ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ
ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଦ୍ୱାରା ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ନାରୀ ସଶକ୍ତିକରଣ, ନାରୀ ସ୍ବାଧିନତା, ନାରୀ ଶିକ୍ଷାର ବିକାଶ, ଲିଙ୍ଗଗତ ସମାନତା ଓ ଯୌନ ଉତ୍ପୀଡନ ଉପରେ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ଦୀର୍ଘଦିନରୁ କାମ କରି
ଆସୁଅଛି । ଏହି ଅଗ୍ରଣୀ ଅନୁଷ୍ଠାନଟି ୧୯୯୬ ମସିହାରେ ଦିଲ୍ଲୀଠାରେ ପ୍ରତିଷ୍ଠା ହୋଇଥିଲା । ଓଡିଶା ସହିତ ଭାରତ ବର୍ଷର ଅଠର ଗୋଟି ରାଜ୍ୟରେ ଏହି ଅନୁଷ୍ଠାନ ତାହାର କାର୍ଯ୍ୟକ୍ରମ ଜାରି ରଖିଛି । ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନର ସଚିବ ତଥା NAWO(ନାଓ)ର ଓଡ଼ିଶା ପ୍ରଦେଶ ସଚିବ ପ୍ରମିଳା ସ୍ୱାଇଁ ଜଣେ ବିଶିଷ୍ଟ ସମାଜସେବୀ । ଯିଏ ଓଡିଶାର ନାରୀ ସ୍ବାଧିନତା ସଂଗ୍ରାମୀ ରମାଦେବୀଙ୍କ ସହିତ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ ଭବିଷ୍ୟତରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସମାନତା, ଲିଙ୍ଗଗତ ଭେଦଭାବ, ଯୌନ ନିର୍ଯାତନା, ଆଇନଗତ ସାକ୍ଷରତା ଓ ଛାତ୍ରୀମାନଙ୍କ ଆର୍ଥିକ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଛାତ୍ରଛାତ୍ରୀମାନେ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନରେ ଇନଟର୍ଣ୍ଣସିପ୍ ମଧ୍ଯ କରିପାରିବେ । ସାଂପ୍ରତିକ ସାମାଜିକ ପରିସ୍ଥିତିକୁ ଅନୁଧ୍ୟାନ କରି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ ସହ କରିଥିବା ଚୁକ୍ତି ସ୍ୱାଗତଯୋଗ୍ୟ ଓ ଅତ୍ଯନ୍ତ ଉପାଦେୟ । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ଯରେ ସଚେତନତା ସୃଷ୍ଟି ହୋଇ ବିଶ୍ୱବିଦ୍ୟାଳୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
( ମ ନି ସ )

