ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ଓ ବିଶ୍ୱନାଟ୍ୟ ଦିବସ ପାଳିତ 

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ଓ ବିଶ୍ୱନାଟ୍ୟ ଦିବସ ପାଳିତ 

ରାଉରକେଲା : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ  ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ଆଜି ବିଶ୍ୱନାଟ୍ୟ ଦିବସ । ‘ସଂପର୍କ’ ଓ ‘ଏକତ୍ର’ ମିଳିତ ଭାବେ ଏହି ଦିବସଟିକୁ ମହାସମାରୋହରେ ପାଳନ କରିଛନ୍ତି । ରାଉରକେଲାର ଶତାଧିକ କଳାକାର ବିହାର ପାଟନା ପ୍ରାଙ୍ଗଣର କଳାକାରଙ୍କ ସମେତ ଏକ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା ଆମ୍ବାଗାନ ଛକ ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ସିଭିକ୍ ସେଣ୍ଟର ପର୍ଯ୍ୟନ୍ତ ସଂପନ୍ନ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ସଂପର୍କ ର ସଂପାଦକ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର । ପରେ ପରେ ସିଭିକ୍ ସେଣ୍ଟର ଠାରେ ଜାତୀୟ ସ୍ତୀରୟ ନାଟ୍ୟ ସଂପାନ  ‘ସାମ୍ପ୍ରତିକ ପରିସ୍ଥିତିରେ ନାଟକର ଉପାଦେୟତା’ ଶୀର୍ଷକ ବିଷୟରେ ଅନୁଷ୍ଠିତ ହୋଇଥିଲା । ସଂପାନର ପ୍ରାରମ୍ଭରେ ସଂପର୍କର ସଭାପତି ବିଜୟ କୁମାର ପାତ୍ର କଳାକାରମାନଙ୍କୁ ସ୍ୱାଗତ କରିଥିବା ବେଳେ ବରିଷ୍ଠ ନିର୍ଦ୍ଦେଶକ ତଥା ଅଭିନେତା କୈଳାସ ପାଣିଗ୍ରାହୀ ଗ୍ରୀସ୍ ଦେଶର ପ୍ରଖ୍ୟାତ ନାଟ୍ୟକର୍ମୀ ଥିଓ ଡୋରୋସ୍ ତେର୍ଜୋ ପୋଲାସ୍‌ଙ୍କ ପ୍ରଦତ୍ତ ବିଶ୍ବ ନାଟ୍ୟ ବାର୍ତ୍ତା ପାଠ କରିଥିଲେ । ତା’ପରେ ପ୍ରଫେସର ଡ. ସମର ମୁଦାଲି, ପ୍ରଫେସର ଡ. ଲକ୍ଷ୍ମୀପ୍ରିୟା ବେହେରା, ଡ. ସଂଜୟ ହାତୀ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏହି ବିଷୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ଏକତ୍ରର ସଭାପତି କବି ରାଜୀବ ପାଣି ଓ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ସମାଜସେବୀ ଅଭୟ କୁମାର ଦାସ ତଥା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ପ୍ରାଙ୍ଗଣ, ପାଟନା ବିହାରର ନିର୍ଦ୍ଦେଶକ ଅଭୟ ସିହ୍ନା । ଏହି ଅବସରରେ ଡ.ସ୍ୱାତୀରେଖା ମହାନ୍ତିଙ୍କ ଲିଖିତ ଗଳ୍ପ ପୁସ୍ତକ ‘ଶକ୍ତିସ୍ୱରୁପା’ ଉନ୍ମୋଚିତ ହୋଇଥିଲା । ପରେପରେ ରୋଲ୍‌ପ୍ଲେ ଓ ଏକକ ଅଭିନୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଶେଷ କରି ଆଲୋଚକ ଓ ପିଲାମାନଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । 

ଜାତୀୟ ନାଟକ ମହୋତ୍ସବର ପଞ୍ଚମ ଦିବସର ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ । ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ନିର୍ଦ୍ଦେଶକ ଅତନୁ ଭୌମିକ ଓ ସମ୍ମାନିତ ଅତିଥି ଭାବେ ଆରଏସପି ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଯୋଗଦେଇ ଥିଲେ।

 ସମ୍ପର୍କ ର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ଉଦ୍‌ଘୋଷକ ଅନିଲ କୁମାର ମଲ୍ଲିକ । ଧନ୍ୟବାଦ ଦେଇଥିଲେ ସଂପାଦକ ଭାସ୍କର ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ କବିଚନ୍ଦ୍ର କାଳୀଚରଣ ସମ୍ମାନରେ ଓ ପ୍ରତାପ କୁମାର ସ୍ୱାଇଁଙ୍କୁ ନାଟ୍ୟବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂପର୍କ ରାଉରକେଲା ତରଫରୁ ମୁଖପତ୍ର ନାଟ୍ୟଚର୍ଚ୍ଚା ଉନ୍ମୋଚନ କରାଯାଇଥିଲା । ଏକତ୍ର ରାଉରକେଲା ତରଫରୁ ନାଟ୍ୟକାର ଭସ୍କର ଚନ୍ଦ୍ର ମହାପାତ୍ରଙ୍କ ନାଟ୍ୟକାର ଜୀବନର ୫୦ ବର୍ଷ ପୂର୍ତ୍ତିରେ ତାଙ୍କୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ଭୁବନେଶ୍ୱରର ପ୍ରସିଦ୍ଧ ନାଟ୍ୟାନୁଷ୍ଠାନ ‘ଅଜିତ୍‌’ର କଳାକାରମାନେ ନାଟକ ‘କୌଣସି ଜଣେ ଗୌତମ ଚୌଧୁରୀ ପାଇଁ..’ ମଞ୍ଚସ୍ଥ କରିଥିଲେ।

ଏହି ବସ୍ତୁବାଦୀ ଦୁନିଆରେ ସୁଖଶାନ୍ତିରେ ରହିବା ପାଇଁ ପ୍ରାୟ ଅଧିକାଂଶ ଲୋକ ଲାଞ୍ଚ ନେବା କଳାକୁ ଆଦରି ନେଇଛନ୍ତି । ସେମାନେ ନିଜ କର୍ତ୍ତବ୍ୟକୁ ଅବହେଳା କରି ଦୁର୍ନୀତି କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଏହା ଆମ ସମାଜର ଏକ ସାଧାରଣ ଘଟଣା ହୋଇଯାଇଛି । ହେଲେ ଜଣେ ଦୁର୍ନୀତି ବିରୋଧରେ ଯାଇ ସାଧାସିଧା ଭାବରେ ଅଭାବ ଅନାଟନରେ କାଳାତିପାତ କରି କିପରି ଲୋକଙ୍କ ଦ୍ୱାରା ଅପମାନିତ ହୋଇଛି, ଏପରିକି ନିଜ ପତ୍ନୀ, ପୁତ୍ରଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଛି ତାହା ଦର୍ଶାଇ ଦିଆଯାଇଛି ଏହି ନାଟକ ‘କୌଣସି ଜଣେ ଗୌତମ ଚୌଧୁରୀଙ୍କ  ପାଇଁ’ରେ । ଏହାର ମୂଳ ରଚନା ପ୍ରସନ୍ନ ଦାସ, ପୁନଃ ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି ଅମନ (ଦୀପକ ରଞ୍ଜନ ପତି) । ଏହାକୁ ସଂଗୀତରେ ସଜାଇଛନ୍ତି କୈଳାସ ସେନାପତି । ମଂଚରେ କଳାକାର ମାନଙ୍କର ନିଖୁଣ ଅଭିନୟ, ସୁମଧୁର ପ୍ରଚ୍ଛଦ ସଂଗୀତ, ଉଚ୍ଚକୋଟୀର ନିର୍ଦ୍ଦେଶନା ତଥା କଳାକାରମାନଙ୍କ ସଂହତି ରକ୍ଷା ନାଟକଟିକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିଥିଲା । ବିଶେଷ କରି ଡ. ମାୟା ଦାସଙ୍କ ସୁପରିଚାଳନା କଳାକାର ମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶକଙ୍କ ମନରେ ଅଲିଭା ଛାପ ଆଙ୍କିଦେବାରେ ସମର୍ଥ ହୋଇଥିଲା । ଶେଷରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଶ୍ନଦାତା ଙ୍କୁ ପୁରସ୍କୃତ କରାଯାଇଥିଲା।

   ଏହି ପାଞ୍ଚ ଦିନ ଜାତୀୟ ନାଟ୍ୟୋତ୍ସବ ସଫଳତା ସହ ସମାପନ ହୋଇଥିବାରୁ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ପାତ୍ର ଓ ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ  ଉଦ୍‌ଘାଟନୀ ସନ୍ଧ୍ୟାରେ ଇତିହାସର ଅନନ୍ୟ କାହାଣୀ କାଳିଦାସ

masiha

ସର୍ଗୀ ଫୁଲ ସମ୍ବଲପୁରୀ ଆଲବମ ସୁଟିଙ୍ଗ ଶେଷ- ଅପଲୋଡ଼ ହେବ ୟୁଟୁବ ଦେଭ ମାନସୀ କ୍ରିଏସନ ର ଅପେକ୍ଷା ରେ 

masiha

“ପ୍ରିୟେ ତୁ ମୋ ସିଏ” ର ଅଡିଓ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!