ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି,ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ
ଢେଙ୍କାନାଳ( ମ ସୀ ହା ) ୩୦/୧୨_:ଚଳିତ ବର୍ଷର ୮୫ତମ ବିଦ୍ୟାଳୟ,ମହାବିଦ୍ୟାଳୟ ସଫଳ ପରିଦର୍ଶନ ଓ ଆବଶ୍ୟକ ମାର୍ଗଦର୍ଶନର ଅଂଶ ବିଶେଷ ଭାବରେ ନିକଟରେ ପ୍ରତିଷ୍ଠାତା ସେଣ୍ଟ୍ ଫ୍ରାନସିସ୍ ଜାଭିୟରଙ୍କ ସ୍ମୃତିରେ ଫିଷ୍ଟ ମାସ ପାଳନ ଅବସରରେ ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି, ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ/ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପ୍ରାର୍ଥନା ସଭାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସ୍ବତନ୍ତ୍ର ସିବିଆଇ ବିଚାରପତି ତଥା ଶିକ୍ଷାବିତ୍ ଭିକାରୀ ଚରଣ ରାଉତ ଯୋଗଦେଇ ଛାତ୍ରୀଛାତ୍ରମାନେ କଠିନ ପରିଶ୍ରମ କରି ବାପା ମାଆଙ୍କ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଗ୍ରହଣ ପରେ ଉପଯୁକ୍ତ କ୍ୟାରିୟର ବାଛିବା ଏବଂ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ପଥପ୍ରଦର୍ଶନ
କରିଥିଲେ। ବିଶେଷ କରି ଆଇନ୍ ପାଠ ପଢ଼ି କେଉଁ କେଉଁ ବୃତ୍ତିରେ ନିଯୁକ୍ତି ଲାଭ କରି ଜୀବନରେ ସଫଳ ମଣିଷ ପରି ମଣିଷ,କେବଳ ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ଆହ୍ବାନ ଦେଇଥିଲେ। ରାଷ୍ଟ୍ରପତି ସ୍କାଉଟ୍,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ନିଖିଳ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ଜିଲ୍ଲା ଶାଖା କୋଷାଧ୍ୟକ୍ଷ,ପ୍ରାକ୍ତନ ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡ଼େଟ୍ (ବାଳିକା ଓ ବାଳକ) ବିଭାଗ,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ସଂଯୋଜକ ମୋ ସ୍କୁଲ୍ ଅଭିଯାନ,ବିଦ୍ୟାଳୟ ପୋଷ୍ୟ କାର୍ଯ୍ୟକ୍ରମ,ଉତ୍କର୍ଷ ବିଦ୍ୟାଳୟ କେନ୍ଦ୍ର ଦାୟିତ୍ଵରେ ରହିବା ସହ ଦୀର୍ଘ ୩୬ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନ କରି ନିକଟରେ ଅବସର ଗ୍ରହଣ କରିଥିବା ଥିବା ବରିଷ୍ଠ ସହକାରୀ ଶିକ୍ଷକ,ବରିଷ୍ଠ ଶିକ୍ଷାବିତ୍, ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ଵୀୟ ଅଭିଭାଷଣରେ ନିଜ ଦୀର୍ଘ ନିରାମୟ ଓ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପରିପୂର୍ଣ୍ଣ ଘଟଣା ବହୁଳ ଜୀବନର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଛାତ୍ରୀଛାତ୍ରମାନଙ୍କୁ କ୍ୟାରିୟର ଗଠନ ଏବଂ ବୃତ୍ତିଗତ ସଫଳତାର ଗୁରୁତ୍ୱ ଉପରେ ପରାମର୍ଶ ଦେଇଥିଲେ। ଡା.ମିଶ୍ର କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଗୁଡ଼ିକରେ ଶିକ୍ଷା ଲାଭ କଲାପରେ କେଉଁ କେଉଁ ବୃତ୍ତି ପାଇଁ ନିଜକୁ କିପରି ସୁଦକ୍ଷ କରିପାରିବ ଓ ସେସବୁ କ୍ଷେତ୍ରରେ ସଫଳତା ଲାଭ କରିପାରିବ ସେ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅମଣିଷ ନହୋଇ ଆଦର୍ଶ ମଣିଷ ହୋଇ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଦୃଢ଼ ଆହ୍ବାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସହକାରୀ ବନ ସଂରକ୍ଷକ/ ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍ ଫରେଷ୍ଟ ତଥା ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଯୋଗଦାନ କରି ପୋଲିସ୍ ବିଭାଗ,ପ୍ରତିରକ୍ଷା ବିଭାଗ ଓ ଜଙ୍ଗଲ ବିଭାଗ ଗୁଡିକରେ ଥିବା ବିଭିନ୍ନ ପଦବୀ ଗୁଡ଼ିକ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସମସ୍ତ ଅତିଥିବୃନ୍ଦ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବିଭାଗ ଗୁଡ଼ିକରେ ଚାକିରୀ ପାଇବା ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ଓ ସ୍ଵାସ୍ଥ୍ୟଗତ ଶାରୀରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରମାନେ ନିଜକୁ କିପରି ପ୍ରସ୍ତୁତ କରିବା ଦରକାର ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ପାଣିଗ୍ରାହୀ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ,କାର୍ଯ୍ୟକ୍ରମର ସଫଳ ସଂଯୋଜନା କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଆମର ପ୍ରତିଷ୍ଠାତା ସେଣ୍ଟ୍ ଫ୍ରାନ୍ ସିସ୍ ଜାଭିୟରଙ୍କ ଜୀବନୀ ଓ ମାର୍ଗଦର୍ଶନ ସ୍ମୃତିରେ ତଥା ଫିଷ୍ଟ ମାସ ପାଳନ ଅବସରରେ ଆଜିର ମାସ ପ୍ରାର୍ଥନା,ଆଶୀର୍ବାଦ ଏବଂ ଏକତ୍ଵବୋଧର ସମ୍ମିଳିତ ପରିପ୍ରକାଶ ବୋଲି ଦୃଢ଼ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରାୟ ୨୩୦୦ ଛାତ୍ରୀ ଛାତ୍ର,ପ୍ରାୟ ୧୦୭ ଜଣ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

