ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର, ନ୍ଯାୟ ପାଇବାରୁ ବଞ୍ଚିତ ଜନସାଧାରଣ
ଖଇରା,୧୦/୦୨/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ କି ପୂର୍ବରୁ ୩ ଥର ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇ ଥିଲେ ମଧ୍ଯ ଜିଲ୍ଲାପାଳ ଉପସ୍ଥିତ ରହୁ ନ ଥିବାରୁ ୩୭ ପଞ୍ଚାୟତର ଭିନ୍ନକ୍ଷମ, ଅସହାୟ, ମଧୁବାବୁ ପେନସନ, ବିକଳାଙ୍ଗ ଭତ୍ତା, ରାସ୍ତାଘାଟ, ଜଳସେଚନ, ବିଦ୍ୟୁତ ଲାଇନ୍ ସଂଯୋଗ, ପ୍ରାଣୀପାଳନ, ମେଡିକାଲ, ଚୋରାରେ ମଦଦୋକାନ, ଖୋଲା ମଦ ବିକ୍ରି ଇତ୍ୟାଦି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆସୁଥିବା ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ ନପାଇ ନିରାଶରେ ଫେରୁଥିବା ନଜିର ଅଛି । ବିଶେଷ କରି ଖଇରା ପଞ୍ଚାୟତ ଆଳଦା ଗ୍ରାମର ଏକ ଜମି ଚିହ୍ନଟ ପାଇଁ ଖଇରା ତହସିଲ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅନିରୁଦ୍ଧ ସାହୁ ଜମି ଚିହ୍ନଟ ପାଇଁ ୨ଟି ପ୍ଲଟକୁ ୨ ହଜାର ଟଙ୍କା ବେସରକାରୀ ଭାବେ ମାଗୁଥିବାର କମଳାକାନ୍ତ ଦାସ ଓ ବିନୋଦ ଦାସ ଶିବିରରେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ଏବିଷୟରେ ଅଭିଯୋଗକାରୀ ମଧ୍ୟ ତହସିଲଦାର, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ହେଲେ ତଦନ୍ତ କିମ୍ବା ମାପ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ପୁନର୍ବାର ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଖଇରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଖଇରାରେ କେବେ ଏକ ଚାଇଲ୍ଡ ହେଲ୍ପ ଲାଇନ ଖୋଲା ଯିବ ବୋଲି ଅଭିଯୋଗ ଆଣିଥିଲେ ବସନ୍ତ କୁମାର ସାହୁ । ଅନ୍ୟ ଏକ ଅଭିଯୋଗରେ ବିଧବା ଭତ୍ତା, ମଧୁବାବୁ ପେନସନ ଭତ୍ତା, ବିକଳାଙ୍ଗ ଭତ୍ତା, ଖଇରା ବ୍ଲକରେ ବହୁ ଦିନ ଧରି ପଡି ରହିବା ଅଭିଯୋଗ ଶିବିର ପ୍ରାରମ୍ଭରୁ ହିଁ ଆରମ୍ଭ ହୋଇଥିଲା । ସାରୁକୋଣା ପଞ୍ଚାୟତର ନିଶାକର ଦାସଙ୍କୁ ୮୮ ବର୍ଷ ବୟସ ହେଲାଣି ଅଥଚ ଏପର୍ଯ୍ୟନ୍ତ କୌଣସି ଭତ୍ତା ପାଇ ନାହାଁନ୍ତି ବୋଲି ତାଙ୍କର ସମ୍ପର୍କୀୟ ରମାକାନ୍ତ ଦାସ ଅଭିଯୋଗ କରିଥିଲେ । ନିଶାକର ଦାସ ଜଣେ ବୃଦ୍ଧ ବରିଷ୍ଠ ନାଗରିକ ଏବଂ ପକ୍ଷପାତ ରୋଗରେ ପୀଡିତ ଥିବାରୁ ସେ ବ୍ଲକ ପ୍ରସାଶନିକ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇ ପାରୁ ନଥିବାରୁ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ କରିଥିଲେ । ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଜିତ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ପୂର୍ବରୁ ଲିଖିତ ଅଭିଯୋଗ କଲା ପରେ ଅଭିଯୋଗକୁ ତୁରନ୍ତ ତଦନ୍ତ କରି ଶ୍ରୀ ଦାସଙ୍କୁ ମଧୁବାବୁ ପେନସନ ଭତ୍ତା ମାସିକ ୩୫୦୦ ଟଙ୍କା ଦେବାପାଇଁ ମୁଖ୍ୟମନ୍ତ୍ରୀ ଦପ୍ତର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିଲା ପରି ଜଣାପଡୁଛି । ସେହିଭଳି ବିଧବା ଭତ୍ତା, ମଧୁବାବୁ ପେନସନ ଭତ୍ତା ଓ ବିକଳାଙ୍ଗ ଭତ୍ତା ବହୁ ଦିନରୁ ବ୍ଲକ କାର୍ଯ୍ୟାଳୟରୁ ବାଲେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ମଞ୍ଜୁର ନିମନ୍ତେ ପଠା ଯାଉନାହିଁ ବୋଲି ବହୁ ହିତାଧିକାରୀ ଲିଖିତ ଅଭିଯୋଗ କରିଥିଲେ । ସେହିପରି ଖଇରା ବରିଷ୍ଠ ନାଗରିକ ମଞ୍ଚର ଆବାହକ ଓ ସଭ୍ୟ ଅଭିରାମ ମହାପାତ୍ର, ପଦ୍ମଲୋଚନ ଦାଶ, ଅନାମ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖଇରାରେ ଏନଏସି ଏବଂ ସବ୍ ଟ୍ରେଜେରୀ ସ୍ଥାପନ ପାଇଁ ପୂର୍ବରୁ ଦାଖଲ ହୋଇଥିବା ସମସ୍ତ କାଗଜପତ୍ର ବାଲେଶ୍ଵର ଜିଲ୍ଲା କାର୍ଯ୍ୟାଳୟରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟକୁ ତୁରନ୍ତ ପଠାଯିବା ପାଇଁ ଲିଖିତ ଅଭିଯୋଗ କରିଥିଲେ । ସେହିପରି ବ୍ଲକ ପରିସରରେ ହେବାକୁ ଥିବା କୋର୍ଟ ଆରମ୍ଭ ପାଇଁ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । କୋର୍ଟ ହେବା ଘରେ ବ୍ଲକ କର୍ମଚାରୀ ମାନଙ୍କ କାର୍ଯ୍ୟାଳୟ ଚାଲୁଥିବାରୁ ତୁରନ୍ତ ଖାଲି କରିବା ପାଇଁ ଜିଲ୍ଲା ଅଦାଲତରୁ କିଛି ଦିନ ପୂର୍ବେ ଆସିଥିବା ରେଜିଷ୍ଟ୍ରାର ଓ ତହସିଲ କର୍ମଚାରୀ ସ୍ଥାୟୀ କୋର୍ଟ ହେବା ସ୍ଥାନ ପରିଦର୍ଶନ କରି ଫେରିବା ପରେ ବ୍ଲକ ପରିସରରେ ଅସ୍ଥାୟୀ ଭାବେ କୋର୍ଟ ଖୋଲାଯିବ ବୋଲି ରେଜିଷ୍ଟ୍ରାର ଖଇରା ବ୍ଲକ ବିଡ଼ିଓଙ୍କୁ ତାଗିତ କରି ୭ ଦିନ ଭିତରେ ଘର ଖାଲି କରିବାକୁ କହିଥିଲେ । ପରେ ବିଡ଼ିଓ ତଥା ତହସିଲଦାର ଜିତେନ୍ଦ୍ର ମୁର୍ମୁଙ୍କ ଆଦେଶ ପରେ ସମସ୍ତ କାଗଜପତ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ଥିବାର ଜଣାଯାଏ । ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଏସପି ରାଜ ପ୍ରସାଦ, ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଭାରପ୍ରାପ୍ତ ବିଡ଼ିଓ ଜିତେନ୍ଦ୍ର ମୁର୍ମୁ, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ, ନିର୍ବାହୀ ଅତିରିକ୍ତ ଯନ୍ତ୍ରୀ ଉତ୍ତମ କୁମାର ସାହୁ, ସିଡିଏମଓ ଡାକ୍ତର ଗୋପିନାଥ ପରିଡା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବେନ୍ଦ୍ର ସୁଲାନିକ ଏବଂ ବ୍ଲକ କର୍ମଚାରୀ ମାନେ ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

