ତିନି କିଲୋମିଟର ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ
ନବରଙ୍ଗପୁର(ତା ୧୨/୧୨)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମ ଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି।ବିଶେଷ କରି ବର୍ଷା ଦିନ ମାନଙ୍କରେ ରାସ୍ତା ନଥିବା ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ।ଝରିଗାଁ ବ୍ଳକରେ ଦମନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ନନ୍ଦନଚୁଆ ଗ୍ରାମକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାହାରିଥିଲେ।ତେବେ ନନ୍ଦନଚୁଆ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ବାଇକ ଦୁଇଟି ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଯାଇ ସେଠାରେ ରହିଯାଇଥିଲା।ଶେଷରେ ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜୀବନ ସାନ୍ତା,ମତିଲାଲ ବାଗ, ଆଶାକର୍ମୀ ସୂର୍ଯ୍ୟମଣି ଗୌଡ଼ ଏବଂ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ହରିଜନ ପ୍ରମୁଖ ଭରକିଭଟା ଗ୍ରାମର ନୂଆପଡା ସାହି ଠାରୁ ପ୍ରାୟ ୩ କିଲୋମିଟର ଦୂର ଔଷଧ ବୋହି ପାଦଚଲା ପଥୁରିଆ ରାସ୍ତାରେ ପାହାଡ଼ ଏବଂ ଜଙ୍ଗଲ ରାସ୍ତା ଦେଇ ନନ୍ଦନଚୁଆ ଗ୍ରାମରେ ପହଞ୍ଚିଥିଲେ।ପରେ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଥିଲେ।ଗ୍ରାମର ୪୫ ଜଣ ଲୋକ ମାନଙ୍କ ର ରକ୍ତ ନମୁନା ପରୀକ୍ଷା କରିଥିଲେ।ତେବେ କୌଣସି ଲୋକଙ୍କ ନିକଟରେ ମ୍ୟାଲେରିଆ ବାହାରି ନଥିଲା।ସେହିପରି ୫ ଜଣ ଛୋଟ ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜଣେ ପ୍ରସୂତି ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ଦେଇଥିଲେ।ସେହିପରି ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ।ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ଟାଣି ଶୋଇବା ପାଇଁ ସଚେତନତା କରିଥିବା ବେଳେ ହିତାଧିକାରୀଙ୍କ ର ମଶାରୀ ନଷ୍ଟ ହୋଇ ଯାଇଥିବା କହିଥିଲେ।ସେହିପରି ତିନି ବର୍ଷ ତଳେ ବଣ୍ଟା ଯାଇଥିବା ମଶାରୀ ଗୁଡିକର ଔଷଧୀୟ ଗୁଣବତ୍ତା କମ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ତେଣୁ ଝରିଗାଁ ବ୍ଲକରେ ତୁରନ୍ତ ଔଷଧୀୟ ମଶାରୀ ବଣ୍ଟନ କରିବା ପାଇଁ ଦାବି ହୋଇଛି।ଶେଷରେ ସ୍ୱାସ୍ଥ୍ୟ କର୍ମଚାରୀ ପୁଣି ଥରେ ତିନି କିଲୋମିଟର ଦୂର ଚାଲି ଚାଲି ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଆସିବା ପରେ ଦୁଇଟି ବାଇକରେ ଫେରିଥିଲେ।
ଏଠାରେ ପ୍ରକାଶ ଯେ ନନ୍ଦନଚୁଆ ଗ୍ରାମ ଦୀର୍ଘ ବର୍ଷ ତଳେ ସ୍ଥାପନ ହୋଇଥିଲା।ଉକ୍ତ ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟର ୧୦ଟି ଆଦିବାସୀ ପରିବାର ରହୁଛନ୍ତି।ଏଠାରେ ବିଭିନ୍ନ କିସମର ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି।ତେବେ ନନ୍ଦନଚୁଆ ଗ୍ରାମକୁ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ତିନି କିଲୋମିଟର ପକ୍କା ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରାମବାସୀ ସବୁବେଳେ ସମସ୍ୟା ଭୋଗୁଛନ୍ତି।ବିଶେଷ କରି ଗ୍ରାମର ରୋଗୀ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ତିନି କିଲୋମିଟର ଦୂର ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଖଟିଆରେ କିମ୍ବା ଭାରରେ ବୋହି ଆଣିବା ପାଇଁ ପଡ଼ୁଥିବା ଜଣାପଡ଼ିଛି।ସେହିପରି ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ହେବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ନିୟମିତ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମସ୍ୟା ହେଉଥିବା ଜଣାପଡ଼ିଛି l ଏଣୁ ପ୍ରଶାସନ ର ସୁଦୃଷ୍ଟି ପଡି ସମସ୍ୟାର ସମାଧାନ ତୁରନ୍ତ କରାଗଲେ ଏଠାକାର ଗ୍ରାମବାସୀ ଉପକୃତ ହୋଇ ପାରନ୍ତେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

