ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ

ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୦୩/୦୭(ମନିସ)-ବାଜା, ବାଣ ଓ ରୋଷଣୀରେ ଦୁଲୁକି ଉଠୁଥିଲା ସାରା ଗାଁ ଦାଣ୍ଡ । ଯେ କେହି ଦେଖିଲେ ଲାଗୁଥିଲା, ବରଯାତ୍ରୀ ଦଳ ଯାଉଛି ନତୁବା ଚାଲିଛି କୌଣସି ରାଜନେତା କିମ୍ବା ରାଜନୈତିକ ଦଳର ବିଜୟ ଶୋଭାଯାତ୍ରା । ଦୂରରୁ ସମସ୍ତେ ଏହା ହିଁ ଭାବୁଥିଲେ । କିନ୍ତୁ ପାଖରୁ ଦେଖିଲେ ସୁସଜ୍ଜିତ କାର ଛାତ ଉପରେ ଫୁଲମାଳ ସୁଶୋଭିତ ବ୍ୟକ୍ତି ଜଣକ ଥିଲେ ଜଣେ ଶିକ୍ଷକ । ଜଣେ ଆଦର୍ଶ ଶିକ୍ଷକ । ଯିଏ ଅବସର ନେଉଥିଲେ ଆଉ ତାଙ୍କ ସମ୍ମାନରେ ଶିକ୍ଷକ ସଂଘ, ତାଙ୍କ ସହକର୍ମୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ପ୍ରଥମେ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା, ପରେ ଚାରି କିଲୋମିଟର ବ୍ୟାପି ଶୋଭାଯାତ୍ରା ଓ ପରେପରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସମସ୍ତଙ୍କୁ ଅଭିଭୁତ କରିଥିଲା । ଏସବୁ ଦେଖିବା ଲୋକେ ଗୁରୁଶିଷ୍ୟର ମହନୀୟ ପରମ୍ପରା ଉଜ୍ଜୀବିତ ହେଉଥିବା ମର୍ମେ ମର୍ମେ ଅନୁଭବ କରୁଥିଲେ, ପ୍ରଶଂସାରେ ଶତମୁଖ ହୋଇପଡୁଥିଲେ । ଜଣେ ଶିକ୍ଷକଙ୍କ ପାଇଁ ସମର୍ପିତ ଏଭଳି ଏକ ନିଆରା ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା ଓ ପାଣିମୁଣ୍ଡାଠାରେ । ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ମଧୁପୁର ଝାରବନ୍ଧ ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଦୁଃଶାସନ ଦାସଙ୍କ ସମ୍ମାନରେ କଦମ୍ବଗୁଡା ପଞ୍ଚାୟତ କମ୍ୟୁନିଟି ହଲଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଯୋଗ ଦେଇଥିଲେ । ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ବ୍ଲକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଏମ୍‌. ସୁନ୍ଦରଶେଖର ପ୍ରମୁଖ ମଞ୍ଚାସୀନ ଥିଲେ । ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ତଥା ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସନ୍ଧ୍ୟାରେ ଗୋବର୍ଦ୍ଧନପୁରଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ତାଙ୍କୁ ଏକ ଖୋଲା ଛାତ ବିଶିଷ୍ଟ କାରରେ ତାଙ୍କ ଘର ପାଣିମୁଣ୍ଡା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ବାଜା, ବାଣ ଓ ରୋଷଣୀ ସହିତ ଶିକ୍ଷକ ସଂଘ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏହି ଭବ୍ୟ ଆୟୋଜନ ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରତି ଥିବା ଅମାପ ଭଲପାଇବାକୁ ଦର୍ଶାଉଥିଲା । ପାଣିମୁଣ୍ଡା ଗାଁରେ ତାଙ୍କୁ ଘରେଘରେ ବନ୍ଦାପନା ସହିତ ସ୍ୱାଗତ କରାଯିବା ପରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଉଚ୍ଛ୍ୱସିତ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଶିକ୍ଷକ ଶ୍ରୀ ଦାସ ସପତ୍ନୀକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ଲକ୍ଷ୍ମୀପ୍ରିୟା ମୁଦୁଲି, ଶିକ୍ଷାବିତ୍ ରାମଚନ୍ଦ୍ର ପରିଡା, ଲକ୍ଷ୍ମଣ ପରିଡା, ବରିଷ୍ଠ ନାଗରିକ ବିଶ୍ୱନାଥ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ପୁରାତନ ଛାତ୍ର ଜ୍ଞାନରଞ୍ଜନ ପରିଡା (ରାଜା), କୁମାର ଗୌରବ ପରିଡା, ମାନସ ରଞ୍ଜନ ପରିଡା, ଅମିଶ ରଞ୍ଜନ ପରିଡା, ଆଶିଷ ରଞ୍ଜନ ପରିଡା, ଶୁକଦେବ ଭୋଇ, ସସ୍ମିତା ପରିଡା, ଶୁଭସ୍ମିତା ପରିଡା, ଶୈଳେନ୍ଦ୍ର ପଧାନ, ତନୁ ବାଗଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର 

Sunil Chandra Nayak

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

masiha

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

Leave a Comment

error: Content is protected !!