ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

ରାଉରକେଲା/ ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖୁଥିବା ଭଞ୍ଜଭଵନ ର ସ୍ଥିତି କୁ ନେଇ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି। ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ଦ୍ବାରା ପରିଚାଳିତ ଭଞ୍ଜ ଭବନ ପ୍ରେକ୍ଷାଳୟ ର ସ୍ଥିତି ଓ ସ୍ଥାୟୀତ୍ବ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଭଳି ସ୍ଥିତି ଉପୁଜିଛି । ଏଥିପାଇଁ ଆଜି ପୂର୍ବାହ୍ନରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ସାଧାରଣ ବୈଠକରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ଏହି ସମସ୍ୟା ସମ୍ପର୍କରେ ମତ ରଖିଥିଲେ। ଅତିଥି ଶ୍ରୀ ନାୟକ କହିଥିଲେ ଯେ ରାଉରକେଲା ର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ଉନ୍ନତିରେ ପାଠାଗାର ଓ ଭଞ୍ଜଭଵନ ର ଯଥେଷ୍ଟ ଅବଦାନ ରହିଛି। ସମ୍ପ୍ରତି ଦେଖାଦେଇଥିବା ସମସ୍ୟା ଏତେ ବଡ ନୁହେଁ। ଏହାର ସମାଧାନ ସମ୍ଭବ। ଏଥିପାଇଁ ମୁଁ ଆବଶ୍ୟକ ପଦକ୍ଷେପ ନେବି। ସେହିପରି ଅନ୍ୟତମ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ମୁଁ ଆପଣଙ୍କ ପରିବାର ର ଜଣେ ସଦସ୍ୟ ବୋଲି ଭାବନ୍ତୁ। ତେଣୁ ଏହି ସଂସ୍ଥା ପାଇଁ ଯାହା ଦରକାର ସେଥିପାଇଁ ପ୍ରୟୋଜନୀୟ ପଦକ୍ଷେପ ନେବି। ଏହି ଅବସରରେ ଉଭୟ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ୧୯୫୮ମସିହାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ସୃଷ୍ଟି ହୋଇଥିବା ଆଦର୍ଶ ପାଠାଗାର କୁ ଗତ ୦୭/୦୧/୧୯୭୪ ମସିହାରେ ସେକ୍ଟର ୫ଠାରେ ୩ଏକର ୧୯ ଡିସିମିଲ ଜମି ୩୦ବର୍ଷ ପାଇଁ ଲିଜ ଦିଆଯାଇଥିଲା। ୨୦୦୪ ମସିହାରେ ଆଦର୍ଶ ପାଠାଗାର ଲିଜ ନବୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଜମି ଆବଣ୍ଟନ ସମିତିକୁ ଆବେଦନ କରାଗଲା। ଇସ୍ପାତ କାରଖାନା ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଜମି ଆବଣ୍ଟନ ସମିତି ୨୦୧୦ ମସିହାରେ ୧ ଟଙ୍କା ପ୍ରିମିୟମ ବିନିମୟରେ ଆଗାମୀ ୩୩ବର୍ଷ ପାଇଁ ଲିଜ ନବୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲେ। ୨୦୧୧ ମସିହାରେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ଏକ ତ୍ରିପାକ୍ଷିକ ରାଜିନାମା ମାଧ୍ୟମରେ ଲିଜ ନବୀକରଣ କରିବା ପାଇଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ନିର୍ଦ୍ଦେଶନାମାକୁ ଉପେକ୍ଷା କରି କାରଖାନା କର୍ତ୍ତୃପକ୍ଷ ୬ଲକ୍ଷ ଟଙ୍କା ନବୀକରଣ ଦେୟ ଦାବି କଲେ। ତାହା ପର୍ଯ୍ୟାୟ କ୍ରମେ ବଢି ବଢି ୨୦୨୦ ମସିହାରେ ୭୦ଲକ୍ଷ ଟଙ୍କା ହେଲା। ତେବେ ପାଠାଗାର ତରଫରୁ କାରଖାନା କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ ଅନୁଯାୟୀ ୦୭/୦୧/୨୦୦୪ ମସିହାରୁ ୩୩ବର୍ଷ ପାଇଁ ୧ଟଙ୍କା ପ୍ରିମିୟମ ରେ ଲିଜ ନବୀକରଣ କରିବା ପାଇଁ ବାରମ୍ବାର ଅନୁରୋଧ କରାଗଲା। ପରବର୍ତ୍ତୀ ସମୟରେ ୦୨/୦୭/୨୦୨୦ ରେ ପାଠାଗାରର ବିଦ୍ୟୁତ ସଂଯୋଗ କାଟି ଦିଆଗଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଦ୍ୟୁତ ସଂଯୋଗ ନ ହେବାରୁ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନିଆଗଲା। ଅଦାଲତ ଙ୍କ ନିର୍ଦ୍ଦେଶ ବଳରେ ୨୦୨୦ ନଭେମ୍ବର ମାସରେ ପୁନଃ ବିଦ୍ୟୁତ ସଂଯୋଗ କରାଗଲା। ଶେଷରେ ଉକ୍ତ ଜମିରୁ ପାଠାଗାରକୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ସିଦ୍ଧାନ୍ତ ନିଆଗଲା ବୋଲି କୁହାଯାଉଛି। ଏଥିପାଇଁ ପାଠାଗାରକୁ ଏହି ଜମିରୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଇଷ୍ଟେଟ ଅଫିସର ପାଖରେ କେସ ଦାଖଲ କରିଥିଲେ। ଇଷ୍ଟେଟ ଅଫିସର ଏକତରଫା ଭାବେ ପାଠାଗାରକୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ଜାଗା ଖାଲି କରିବାକୁ ଆଦେଶ ଦେଲେ। ଏହି ଅନ୍ୟାୟ ଆଦେଶ ବିରୋଧରେ ପାଠାଗାର ମାନ୍ୟବର ଜିଲ୍ଲା ଜଜଙ୍କ ନିକଟରେ ଅପିଲ ଦାୟର କରିଥିଲା । ତେବେ ଏହି ଅପିଲ କୁ ଜିଲ୍ଲା ଜଜ୍ ଖାରଜ କରି ଆସନ୍ତା ଜୁନ୍ ୩୦ ସୁଦ୍ଧା ଉକ୍ତ ଜମିକୁ ଆରଏସପି କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ସେହି ଜମି ଉପରେ ଆଦର୍ଶ ପାଠାଗାର ଦ୍ବାରା ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗଢି ଉଠିଥିବା ବିଭିନ୍ନ ସୈ।ଧ ଯଥା ଭଞ୍ଜଭଵନ ପ୍ରେକ୍ଷାଳୟ, ଭଞ୍ଜ କଳା କେନ୍ଦ୍ର, ଆଦର୍ଶ ସାହିତ୍ୟ ଘର, ଆଦର୍ଶ ପାଠାଗାର ର କାର୍ଯ୍ୟାଳୟ ଓ ଲାଇବ୍ରେରୀ ସମ୍ପର୍କରେ କୈାଣସି ନିର୍ଦ୍ଦେଶନାମା ଇଷ୍ଟେଟ ଅଫିସର ବା ମାନ୍ୟବର ଜିଲ୍ଲା ଜଜ୍ ଙ୍କ ଦ୍ଵାରା ଆଦେଶରେ ଉଲ୍ଲେଖ କରାଯାଇନାହିଁ। ଏଣୁ ଏହି ଅସ୍ପଷ୍ଟ ରାୟ ବିରୁଦ୍ଧରେ ପାଠାଗାର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବା ଜଣା ପଡିଛି। ଏହି ସାଧାରଣ ବୈଠକରେ ଆରଏସପି କତ୍ତୃପକ୍ଷଙ୍କର ଓଡ଼ିଆ ଭାଷା ଓ ସଂସ୍କୃତି ବିରୋଧୀ ପଦକ୍ଷେପକୁ ଦୃଢ଼ ନିନ୍ଦା କରାଯାଇଛି। ସର୍ବୋପରି ଓଡ଼ିଆ ଅସ୍ମିତା ସହିତ ଖେଳନ୍ତୁ ନାହିଁ, ଅନ୍ୟଥା ଯେକୌଣସି ଅଭାବନୀୟ ପରିସ୍ଥିତି ପାଇଁ କର୍ତ୍ତୁପକ୍ଷ ଦାୟୀ ରହିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ପୁଣି ଏହି ବୈଠକରେ ଆରଏସପି କତ୍ତୃପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଅକ୍ଷୟ କୁମାର ସାମଲ, ଆଇନଜୀବୀ ବବିତା ମହାପାତ୍ର,ଶ୍ରୀମନ୍ତ ବେହେରା, ଗୋପିନାଥ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ, ଉପଦେଷ୍ଟା ଅଭୟ କୁମାର ଦାସ,କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ବାଉରୀବନ୍ଧୁ ସାହୁ, ଡ ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ରହି ମତ ରଖିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

ପୁରୀ ଚନ୍ଦ୍ରଭାଗା ରେ ଆନ୍ତର୍ଜାତିକ ବାଲୁକା କଳା ପଦର୍ଶନ କରି ଢେଙ୍କାନାଳ ପାଇଁ ଗର୍ବ ଆଣିଲେ ସରୋଜ

masiha

ପିକଅପ ଗାଡି ସହ ଧକ୍କା ହୋଇ ବାଇକ ଆରୋହି ଗୁରୁତର

Sunil Chandra Nayak

Leave a Comment

error: Content is protected !!