“ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”
ଅସହ୍ୟ ଗ୍ରୀଷମ ଝାଞ୍ଜି ଖରାଟାରେ
ସହରର ପଥପ୍ରାନ୍ତେ,
ଦେଖିଲି ସହସା ଭୟଙ୍କର ଏକ
ଦୃଶ୍ୟ ଅତି ଭାରାକ୍ରାନ୍ତେ l (୧)
ପାଞ୍ଚଗୋଟି ଇଟା ମୁଣ୍ଡେଇ ଚାଲିଛି
କୁସୁମ କଳିକା ଜଣେ,
ଇଟା ବୋଝ ସହି ନ ପାରି ତା’ ଦେହ
ଥରୁଥିଲା ଗୋଟାପଣେ l (୨)
ଅସହ୍ୟ ତାତିରେ ସ୍ବେଦେ ତା’ କଅଁଳ
ଦେହ ଭିଜି ଯାଉଥିଲା,
ଭୋକିଲା ପେଟରେ ଦାନା ମୁଠେ ପାଇଁ
ଯନ୍ତ୍ରଣା ସେ ପାଉଥିଲା l (୩)
କଲମ ଖେଳଣା ଧରିବା ବୟସେ
କର୍ମେ ପୋଷୁଥିଲା ପେଟ,
କାର୍ଯ୍ୟେ ଅବହେଳା ହେଲେ ମାଲିକ ଠୁ
ଖାଉଥିଲା ପୁଣି ବେତ l (୪)
ବେତ ପାହାରର ଅସ୍ପଷ୍ଟ ଚିହ୍ନ ତା’
ଦେହୁ ହେଉଥିଲା ବାରି,
ଉଦ୍ଧାର ପାଇଁକି କ୍ଷୀଣ ସ୍ବରେ ମୋତେ
ଡାକୁଥିଲା ହାତ ଠାରି l (୫)
ମୋତେ ଦେଖି ତା’ର ପାଦ ଅଟକିଲା
କ୍ଷଣିକ ସମୟ ପାଇଁ,
ରୋକି ପାରିଲିନି ନିଜକୁ ମୁଁ ନିଜେ
ତା’ ପାଖକୁ ଗଲି ଧାଇଁ l (୬)
ତା’ ମଥା ଆଉଁସି ସ୍ନେହରେ କହିଲି
ତୁହି ଲୋ ଅମୂଲ ମୂଲ,
ସଂସାରର ତୁ ଯେ ସୁନ୍ଦର ସୃଷ୍ଟି ଲୋ
ସଦ୍ୟ ପ୍ରସ୍ଫୁଟିତ ଫୁଲ l (୭)
ସେହି ସଜଫୁଲ ମଉଳୁଛି ଆଜି
ପେଟ ଚାଖଣ୍ଡକ ପାଇଁ,
ତା’ ପରି ଦୁଃଖିନୀ ଅଭାଗିନୀ କେହି
ସଂସାରେ ନ ଥିବେ କାହିଁ l (୮)
ସ୍ବପ୍ନ ଭାଙ୍ଗୁଥାଏ ଥରକୁ ଥର ତା’
ଅଭିଳାଷା ମରୁଥାଏ,
ନୂଆ ଆଶା ନେଇ ପୁଣି ବଞ୍ଚିବାକୁ
ତା’ ହୃଦୟ ଥରୁଥାଏ l (୯)
ଆଖି ଦୁଇଟି ତା’ କହୁଥିଲେ ମୋତେ
ତା’ ଭଙ୍ଗା ହୃଦୟ କଥା,
ନୀରବେ ମୁଁ କିନ୍ତୁ ପଢ଼ି ପାରୁଥିଲି
ତା’ ମନର ସବୁ ବ୍ୟଥା l (୧୦)
ପାଠ ପଢ଼ି ବଡ଼ ମଣିଷ ହେବାର
ଆଖି ତା’ ଦେଖେ ସପନ,
ମୁକ୍ତାକାଶେ ଡେଣା ମେଳି ଉଡ଼ିବାକୁ
ଚାହୁଁଥାଏ ତା’ର ମନ l (୧୧)
କିନ୍ତୁ ସ୍ଥିତି ଆଜି ସାଜେ ବଇରୀ ତା’
ଭାଗ୍ୟ ହୁଏ ବାଟବଣା,
ଭବିଷ୍ୟ ତା’ ଅମାଅନ୍ଧାରେ ନିଖୋଜ
ପରିଚୟ ତା’ ଅଜଣା l (୧୨)
ତା’ ଭଙ୍ଗା ହୃଦୟ ଗୋଟେ ପରେ ଗୋଟେ
ପ୍ରଶ୍ନ ମୋତେ କରୁଥିଲା,
ସେ ପ୍ରଶ୍ନରେ ତା’ର ଅବ୍ୟକ୍ତ ଯନ୍ତ୍ରଣା
ଲହୁ ହୋଇ ଝରୁଥିଲା l (୧୩)
ସେ ଲହୁର ପ୍ରତି ବୁନ୍ଦା ଆଜି କହେ
ଧିକ୍ ରେ ଦଇବ ତୋତେ !
ସର୍ବ ସୁଖ ହରି ଶାନ୍ତିରେ ଥରୁ ଟେ
ବଞ୍ଚିବାକୁ ତୁ ଦେ’ ମୋତେ l (୧୪)
ହସି ହସାଇବି ମାଟି ମାଆକୁ ମୁଁ
ଏ ମାଟିର ସୁନା ଝିଅ,
ସୁନ୍ଦର ସୃଷ୍ଟିର ଫୁଲଟିଏ ମୁଁ ଯେ
ମୋତେ ଫୁଟିବାକୁ ଦିଅ l
ମୋତେ ଫୁଟିବାକୁ ଦିଅ l (୧୫)
ରାଧାମୋହନ ପୂଜାହାରୀ
ବୀରମହାରାଜପୁର
ସୁବର୍ଣ୍ଣପୁର