ରାଉରକେଲାରେ ଇଏସ୍ଆଇସି ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ରାଉରକେଲା: ଝାଡ଼ଖଣ୍ଡ, ଛତିଶଗଡ଼ ସୀମାଞ୍ଚଳ କେନ୍ଦ୍ର ଲୋକ ମଧ୍ୟ ଇଏସ୍ଆଇ ବୀମାଭୁକ୍ତ ହୋଇଛନ୍ତି। ତେଣୁ ଇଏସ୍ଆଇ ବୀମାଭୁକ୍ତ ହୋଇଥିବା ଜନସଂଖ୍ୟା ଆଧାରରେ ରାଉରକେଲାଠାରେ ଇଏସ୍ଆଇସି ହସ୍ପିଟାଲ ସ୍ଥାପନ ଜରୁରୀ ହୋଇପଡିଛି। ପ୍ରକାଶଥାଉ କି, ୮ବର୍ଷ ତଳେ ରାଉରକେଲାଠାରେ ସରକାର ଏକ ଇଏଆଇସି ମେଡିକାଲ କଲେଜ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ କେତେଜଣ ଅଧିକାରୀ ରାଉରକେଲା ପରିବର୍ତ୍ତେ ଏହି ମେଡିକାଲ କଲେଜକୁ ଭୁବନେଶ୍ୱରରେ ସ୍ଥାପନ କରିବାକୁ ମସୁଧା କରୁଛନ୍ତି। ଭୁବନେଶ୍ବରରେ ଇଏସ୍ଆଇ ସଭ୍ୟ ୧ଲକ୍ଷରୁ କମ୍ ଅଛନ୍ତି। କିନ୍ତୁ ପଶ୍ଚିମ ଓଡ଼ିଶାରେ ଇଏସ୍ଆଇ ସଭ୍ୟ ସଂଖ୍ୟା ୧୬ଲକ୍ଷରୁ ଊର୍ଦ୍ଧ୍ବ ରହିଛନ୍ତି। ଅନ୍ୟପଟେ ଭୁବନେଶ୍ଵରରେ ୪ଟି ମେଡିକାଲ କଲେଜ ରହିଛି। ଏଥିପାଇଁ ଭୁବନେଶ୍ବର ପରିବର୍ତ୍ତେ ଏହି ମେଡିକାଲ ରାଉରକେଲାରେ ସ୍ଥାପନ କରିବାକୁ ଅନୁରୋଧ କରି ସଚେତନ ନାଗରିକ ମଞ୍ଚ ର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି କରିଛନ୍ତି । ଏହା ନ ହେଲେ ଆଗକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ବଡ଼ ଆନ୍ଦୋଳନର ରୂପ ନେବା ନିଶ୍ଚିତ ବୋଲି ମଞ୍ଚ ପକ୍ଷରୁ ଚିଠିରେ ଦର୍ଶାଯିବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଦାବି କରାଯାଇଛି। ଏଥିସହିତ ପ୍ରେରିତ ହୋଇଥିବା ଚିଠିର ଏକ ନକଲ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ, କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ଯେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ତରଫରୁ ରାଉରକେଲାଠାରେ ଇଏସ୍ଆଇସି ମେଡିକାଲ କଲେଜ ସହିତ ଇଏସ୍ଆଇ ବୀମାଭୁକ୍ତ ଉପଭୋକ୍ତାମାନଙ୍କ ପାଇଁ ଏକ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରିବାକୁ ସୋମବାର ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପ୍ରେରଣ ହୋଇଛି। ଓଡ଼ିଶାର ରାଉରକେଲା ହେଉଛି ଏକ ସର୍ବବୃହତ୍ ଉଦ୍ୟୋଗ ଶିଳ୍ପ ଭରା ଅଞ୍ଚଳ। ଏଠାରେ ବିଭିନ୍ନ ଉଦ୍ୟୋଗ କ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକ କାର୍ଯ୍ୟ କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଇଏସ୍ଆଇ ସଦସ୍ୟ ଭାବେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ରାଉରକେଲା ଅଞ୍ଚଳର ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଇଏସ୍ଆଇ କାର୍ଡଭୁକ୍ତ ହୋଇଥିବା ବେଳେ କାର୍ଡଧାରୀ ମାନଙ୍କ ପରିବାରର ୩ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ରାଉରକେଲା ସମେତ ଖଣ୍ଡାଧାର, ବଣାଇଗଡ଼ ଓ ଟେନ୍ସା ଅଞ୍ଚଳରେ ଲୁହା, କୋଇଲା, କ୍ରୋମାଇଟ୍ ଆଦି ଖଣି ଖାଦାନ ଭରପୂର ମାତ୍ରାରେ ରହିଛି। ଅନ୍ୟପଟେ ରାଉରକେଲା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକରେ ବୃହତ୍ ବୃହତ୍ ଶିଳ୍ପ ଉଦ୍ୟୋଗ ଅଛି। ଏହି ଶିଳ୍ପ ଉଦ୍ୟୋଗରେ କାମ କରି ମାସିକ ୨୧ହଜାର ଟଙ୍କା ରୋଜଗାର କରୁଥିବା କର୍ମଚାରୀମାନେ ଇଏସ୍ଆଇ ବୀମାଭୁକ୍ତ ହୋଇଛନ୍ତି। ଏଭଳି ସମଗ୍ର ପଶ୍ଚିମ ଓଡ଼ିଶାର ୬ଲକ୍ଷ ଇଏସ୍ଆଇ ଉପଭୋକ୍ତାଙ୍କ ସହିତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଇଏସଆଇ ଉପଭୋକ୍ତା ଏହି ହସ୍ପିଟାଲରୁ ସୁବିଧା ପାଇପାରିବେ ବୋଲି କୁହାଯାଇଛି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

