରକାର କୁଡୁମୀ ଜନଜାତିକୁ କୌଣସି କାରଣ ନଥାଇ ଅନୁସୂଚିତ ଜାତି ତାଲିକାରୁ ବାଦ ଦେଇଥିଲେ। ଯାହା ଫଳରେ କୁଡୁମୀ ସମ୍ପ୍ରଦାୟର ଲୋକମାନେ ସରକାରଙ୍କ ସମସ୍ତ ସଂଗ୍ରକ୍ଷଣ ସୁବିଧାରୁ ବାଦ ପଡିଛନ୍ତି। ଯେଉଁଥିପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି। ୪୦ ବର୍ଷ ଭିତରେ ୯ରୁ ଅଧିକ କୁଡୁମୀ ସଂଗଠନ ତିଆରି ହୋଇସାରିଲାଣି। ସେମାନେ କୁଡୁମୀ ଜନଜାତିକୁ ଅନୁସୂଚିତ ଜାତିରେ ତାଲିକା ଭୁକ୍ତ କରିବା ପାଇଁ ଦାବି କରି ଆସୁଛନ୍ତି। ଦେଖିବାକୁ ଗଲେ କୁଡୁମୀକୁ ନ୍ୟାୟ ଦେବା ପାଇଁ କୁଡୁମୀ ମହାନ୍ତ ମହାସଭା, ଆଦିବାସୀ କୁଡୁମୀ ସମାଜ, କୁଡୁମାଲୀ କଲଚରାଲ୍‌ ଆସୋସେସନ୍‌, ଆଦିମ କୁଡୁମୀ ସମାଜ, କୁଡୁମୀ ଯୁବ ଛାତ୍ର ସଂଗଠନ, କୁଡୁମୀ ସେନା, ଓଡ଼ିଶା କୁଡୁମୀ ସେନା, କୁଡୁମୀ ଶିକ୍ଷକ ମଞ୍ଚ ଓ ଶିବାଜୀ ସାଂସ୍କୃତିକ ସଂଘ ପରି ଅନେକ ସଂଗଠନ ମୁଣ୍ଡ ଟେକିଛନ୍ତି। ଏମାନଙ୍କ ଭିତରୁ କିଛି ସଙ୍ଗଠନ ବିଜେପିକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଜେଏମ୍‌ଏମ୍‌କୁ ସମର୍ଥନ ଦେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଓ ୯ ବିଧାନସଭାକୁ ନିଜ ଅକ୍ତିଆରକୁ ନେବା ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକଦଳ ନନ୍‌ଷ୍ଟପ୍‌ ପ୍ରଚାର କରିଛନ୍ତି। ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ଅଶ୍ଵିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ ପ୍ରମୁଖ ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ଦେବା ପାଇଁ ଅପିଲ୍‌ କରିଛନ୍ତି। ସେପଟେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ ପ୍ରଚାର କରିଛନ୍ତି। ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମାରାଥନ ପ୍ରଚାର କରିଛନ୍ତି। ଆଜି ସନ୍ଧ୍ୟା ବେଳେ ପ୍ରଚାର ସରୁଛି। ଆସନ୍ତା ୧ ତାରିଖରେ ହେବ ମତଦାନ। ୪ ତାରିଖରେ ଦେଖିବାକୁ ମିଳିବ, କେଉଁ ଦଳକୁ ଆଶୀର୍ବାଦ ଦେଉଛନ୍ତି ମୟୂରଭଞ୍ଜ ଜନତା।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

masiha

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!