ବିଷମିଶା ରଙ୍ଗୀନ ଖାଦ୍ୟ ଖାଇ ରୋଗରେ ସଢ଼ୁଛନ୍ତି ଲୋକେ
କୁମ୍ବକର୍ଣ୍ଣ ନିଦ୍ରାରେ ଯାଜପୁର ଖାଦ୍ୟ ସୁରକ୍ଷା ବିଭାଗ
ଯାଜପୁର ୧୨ ଜୁନ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଆମ୍ଭେମାନେ ପ୍ରଥମେ ଆଖିରେ ଖାଇଥାଉ ପରେ ଏହା ପାଟିକୁ ଯାଇଥାଏ | ଅର୍ଥ ଖାଦ୍ୟଟି ରୁଚିକର, ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ କି ନହୋଇଥାଏ ଏହା ପରର କଥା କିନ୍ତୁ ଦେଖିବାକୁ ଆକର୍ଷଣୀୟ ହୋଇଥିଲେ ନଜର ଛା ଟାଣି ହୋଇଯାଏ | ଚାଉଳ , ଡାଲି ଠାରୁ ଆରମ୍ଭ କରି ହୋଟେଲ ଓ ଫାଷ୍ଟଫୁଡ୍, ଉଠା ଦୋକାନର ଖାଦ୍ୟ ଏବଂ ପ୍ଲାଷ୍ଟିକ ବୋତଲରେ ବିକ୍ରି ହେଉଥିବା ପାଣି କେତେ ସୁରକ୍ଷିତ ? କିନ୍ତୁ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କର କାର୍ଯ୍ୟରତ ଫୁଡ ଇନ୍ସପେକ୍ଟର ବିଭାଗ ଯାଜପୁର ଜିଲ୍ଲାର ବିଂଝାରପୁର ଅଂଚଳର ପ୍ରମୁଖ ବଜାର ସିଂହପୁର , ଗୋଡ଼ିଡିହ , ବାଳମୁକୁଳି , ବିଂଝାରପୁର , ମଇନ୍ଦା , ସୟଦପୁର , ଅରେଇ , ପ୍ରୀତିପୁର , ବାଙ୍ଗରା ଓ ଜରି ଆଦି ସ୍ଥାନରେ ଥିବା ହୋଟେଲ , ମିଠା ଦୋକାନ , ଫାଷ୍ଟ ଫୂଡ଼ ଦୋକାନ ମାନଙ୍କର ଫୁଡ଼ ଲାଇସେନ୍ସ ଯାଞ୍ଚ କରିବା କଥା | ମାତ୍ର ବିଂଝାରପୁର ଅଂଚଳରେ ହୋଟେଲ , ମିଠା ଦୋକାନ ଓ ଫାଷ୍ଟ ଫୁଡ ଦୋକାନ ମାନଙ୍କରେ ଖାଦ୍ୟ ସୁରକ୍ଷା ବିଭାଗର ପାଦ ପଡୁନାହିଁ କହିଲେ ଚଳେ | ଖାଦ୍ୟର ମାନ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀଙ୍କ୍ରର କେବେ ଦେଖା ମିଳୁନି | ଅନେକ ସମୟରେ ଲୋକେ ବିଷମିଶା ରଙ୍ଗୀନ ମାୟଜାଲରେ କିମ୍ବା ଅଖାଦ୍ୟ ଖାଇ ରୋଗରେ ସଢ଼ୁଥିବା ଅଭିଯୋଗ ହେଉଥିଲେବି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନାହିଁ | ଏପରି ଅବସ୍ଥାରେ ବିଂଝାରପୁର ବାସୀ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି | ବିଂଝାରପୁର ଅଂଚଳର ପ୍ରମୁଖ ବଜାର ମାନଙ୍କରେ ଥିବା ହୋଟେଲ ଓ ଜଳଖିଆ ଦୋକାନୀ ମାନଙ୍କର ଅଧାରୁ ଅଧିକ ଦୋକାନୀଙ୍କର ଫୁଡ ଲାଇସେନ୍ସ ନଥିବା ଶୁଣିବାକୁ ମିଳୁଛି |
ଖାଦ୍ୟ ପଦାର୍ଥର ଗୁଣବତ୍ତା ଯାଞ୍ଚ କରି ଲୋକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଣ ଖାଦ୍ୟ ସୁରକ୍ଷା ବିଭାଗର କାର୍ଯ୍ୟ | କିନ୍ତୁ ଏଠାରେ ଚଢ଼ାଉ ନହେବାରୁ ସୁଯୋଗ ନେଇ ଅସାଧୁ ବେପାରୀ , ଦୋକାନୀ ଖାଦ୍ୟ ନାଁରେ ଲାଭଖୋର୍ ମନବୃତ୍ତି ରଖି ଭେଜାଲ , ବାସି, ଗନ୍ଧିଆ ତଥା ଅଖାଦ୍ୟ ପରସି ଦେଉଛନ୍ତି | ବିଂଝାରପୁର ଅଂଚଳର ପ୍ରମୁଖ ବଜାର ହେଉ ଅବା ଗ୍ରାମାଞ୍ଚଳ , ହୋଟେଲ ଅବା ଫାଷ୍ଟ ଫୁଡ , ମିଠା ଦୋକାନରେ ବହୁଳ ରଙ୍ଗମିଶା ଖାଦ୍ୟ ଦିଆଯାଉଛି | ଆଖିକୁ ଭଲ ଦେଖାଗଲା ଭଳି ଖାଦ୍ୟ ଗୁଡିକ ରଙ୍ଗ ମିଶାଇ ନାଲି କରି ଦିଆଯାଉଛି | ଏହି ଖାଦ୍ୟକୁ ଖାଇବାପରେ ଦେହ ପାଇଁ ଏହା କ୍ଷତିକାରକ ହେବା ସହିତ ଘାତକ ସାଜୁଛି | ସେ ଖାଦ୍ୟ ପେଟକୁ ଗଲେ କେଉଁ ପ୍ରକାର ରୋଗ ହେଉଛି ତାହା ନକହିବା ଭଲ | ଯାହାକୁ ନେଇ ଗ୍ରାହକ ଅନେକ ସମୟରେ ଖାଇସାରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି | ବିଂଝାରପୁର ଅଂଚଳର ପ୍ରମୁଖ ବଜାର ହେଉ ଅବା ୨୯ ଟି ପଂଚାୟତରେ ଥିବା ଠେଲା ଗାଡି ଓ ବିଭିନ୍ନ ଗଳି କନ୍ଦିରେ ଖୋଲିଥିବା ଛୋଟ ଛୋଟ ହୋଟେଲ କଥା ନକହିବା ଭଲ | ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହୋଇ ରଖାଯାଇଛି | ଏହି ଅଞ୍ଚଳ ମାନଙ୍କରେ ବିଭିନ୍ନ ଦୋକାନରେ ବିଭିନ୍ନ କମ୍ପାନୀର ଛତୁ ଫୁଟିଲା ଭଳି ଅଣବ୍ରାଣ୍ଡ କମ୍ପାନୀର ଥଣ୍ଡା ପାନୀୟ ସାଙ୍ଗକୁ ପାଣି ବୋତଲ ବିକ୍ରି ହେଉଛି |ଏଭଳି ସ୍ଥିତିରେ ଖାଦ୍ୟ ନିରୀକ୍ଷକ ଏହି ଦୂଷିତ ଓ ଅପମିଶ୍ରିତ ଖାଦ୍ୟର ନମୁନା ସଂଗ୍ରହ କରି ମାନ ନିର୍ଦ୍ଦାରଣ କରିବା ପାଇଁ ବିଜେପି ନେତା ନିରଂଜନ ବେଉରିଆ , କେୟାର ସଭାପତି ଡ଼କ୍ଟର ପଦ୍ମ ଚରଣ ଧଳ ଓ ଦେବେନ୍ଦ୍ର ସାମଲ କହିଛନ୍ତି | ଯାଜପୁରରେ କାର୍ଯ୍ୟରତ ଫୁଡ ଇନ୍ସପେକ୍ଟର ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ଏଥିପ୍ରତି ସଜାଗ ନହେଲେ ପରିସ୍ଥିତି ଅଣାୟତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି |

