ଆନ୍ଧ୍ର ପ୍ରଦେଶ ପଥର ଖଦାନ ବିସ୍ଫୋରଣ ରେ ମୃତ ଦୁଇ ଶ୍ରମିକଙ୍କ ଶବ ଗାଁରେ ପହଞ୍ଚିଲା ,ଦୁଇ ମନ୍ତ୍ରୀ ଗାଁରେ ପହଞ୍ଚି ସମବେଦନା ଜଣାଇଲେ
ଆସିକା,୪/୮/୨୫ — ଦାଦନ ଦୁଃଖ ପୁଣି ଥରେ ପେଶି ହୋଇଛନ୍ତି ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ର ବାହାଡାଗୁଡା ଗାଁର ମୁସା ଜେନା ଓ ଓଳମ୍ବା ପଞ୍ଚାୟତ ର କସେଇ ଗାଁର ସନ୍ତୋଷ ଗୌଡ଼ ଙ୍କ ପରିବାର ।ଆନ୍ଧ୍ର ପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ ଗାଁ ନିକଟରେ ରହିଥିବା ପଥର ଖଦାନ ରେ ବିସ୍ଫୋରଣ ଘଟି ପଥର ତଳେ ଚାପି ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲାର ଛଅ ଜଣ ଶ୍ରମିକଙ୍କ ଗତ ରବିବାର ମୃତ୍ୟୁ ଘଟିଛି। ଏହି ଛଅ ଜଣ ଙ୍କ ମଧ୍ୟରେ ଧରାକୋଟ ବ୍ଲକର କସେଇ ଗାଁର ସନ୍ତୋଷ ଗୌଡ଼ 36 ଓ ବାହାଡ଼ାଗୁଡା ଗାଁର ମୁସା ଜେନା 43 ଙ୍କର ମୃତ୍ୟୁ ଘଟିଛି। ଆଜି ଆନ୍ଧ୍ର ପ୍ରଦେଶ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ଯୋଗେ ଛଅ ଗୋଟି ଶବକୁ ଓଡ଼ିଶା ପଠାଯିବା ପରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଭା ରପ୍ରାପ୍ତ ବି ଡି ଓ ସୁଶିଲ ପଟନାୟକ ସନ୍ତୋଷ ଓ ମୁସା ଙ୍କ ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଜି ଉଭୟ ଶବ ସହ ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର ସନ୍ତୋଷ କୁମାର ପୃଷ୍ଟି, ଭଂଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା,ସହକାରୀ ଶ୍ରମ ଅଧିକାରୀ ହୃଷୀକେଶ ରାଓ ପ୍ରମୁଖ ଉଭୟ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆତ୍ମୀୟ ପରିଜନ ମାନେ ଗାଁ ଶ୍ମଶାନରେ ଶବ ଦାହ କରିଥିଲେ । ଅପରାହ୍ନ ରେ ରାଜ୍ୟ ସରକାର ଙ୍କ ବାଣିଜ୍ୟ,ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଆସିକା ଜିଲ୍ଲା ବି ଜେ ପି ସଭାପତି ବିଜୟ ସ୍ୱାଇଁ, ବି ଜେ ପି ନେତା ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଉଭୟ ଗାଁରେ ପହଞ୍ଚି ପରିବାରର ସଦସ୍ୟ ମାନଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ଆନ୍ଧ୍ର ସରକାରଙ୍କ ତରଫରୁ 20000 ହଜାର ଟଙ୍କା ଓ ରେଡକ୍ରସ ତରଫରୁ 30000 ହଜାର ଟଙ୍କା ମୋଟ 50000 ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ରାଜ୍ଯ ସରକାରଙ୍କ ପକ୍ଷରୁ ମୃତକଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସବୁଠାରୁ ଦୁଃଖଦ ଘଟଣା ସ୍ବାମୀ ମୁସା ଙ୍କୁ ହରାଇ ସ୍ତ୍ରୀ ମଞ୍ଜୁଳା, ପୁଅ ଆଲୋକ ଓ ଝିଅ ରୂପାଲି ବେସାହାରା ହୋଇଯାଇଥିବା ବେଳେ ସେପଟେ ସନ୍ତୋଷ ଙ୍କୁ ହରାଇ ସ୍ତ୍ରୀ ରିନା,ଝିଅ ତପସ୍ୟା ଓ ଆଶା ବେସାହାରା ହୋଇଯାଇଛନ୍ତି । ଉଭୟ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଉଭୟ ପରିବାରକୁ ଅଧିକ କ୍ଷତି ପୂରଣ ପ୍ରଦାନ ପାଇଁ ଗାଁ ଲୋକେ ଦାବୀ କରିଛନ୍ତି ।
ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

