ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ରେ ଭରତ ବାକ୍ୟ ମଞ୍ଚସ୍ଥ

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ରେ ଭରତ ବାକ୍ୟ ମଞ୍ଚସ୍ଥ 

ରାଉରକେଲା,: ନାଟ୍ୟାନୁଷ୍ଠାନ ପ୍ରୟାସ ର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ରେ ଦ୍ବିତୀୟ ଦିବସରେ ନାଟକ ଭରତ ବାକ୍ୟ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ଡ଼ଃ ନିବେଦିତା ଜେନାଙ୍କ ରଚିତ ହରପ୍ରସାଦ ପଟ୍ଟନାୟକ ନିର୍ଦ୍ଦେଶିତ ତଥା ଭୁବନେଶ୍ୱର କଳାକାର ଥିଏଟର ଦ୍ବାରା ମଞ୍ଚସ୍ଥ ଏହି ହିନ୍ଦୀ ନାଟକର ବିଷୟବସ୍ତୁ ହେଲା “ଭରତ ବାକ୍ୟ” ଭରତ ମୁନୀକୃତ ନାଟ୍ୟଶାସ୍ତ୍ରଦ୍ଵାରା ପ୍ରେରିତ | ବେଦପାଠ, ନାରୀ ଏବଂ ଶୂଦ୍ରଙ୍କ ନିମନ୍ତେ ନିଷେଧ ଥିଲା | ଫଳରେ ସାଧାରଣ ଜନ, ବେଦ ବା ଜ୍ଞାନ ପ୍ରାପ୍ତିରୁ ବଞ୍ଚିତ ହେଲେ | ଜ୍ଞାନର ଅଧିକାରୀ ଦେବତାମାନେ କ୍ରମଶଃ ଭୋଗ ବିଳାସରେ ମାତି କ୍ଷୀଣ ଦୁର୍ବଳ ହେବାକୁ ଲାଗିଲେ | ଏଥିରେ ବ୍ୟଥିତ ହୋଇ ଦେବରାଜ ଇନ୍ଦ୍ର, ବ୍ରହ୍ମଦେବଙ୍କୁ ଏକ ନୂତନ ମନୋରଞ୍ଜନ ସାମଗ୍ରୀ କ୍ରୀଡନୀୟକ ସୃଷ୍ଟି କରିବାକୁ ଅନୁରୋଧ କଲେ ଯାହା ମନୋରଞ୍ଜନ ପ୍ରଦାନ କରିବା ସହ ଜ୍ଞାନବର୍ଦ୍ଧକ ଓ ଶିକ୍ଷା ପ୍ରଦାୟକ, ଏବଂ ଯଶ, ଅର୍ଥ, କାମ ଓ ମୋକ୍ଷ ପ୍ରଦାୟକ ହେବ । ବ୍ରହ୍ମା ତାଙ୍କର ଅନୁରୋଧ ରକ୍ଷା କରି ସର୍ବଜନହିତ ନିମନ୍ତେ ପଞ୍ଚମ ବେଦ ବା ନାଟ୍ୟ ବେଦ ସୃଷ୍ଟି କଲେ | ଏହି ନାଟ୍ୟବେଦକୁ କାର୍ଯ୍ୟାନ୍ଵିତ କରିବାର ଦାୟିତ୍ଵ ସେ ଅର୍ପଣ କଲେ ଶିବଙ୍କ ମାନସ ପୁତ୍ର ଭରତ ମୁନୀଙ୍କୁ ଏବଂ ତାଗିଦା କଲେ ତାହା ଯେପରି ଜାତି- ଲିଙ୍ଗ- ବର୍ଣ୍ଣ ନିର୍ବିଶେଷରେ ସମ୍ପାଦିତ ହୁଏ | କିନ୍ତୁ ସେ ସ୍ଵୟଂ ଯେତେବେଳେ ପ୍ରଥମ ନାଟକ ସମୁଦ୍ର ମନ୍ଥନର ରଚନା କରନ୍ତି, ଅଜାଣତରେ ଏହି ବିଭେଦକୁ ପ୍ରଶ୍ରୟ ଦିଅନ୍ତି ଓ ଭରତ ମୁନୀ, ବ୍ରହ୍ମଦେବଙ୍କ ଗାରିମାର ଚାପରେ ବଶବର୍ତ୍ତୀ ହୋଇ ସେହି ଭୁଲକୁ ହିଁ ଆଗେଇ ନିଅନ୍ତି | ତାଙ୍କର ସେହି ଛୋଟ ଭୁଲ, ନାଟକର ମୂଳ ଲକ୍ଷ୍ୟରୁ ତାଙ୍କୁ ବିଚ୍ୟୁତ କରେ | ଗ୍ଲାନିରେ ସେ ଏକ ଶପଥ ଗ୍ରହଣ କରନ୍ତି, ଯାହା ଭରତ ବାକ୍ୟ | ସେହି ଶପଥ ଓ କାଳର ସୀମା ଡେଇଁ କିପରି କୁସଂସ୍କାର,ମାନବ ସମାଜକୁ କଳଙ୍କିତ କରିଛି, ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଭରତ ବାକ୍ୟ। ଏଥିରେ ହରପ୍ରସାଦ, ମୃତ୍ୟୁଞ୍ଜୟ, ଆୟୁଷ୍ମାନ, ଶମ୍ଭୁନାଥ, ସୌମ୍ୟ ରଞ୍ଜନ, ସରୋଜ ପ୍ରମୁଖ ଅଭିନୟ କରିଥିଲେ । ଦ୍ଵିତୀୟ ଦିବସରେ ଖ୍ୟାତନାମା ବରିଷ୍ଠ କଳାକାର  ସୁଦାମ ବିଷୋୟୀ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ବରିଷ୍ଠ ନିର୍ଦ୍ଦେଶକ ଓ ଅଭିନେତା ଶ କୈଳାସ ପାଣିଗ୍ରାହୀ ଏବଂ ଆଲୋକ ବୋଷ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ନାଟ୍ୟାଚାର୍ଯ୍ୟଙ୍କ ସହ ତାଙ୍କର ସୁସମ୍ପର୍କର ସ୍ମୃତି ରୋମନ୍ଥନ କରିବା ସହ ତାଙ୍କ ଭଳି ନାଟ୍ୟବ୍ୟକ୍ତିତ୍ବ ବିରଳ ବୋଲି କହିଲେ। କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ।  

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ

Sunil Chandra Nayak

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର‌କୁ ଏକାଠି ବସି ଉପଭୋଗ କଲେ କଳାକାର

Sunil Chandra Nayak

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

Leave a Comment

error: Content is protected !!