ନୀଳଗିରି ମହିଳା ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର
ରାଉରକେଲା: ସାରଳା ଦାସ ଓଡ଼ିଆର ଆଦିକବି । ମହାଭାରତ ତାଙ୍କ ମୁଖ୍ୟ ରଚନା । ସାରଳା ଦାସ କବିଭାବେ ଏବଂ ତାଙ୍କ କୃତିଗୁଡ଼ିକ ପାଠଭାବେ ଓଡ଼ିଆ ଭାଷା ପାଇଁ ଯେତେ ସମ୍ମାନଜନକ, ପୂଜ୍ୟ ଓ ଯେତେ ପ୍ରକାର ବିଚାର ଆଲୋଚନା ବିଷୟ ହୋଇପାରେ, ଓଡ଼ିଆ ଜାତି ତାହାର ଏକମାଂଶ କରିପାରିନାହିଁ ବୋଲି ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଓ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ
ଆୟୋଜିତ ଜାତୀୟ ପାଠଚକ୍ର ଅବସରରେ ଆଲୋଚକଗଣ ମତବ୍ୟକ୍ତ କରିଛନ୍ତି । ଉକ୍ତ ଉତ୍ସବର ଉଦଘାଟନୀ ପର୍ବରେ ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାରର ସଭାପତି ପ୍ରାବନ୍ଧିକ ଶିକ୍ଷାବିତ୍ ଦୟାନିଧି ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରଥମ ଅଧିବେଶନରେ ଉଦଘାଟକ ଭାବରେ ନୀଳଗିରିର ବିଧାୟକ ସନ୍ତୋଷ କୁମାର ଖଟୁଆ, ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, ମୁଖ୍ୟବକ୍ତା ଭାବେ କବି କାଳୀପଦ ପଣ୍ଡା, ସମ୍ମାନୀତ ଅତିଥି ଭାବେ ନୀଳଗିରି କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ, ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଦୀପ୍ତିକାନ୍ତ ମହାପାତ୍ର, ଭିତ୍ତି ପ୍ରବନ୍ଧ ପାଠକ ଭାବେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଶିବାନୀ ଡଗର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଉକ୍ତ ଅଧିବେଶନରେ ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାରର ସମ୍ପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବାବା ପଞ୍ଚଲିଙ୍ଗେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅକ୍ଷୟ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ନୀଳଗିରି ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଦୀପ୍ତିକାନ୍ତ ମହାପାତ୍ରଙ୍କୁ ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ଦ୍ବିତୀୟ ମୌଳିକ ପୁସ୍ତକ ” ସାରାଂଶ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଠିକ୍ ସେହିପରି ଭାବରେ ଦ୍ବିତୀୟ ଅଧିବେଶନ ବିଷୟ ବିଶେଷଜ୍ଞ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବରେ ଦ୍ବିତୀୟ ଅଧିବେଶନରେ ରେଭେନସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗିରିଶ ଚନ୍ଦ୍ର ମିଶ୍ର ସଭାପତିତ୍ବରେ ବିଷୟ ବିଶେଷଜ୍ଞ ଭାବରେ ଓଡ଼ିଶାର ଭାଷାବିତ୍ ପ୍ରଫେସର ନଟବର ଶତପଥୀ, ବିଶିଷ୍ଟ ସମାଲୋଚକ ପ୍ରଫେସର ବାବାଜୀଚରଣ ପଟ୍ଟନାୟକ,ଉତ୍ତରଓଡ଼ିଶା ବିଶ୍ବବିଦ୍ୟାଳୟ ର ଧୂରୀଣ ସମାଲୋଚକ ପ୍ରଫେସର ବବ୍ରୁବାହନ ମହାପାତ୍ର, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ତଥା ଓଡ଼ିଶାର ତରୁଣ ତତ୍ତ୍ୱଦର୍ଶୀ ସମାଲୋଚକ ପ୍ରଫେସର ସନ୍ତୋଷ କୁମାର ନାୟକ ସାରଳା ସାହିତ୍ୟ ଉପରେ ନିଜନିଜ ଗବେଷଣାର ବଳିଷ୍ଠ ଦିଗକୁ ଆଲୋଚନା କରିଥିବାବେଳେ ଅଧ୍ୟାପକ ଡ. ଚିତ୍ତରଞ୍ଜନ କୁଣ୍ଡୁ ଓ ଅଧ୍ୟାପିକା ଡ. ମୋନାଲିସା ଚାନ୍ଦ ପ୍ରବନ୍ଧ ପାଠ କରିଥିଲେ । ସମ୍ପାଦକ ଡ. ମିଶ୍ର ମଞ୍ଚଆହ୍ବାନ କରିଥିବାବେଳେ ରେମୁଣା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ତ୍ରିଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜଣାଇଥିଲେ । ଦ୍ୱିତୀୟ ତଥା ଅନ୍ତିମ ଅଧିବେଶନରେ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ସ୍ନାତକଶ୍ରେଣୀ ଓଡ଼ିଆ ବିଭାଗ ପାଠ୍ୟନ୍ତର୍ଗତ ସମ୍ପାଦିତ ପୁସ୍ତକ ” ଭାଷା – ସାହିତ୍ୟ ସ୍ୱରୂପ ଓ ପ୍ରରୂପ” ଓ ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ବାରା ସଂକଳିତ ଉପନ୍ୟାସ ଆଲୋଚନା ବିଶେଷାଙ୍କ ” ସ୍ଵର୍ଣ୍ଣଚୂଡ଼” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।ଏହି ଅବସରରେ ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ବାରା ପ୍ରତ୍ୟେହ ଆଭାସୀ ମଞ୍ଚର ଆଲୋଚନାକୁ ନିରଙ୍କୁଶ ଭାବେ ସମ୍ବାଦ ପରିବେଷଣ କରୁଥିବା ସାମ୍ୱାଦିକ ସମରେନ୍ଦ୍ର ବାରିକ ଓ ରତିନାରାୟଣ ପରିଡ଼ା, ବ୍ୟାନର ଦାୟିତ୍ବ ନିର୍ବାହ କରିଥିବା ଡିଜାଇନର ପ୍ରଦୀପ କୁମାର ଶତପଥୀଙ୍କୁ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜାତୀୟ ପାଠଚକ୍ରରେ ସମଗ୍ର ଓଡ଼ିଶାର ଶତାଧିକ କୃତବିଦ୍ୟ ଗବେଷକ ଗବେଷିକା, ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି ଏପରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

