୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ
ରାଉରକେଲା : ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସରକାର, ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ତଥା ବିଶ୍ରା ବ୍ଲକ ଗୋଷ୍ଠୀ ଉନ୍ନୟନ ଆନୁକୂଲ୍ୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି।ବର୍ତ୍ତମାନର ପ୍ରବାସୀ ଭାରତୀୟ ପିଢ଼ି ଙ୍କୁ ଭାରତର ପ୍ରାଚୀନ ଲୋକକଳା, ଲୋକସଙ୍ଗୀତ ଓ ଲୋକନୃତ୍ୟ ସହ ଯୋଡ଼ିବା ସହ ଗୈାରବମୟ ଐତିହ୍ୟ ସମ୍ଵନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ ପାଇଁ ଏହି ନିଆରା
ପରିକଳ୍ପନା ବେଶ୍ ପ୍ରଶଂସନୀୟ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଅତିଥି ମାନେ ମତପ୍ରକାଶ କରିଥିଲେ। ସେମାନଙ୍କ ପାଇଁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠି ସୁଦୃଢ ହେଵା ସହ ଭାରତ ଆଜି ପଞ୍ଚମ ବୃହତ ଅର୍ଥନୈତିକ ରାଷ୍ଟ୍ର ଭାବେ ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ସେମାନଙ୍କ ଯୋଗୁଁ ବିଦେଶରେ ଭାରତୀୟ ପର୍ବପର୍ବାଣୀ ଓ ଜୀବନ ଶୈଳୀ ବେଶ୍ ଆଦୃତ ହୋଇ ପାରିଛି। ତେଣୁ ନିଃସନ୍ଦେହରେ ବିଦେଶରେ ବସବାସ କରୁଥିଵା ପ୍ରତ୍ୟେକ ପ୍ରବାସୀ ଭାରତୀୟ ଭାରତର ଜଣେ ଜଣେ ରାଜଦୂତ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମତ ପ୍ରକାଶ ପାଇଥିଲା । ୨୦୦୩ ମସିହା ଠାରୁ ପ୍ରତିବର୍ଷ ଜାନୁଆରୀ ମାସ ୦୯ ତାରିଖ ଦିନ ଭାରତ ସରକାରଙ୍କର ପ୍ରୟାସ ରେ ବିଭିନ୍ନ ପ୍ରଦେଶ ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ହର୍ଷୋଉଲ୍ଲାସ ର ସହ ପାଳନ ହୋଇ ଆସୁଥିଲା ବେଳେ ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଭୁବନେଶ୍ୱର ସ୍ଥିତ ଜନତା ମୈଦାନ ଠାରେ ଆସନ୍ତା ୮ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ କୁ ଏକ ଉତ୍ସବ ଭାବେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ରା ବ୍ଳକ ଆନୁକୂଲ୍ୟରେ ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ମାର୍ଗଦର୍ଶନ ରେ ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସିଂ ଭକ୍ତି ସଙ୍ଗୀତ ଗାନ କରିଥିଲେ। ଵିଦ୍ଯାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମାଧୁରୀ କେରକେଟା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହ ରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଗଣଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀ ସତ୍ୟଭାମା ବେହେରା, ସୋନା ପର୍ବତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁପ୍ରଭାତ ବେହେରା, ଶିକ୍ଷାବିତ ତଥା ପ୍ରାକ୍ତନ ସହକାରୀ ଗୋଷ୍ଠୀ ଉନ୍ନୟନ ଶିକ୍ଷାଧିକାରୀ କୁଞ୍ଜବିହାରୀ ରାଉତ, ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ବେହୁରିଆ ପ୍ରମୁଖ ଯୋଗଦେଇଥିଲେ।
ମୁଖ୍ୟଅତିଥି ଶ୍ରୀ ପ୍ରଧାନ ନିଜର ପ୍ରାରମ୍ଭିକ ଅଭିଭାଷଣ ରେ ସଭିଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଵା ସହ ପ୍ରବାସୀ ଭାରତୀୟ ଦିବସ ସମାରୋହ ର ଆଭିମୁଖ୍ୟ ସମ୍ଵନ୍ଧରେ ଵିଦ୍ଯାର୍ଥୀ ମାନଙ୍କୁ ଉଦବୋଧନ ଦେଇ ଏହା ମାଧ୍ୟମରେ ଏଵଂ ଅଗଣିତ ପ୍ରବାସୀ ଭାରତୀୟ କିଭଳି ଭାରତୀୟ ସଭ୍ୟତା ଓ ସଂସ୍କୃତି ଓ ଚିନ୍ତନ ଓ ଦର୍ଶନ କୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ରେ ସୁଦୃଢ଼ ସେତୁ ଭଳି କାର୍ଯ୍ଯ କରୁଛନ୍ତି,ସେ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥି ବୃନ୍ଦ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିବା ପରେ ଏକ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଓ ଚିତ୍ରକଳା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା ଓ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଭା ଚୟନ କରାଯାଇଥିଲା। ଶେଷରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

