କପାସୁଦା ଗ୍ରାମରେ ଘର ଭୁଷୁଡ଼ି ଆଈ-ନାତିଙ୍କ ମୃତ୍ୟୁ: ଶୋକସନ୍ତପ୍ତ ପରିବାରକୁ ଭେଟିଲା ଜଳେଶ୍ୱର ବ୍ଲକ କଂଗ୍ରେସ
ଜଳେଶ୍ଵର,୧୯/୮(ମନିସ)-ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସୁଦା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଘଟିଥିବା ମର୍ମନ୍ତୁଦ ଘଟଣାରେ ଆଈ ଓ ନାତିଙ୍କ ଅକାଳ ବିୟୋଗ ଘଟିଥିବା ଖବର ପାଇ ଜଳେଶ୍ୱର ବ୍ଲକ କଂଗ୍ରେସ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଯାଇଛି।ପ୍ରବଳ ବର୍ଷାରେ ପଡ଼ୋଶୀ ଗଙ୍ଗାଧର ଜେନାଙ୍କ ଦୁଇ ମହଲା ବିଶିଷ୍ଟ ମାଟି ଘର ଭୁଷୁଡ଼ି କାହ୍ନୁ ଚରଣ ଜେନାଙ୍କ ଘର ଉପରେ ପଡ଼ିବାରୁ ଏହି ଦୁଃଖଦ ଅଘଟଣ ଘଟିଥିଲା। ଏଥିରେ ଆଈ ଓ ନାତିଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ଗଭୀର ଭାବେ ମର୍ମାହତ କରିଛି।ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଏବଂ ବାଲେଶ୍ୱରର ଯୁବ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସହଯୋଗରେ ପୀଡ଼ିତ ପରିବାର ନିକଟରେ ଆବଶ୍ୟକୀୟ ସହାୟତା ପହଞ୍ଚାଯାଇଥିଲା। ଦୁଃଖଦ ସମୟରେ ପୀଡ଼ିତ ପରିବାର ସହିତ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭାବେ ଛିଡ଼ା ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।ଜଳେଶ୍ୱର ବ୍ଲକ କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ରାଜୀବ କୁମାର ପରିଡ଼ାଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ପରିବାରବର୍ଗଙ୍କ ଦୁଃଖରେ ନିଜକୁ ସାମିଲ କରିବା ସହ ଏହି ଅପୂରଣୀୟ କ୍ଷତି ସମୟରେ ପରିବାରକୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ କଂଗ୍ରେସ ପକ୍ଷରୁ ଆଶ୍ୱାସନ ଦିଆଯାଇଥିଲା।ଏଥିସହ ପୀଡ଼ିତ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଓ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରିବା ସହ ପରିବାରର ଥଇଥାନ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଜଳେଶ୍ୱର ବ୍ଲକ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜୀବ କୁମାର ପରିଡ଼ା, ଖଗେନ୍ଦ୍ର ସାମଲ, ସପନ କୁମାର ଜେନା, ସରୋଜ ରାଉତ, ସପନ ରାଉତ, ଅଙ୍କିତ ପରିଡ଼ା, ରବୀନ୍ଦ୍ର ଜେନା, ସଞ୍ଜୀବ ପ୍ରଧାନ, ସୁନୀଲ ନାୟକ, ବୈକୁଣ୍ଠ ଚାନ୍ଦ, କ୍ଷୀତିଶ ବେହେରାଙ୍କ ସମେତ ଅନ୍ୟାନ୍ୟ ଜଳେଶ୍ୱର ବ୍ଲକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

