ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ: ରାଜ୍ୟପାଳ 

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ: ରାଜ୍ୟପାଳ 

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ । ଏନେଇ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିବେ । ଏହା ସହ ଚିଠି ମଧ୍ୟ ଲେଖିବେ ବୋଲି ସାମ୍ବାଦିକଙ୍କ ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟରୁ ପ୍ରକାଶ ପାଉଥିବା ସାପ୍ତାହିକ, ପାକ୍ଷିକ, ମାସିକ ସାମ୍ବାଦପତ୍ର (ଯାହା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଅନୁବନ୍ଧିତ) ଗୁଡ଼ିକର ସମସ୍ୟା ସମ୍ପର୍କରେ ଶୁକ୍ରବାର ରାଜଭବନରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟି ଦାବିପତ୍ର ଦିଆଯିବା ସହ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଚଳିତ ମାସ ୩୧ ତାରିଖରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମାର ଅବଧି ଶେଷ ହେଉଛି । ୨୦୧୮ ମସିହାରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି ।

ପ୍ରତିବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ନୂଆ କାର୍ଡ଼ ମିଳିଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ନବୀକରଣ ହୋଇନଥିବାରୁ ସମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଯୋଜନାରେ ବାପା ଓ ମାଆଙ୍କୁ ସାମିଲ୍ କରିବାକୁ ମଧ୍ୟ କୁହାଯାଇଛି । ଏହି ପ୍ରସଙ୍ଗକୁ ନେଇ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ବିଶଦ ଭାବେ ଅବଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ୱାସ୍ଥ୍ୟବୀମା ଦ୍ୱାରା ରାଜ୍ୟର ୮୭୧୭ଜଣ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି ।

ଏହା ବ୍ୟତୀତ ଜାନୁଆରୀ ୨୬ (ସାଧାରଣତନ୍ତ୍ର ଦିବସ), ଏପ୍ରିଲ୍ ୧ (ଉତ୍କଳ ଦିବସ), ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ) ଏବଂ ସମ୍ବାଦପତ୍ରର ବାର୍ଷିକ ଉତ୍ସବରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ବିଜ୍ଞାପନ ଦେବା, ଯେଉଁ ସମ୍ବାଦପତ୍ର ଗୁଡ଼ିକ କେନ୍ଦ୍ର ସରକାରଙ୍କ ସିବିସି (ପୂର୍ବରୁ ଡିଏଭିପି) ଦ୍ୱାରା ଅନୁମୋଦନ ହୋଇ ବିଜ୍ଞାପନର ମୂଲ୍ୟ ନିର୍ଦ୍ଧାରଣ ହୋଇଛି, ସେହି ସମ୍ବାଦପତ୍ର ଗୁଡ଼ିକୁ ତଦନୁଯାୟୀ ବିଜ୍ଞାପନ ମୂଲ୍ୟ ପ୍ରଦାନ କରିବା ଏବଂ ଯେଉଁ ସମ୍ବାଦପତ୍ରର ସମ୍ପାଦକମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରିଚୟ ପତ୍ର ପାଇଛନ୍ତି, ସେମାନଙ୍କୁ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ପ୍ରବେଶ ପାଇଁ ପ୍ରବେଶ ପତ୍ରର ବ୍ୟବସ୍ଥା କରିବା କରିବା ପାଇଁ ଦାବି କରିଥିଲେ । ଏଥିସହ ଯେଉଁ ସମ୍ପାଦକ ଓ ପ୍ରତିନିଧିମାନେ ଏପର୍ଯ୍ୟନ୍ତ ସରକାରୀ ଅଧିସ୍ୱୀକୃତି ପାଇନାହାଁନ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଦୀର୍ଘଦିନ ଧରି ପଡ଼ି ରହିଥିବା ସେମାନଙ୍କ ଆବେଦନ ପତ୍ରକୁ ତୁରନ୍ତ ବିଚାର କରିବା ଲାଗି ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକମାନେ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ।

ରାଜ୍ୟପାଳ ଶ୍ରୀ ଦାସ ସାମ୍ବାଦିକମାନଙ୍କର ଏହି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ:ଅନାଥ ଏବଂ ଏକକ ପିତାମାତା ଶିଶୁ ଙ୍କ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି 

masiha

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

Sunil Chandra Nayak

Leave a Comment

error: Content is protected !!