ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଶିକ୍ଷକ ନିଯୁକ୍ତିରେ ସ୍କୁଲ ଅପଗ୍ରେଡେସନ୍

ବିନା ଶିକ୍ଷକ ନିଯୁକ୍ତିରେ ସ୍କୁଲ ଅପଗ୍ରେଡେସନ୍ 

୫ ବର୍ଷ ହେବ ନାହାନ୍ତି ଶିକ୍ଷକ,ଦଶମ ଫଳାଫଳକୁ ନେଇ ଆଶଙ୍କାରେ ଅଭିଭାବକ 

ନବରଙ୍ଗପୁର:(ତା ୧୨/୧୨)(ରବି ନାରାୟଣ ମହାନ୍ତି)-ବିନା ଶିକ୍ଷକ ନିଯୁକ୍ତିରେ ଝରିଗାଁ ବ୍ଲକର ୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦିଆଯାଇଛି। କିନ୍ତୁ ୫ବର୍ଷ ପରେ ମଧ୍ୟ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇନି। ଏଭଳି ପରିସ୍ଥିତିରେ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।

             ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ତାରାକନାଡି, ମଙ୍ଗରଚଚରା ଏବଂ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯-୨୦ ଶିକ୍ଷାବର୍ଷରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା। ଏହାପରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ଏହି ୩ଟି ବିଦ୍ୟା‌ଳୟରେ ନାମ ଲେଖାଇଥିଲେ। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ ଏହି ୩ଟି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କୁ ନିଯୁକ୍ତ କରାଯାଇନି। ତେଣୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଦୁଇ ମାସ ପରେ ମାଟ୍ରିକ ବୋର୍ଡ ପରୀକ୍ଷା ଥିବା ବେଳେ ତାରାକନାଡ଼ି ଉନ୍ନୀତ ଉଚ୍ଚବିଦ୍ୟାଳୟର ୪୨ ଜଣ, ମଙ୍ଗରଚଚରା ଉନ୍ନୀତ ଉଚ୍ଚବିଦ୍ୟାଳୟର ୪୭ ଜଣ ଏବଂ ଇଚ୍ଛାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୩୦ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି।

            ଏହି ୩ଟି ବିଦ୍ୟାଳୟକୁ ୨୦୨୩-୨୪ ଶିକ୍ଷାବର୍ଷରେ ୫-ଟି ମାନ୍ୟତା ଦିଆଯାଇଥିଲା। କିନ୍ତୁ ୫-ଟି ଅଧୀନସ୍ଥ ନୂତନ ବିଦ୍ୟାଳୟ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିଥିବାରୁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦୟନୀୟ ଅବସ୍ଥାରେ ପଢ଼ୁଛନ୍ତି। ତାରାକନାଡ଼ି ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୩୪୭ଜଣ ଛାତ୍ରଛାତ୍ରୀଙ୍କ ମଧୃରୁ ୯୦ ଜଣ ଛାତ୍ର ହଷ୍ଟେଲରେ ରହୁଛନ୍ତି। ବିଦ୍ୟାଳୟର ୮ଟି ଶ୍ରେଣୀଗୃହ ମଧ୍ୟରୁ ୨ଟି ଆଜବେଷ୍ଟସ୍‌ ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଅନ୍ୟ ୬ଟି ଶେଣୀଗୃହ ମଧ୍ୟରୁ ୩ଟି ଗୃହର ଝରକା ଭଙ୍ଗାରୁଜା ଅବସ୍ଥାରେ ରହିଛି। ଅନ୍ୟପଟେ ନୂତନ ହଷ୍ଟେଲ କୋଠା ନିର୍ମାଣ ପାଇଁ ମାସେ ତଳେ ପୁରୁଣା ହଷ୍ଟେଲକୁ ଭାଙ୍ଗି ଦିଆଯାଇଛି। ଫଳରେ ଦିନରେ ଶ୍ରେଣୀଗୃହରେ ପାଠପଢ଼ା ହେଉଥିବା ବେଳେ ରାତିରେ ହଷ୍ଟେଲ ଚାଲିଛି। ବିଦ୍ୟାଳୟର ୮ଟି ଶୌଚାଳୟ ମଧ୍ୟରୁ ୬ଟି ଭାଙ୍ଗି ଦିଆଯାଇଛି। ଫଳରେ ଦୁଇଟି ଶୌଚାଳୟ ଉପରେ ସମସ୍ତ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ବିଦ୍ୟାଳୟ ଚାରିପଟେ ପାଚେରି ନଥିବାରୁ ଛାତ୍ରଛାତ୍ରୀ ଅସୁରକ୍ଷିତ ମଣୁଛନ୍ତି। ସେହିପରି ମଙ୍ଗରାଚଚରା ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୧୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମାତ୍ର ୭ଟି ଶ୍ରେଣୀଗୃହ ରହିଛି। କିନ୍ତୁ ବର୍ଷାଦିନେ ୩ଟି ଶ୍ରେଣୀଗୃହ ଛାତରୁ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ପାଚେରି ନଥିବାରୁ ସମସ୍ୟା ହେଉଛି। ଇଚ୍ଛାପୁର ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୮୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ୪ଟି ଶ୍ରେଣୀଗୃହ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ସମୟରେ ସମସ୍ୟା ଦେଖାଦେଉଥିବା ବେଳେ ବିଦ୍ୟାଳୟ ଚାରିପଟେ ପାଚେରି ନିର୍ମାଣ ହୋଇନି। ତୁରନ୍ତ ଏହି ୩ଟି ବିଦ୍ୟାଳୟରେ ଚାଲିଥିବା ୫-ଟି କାମ ସଂପୂର୍ଣ୍ଣ କରିବା ସହିତ ଶିକ୍ଷକ ନିଯୁକ୍ତି ଓ ଅନ୍ୟ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃ୍ଷ୍ଟି ଦେବାକୁ ଦାବି ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

“From Ease of Doing Business to Ease of Living: Bishi Calls for Real Reform, Not Rhetoric”.

Sunil Chandra Nayak

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

masiha

Eminent Social Worker Er.Bimal Chandra Das Felicitated.

Sunil Chandra Nayak

Leave a Comment

error: Content is protected !!