ଇଏସ୍ଆଇସିର ପାତର ଅନ୍ତର ନୀତି ବିରୋଧରେ ଇଏସ୍ଆଇ ବୀମାଭୁକ୍ତ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ
ସିଆଇଟିୟୁ ସହବନ୍ଧିତ ସୁନ୍ଦରଗଡ ଶିଳ୍ପ ମଜଦୁର ୟୁନିଅନ୍ ଓ ଆଇ.ଏଫ୍.ଜି.ଏଲ୍. ରିଫ୍ରାକ୍ଟୋରିଜ୍ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଧାରଣା
ରାଉରକେଲା ୨୦/୮, ଇଏସ୍ଆଇ ବୀମାଭୁକ୍ତ କର୍ମଚାରୀଙ୍କ ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଏହି ଧାରଣା ସିଆଇଟିୟୁ ସୁନ୍ଦରଗଡ ଶିଳ୍ପ ମଜଦୁର ୟୁନିଅନ୍ ଏବଂ ଆଇଏଫଜିଏଲ୍ ରିଫ୍ରାକ୍ଟୋରିଜ୍ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଦ୍ବିତୀୟ ଦିନରେ ପହଞ୍ଚିଛି। ରାଉରକେଲା ଶିଳ୍ପାଞ୍ଚଳରେ ଥିବା ଇଏସ୍ଆଇସି ମଡେଲ୍ ହସ୍ପିଟାଲ୍ ସମ୍ମୁଖରେ ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ବିଭିନ୍ନ ଦାବି ନେଇ ଏହି ଧାରଣା ପ୍ରଦର୍ଶନ କରାଯାଉଛି।
ରାଉରକେଲା ମଡେଲ ହସ୍ପିଟାଲରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ସିଆଇଟିୟୁ ସହବନ୍ଧିତ ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜୁଦୁର ୟୁନିୟନ, ଆଇଏଫଜିଏଲ୍ ରିଫ୍ରାକ୍ଟୋରିଜ୍ ଓ୍ବାର୍କର୍ସ ୟୁନିୟନ ଏବଂ ଏସିଆଟିକ୍ ଅକ୍ସିଜେନ ଏମ୍ପ୍ଲୋଇଜ୍ ୟୁନିୟନର ବୀମାଭୁକ୍ତ ଶ୍ରମିକମାନଙ୍କୁ ନେଇ ହସ୍ପିଟାଲ ସମ୍ମୁଖରେ ସିଆଇଟିୟୁ ରାଜ୍ଯ ଉପସଭାପତି ଜାହାଙ୍ଗୀର ଅଲ୍ଲୀଙ୍କ ନେତୃତ୍ବରେ ଏହି ଧାରଣା ପ୍ରଦର୍ଶନ କରାଯାଉଛି। ପ୍ରକାଶଯୋଗ୍ଯ କି ଉକ୍ତ ୟୁନିୟନମାନଙ୍କ ପକ୍ଷରୁ ରାଉରକେଲା ମଡେଲ ହସ୍ପିଟାଲରେ ସୁନ୍ଦରଗଡ ଜିଲ୍ଲା ଓ ପଡୋଶୀ ଜିଲ୍ଲାର ପ୍ରାୟ ୧୨ଲକ୍ଷ ଇଏସ୍ଆଇ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାରବର୍ଗମାନେ ଏହି ଏକମାତ୍ର ମଡେଲ ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରତିବାଦରେ ଓ ସମସ୍ତ ସମସ୍ୟାର ସମାଧାନ ଉପରେ ବାରମ୍ବାର ଆନ୍ଦୋଳନ କରିଆସିଛି । ମଡେଲ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ସ୍ପେଶାଲିଷ୍ଟ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ରେଡିଓଲୋଜିଷ୍ଟ, ପାରାମେଡିକାଲ, ଟେକନିସିଆନ ନଥିବା ବେଳେ ଆବଶ୍ୟକୀୟ ଔଷଧ ମିଳେ ନାହିଁ । ତେଣୁ ରାଉରକେଲା ଇଏସ୍ଆଇ ମଡେଲ ହସ୍ପିଟାଲର ବିଭିନ୍ନ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ଗତ ୧୪ ସେପ୍ଟେମ୍ବର ୨୦୨୪ରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ୟୁନିୟନ ନେତୃତ୍ବଙ୍କ ମଧ୍ଯରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଇଏସ୍ଆଇ ପୂର୍ବାଞ୍ଚଳ ମେଡିକାଲ କମିଶନର ଡକ୍ଟର ରଚିତା ବିଶ୍ବାସ, ଇଏସ୍ଆଇ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଜୟନ୍ତୀ ବେହେରା ଓ ଇଏସ୍ଆଇ ରାଜ୍ଯ ଆଞ୍ଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ପ୍ରମୁଖ ରାଉରକେଲା ମଡେଲ ହସ୍ପିଟାଲରେ ବୀମାଭୁକ୍ତ ଶ୍ରମିକ ଓ ତାଙ୍କର ପରିବାର ବର୍ଗ ସମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ଏକ ଲିଖିତ ପ୍ରତିଶୃତ ଡାକ୍ତର ରଚିତା ବିଶ୍ବାସଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରତିଶୃତିରେ ଇଏସ୍ଆଇ ମଡେଲ ହସ୍ପିଟାଲରେ ସମସ୍ତ ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, ରୋଗୀଙ୍କର ଅଧିକ ଓ ଉନ୍ନତ ଚିକିତ୍ସା ପାଇଁ ପୂର୍ବ ଭଳି ରେଫରାଲ ବ୍ଯବସ୍ଥାକୁ ଚାଲୁ ରଖିବା, ମେଡିସିନ ସ୍ପେଶାଲିଷ୍ଟ, ଅର୍ଥୋ ସ୍ପେଶାଲିଷ୍ଟ, ଇଏନଟି ସ୍ପେଶାଲିଷ୍ଟ ଓ ଆନେସେସ୍ଥିଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ନେଇ ସେଥିରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଇତିମଧ୍ଯରେ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ଯ ମଡେଲ ହସ୍ପିଟାଲରେ ଯଥା ପୂର୍ବମଂ ତଥା ପରମଂ ଅବସ୍ଥାରେ ରହିଛି । ତେଣୁ ୟୁନିୟନର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ ଗତ ଫେବୃୟାରୀ ୧୮ ତାରିଖ ୨୦୨୫ରେ ମେଡିକାଲ କମିଶନର ଡାକ୍ତର ରଚିତା ବିଶ୍ବାସଙ୍କୁ ଏକ ପତ୍ର ଲେଖି ତାଙ୍କର ପ୍ରତିଶୃତିକୁ କାର୍ଯ୍ୟାକାରୀ କରିବା ପାଇଁ ନିବେଦନ କରିଥିଲେ । ଡାକ୍ତର ବିଶ୍ବାସ ୩୧ ମାର୍ଚ୍ଚ ୨୦୨୫ ମଧ୍ଯରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତ ପାଇବେ ବୋଲି ଜଣାଇଥିଲେ । ମାତ୍ର ନୂତନ ଡାକ୍ତରର ନିଯୁକ୍ତି ତ ପାଇଲେ ନାହିଁ, ବରଂ ରାଉରକେଲା ମଡେଲ ହସ୍ପିଟାଲରୁ ଅର୍ଥୋ ସ୍ପେଶାଲିଷ୍ଟ ଓ ପେଡିଆଟ୍ରିକ ସ୍ପେଶାଲିଷ୍ଟ ଅନ୍ୟତ୍ର ବଦଳି ହୋଇଗଲେ ଓ ୩ଜଣ ଡାକ୍ତର ତାଙ୍କର ଚାକିରି ଛାଡିଦେଲେ। ତେଣୁ ଶ୍ରୀ ଅଲ୍ଲୀ ପୁନଶ୍ଚ ଆଉ ଏକ ପତ୍ର ଗତ ୨୮ ଅପ୍ରେଲ ୨୦୨୫ରେ ଲେଖି ଡାକ୍ତର ରଚିତ ବିଶ୍ବାସଙ୍କୁ ଏ ବିଷୟରେ ଜଣାଇଥିଲେ ଓ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଇତିମଧ୍ଯରେ, ମଡେଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ମନିଷ ପ୍ରକାଶ ମିଞ୍ଜ, ଗତ ୩୦ ମଇରେ ବିକ୍ଷୋଭ ପୂର୍ବରୁ ସମସ୍ୟା ଉପରେ ଆଲୋଚନା ପାଇଁ ୟୁନିୟନକୁ ନିବେଦନ କରିଥିଲେ । ଉକ୍ତ ଆଲୋଚନାରେ ମେଡିକାଲ ସୁପରିଟେଣ୍ଡେଣ୍ଟ ବୀମାଭୁକ୍ତ ଶ୍ରମିକମାନଙ୍କର ସମସ୍ତ ସମସ୍ୟା ସମ୍ପର୍କରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ସହିତ ୩ଦିନ ମଧ୍ଯରେ ୟୁନିୟନକୁ ଲିଖିତ ଆକାରରେ ଜଣାଇବା ପାଇଁ କହିଥିଲେ। କିନ୍ତୁ ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଅଢେଇ ମାସ ବିତିଯାଇଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ୟୁନିୟନ ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ମଙ୍ଗଳବାର ଠାରୁ ଧାରଣା ଆରମ୍ଭ କରାଯାଇଛି। ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟରେ ଥିବା ଭାଜପା ସରକାରଙ୍କ ପାତର ଅନ୍ତର ନୀତି ଯୋଗୁଁ ଅନୁଗୁଳଠାରେ ଥିବା ମଡେଲ ହସ୍ପିଟାଲକୁ ସୁଦୃଢ କରିବା ଏବଂ ରାଉରକେଲାରେ ୨୦୦୨ରୁ ଥିବା ମଡେଲ ହସ୍ପିଟାଲକୁ ଦୁର୍ବଳ କରିବା ସନ୍ଦେହ ସୃଷ୍ଟି କରିଛି। ଅନୁଗୁଳ ମଡେଲ ହସ୍ପିଟାଲକୁ ବଢାଇବା ଏବଂ ରାଉରକେଲା ମଡେଲ ହସ୍ପିଟାଲକୁ ଛୋଟ କରିବା ସିଆଇଟିୟୁ ସହବନ୍ଧିତ ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନକୁ ପସନ୍ଦ ନାହିଁ। ରାଉରକେଲା ଇଏସ୍ଆଇ ମଡେଲ ହସ୍ପିଟାଲରେ ଥିବା ପୁରୁଣା ଡାକ୍ତରଙ୍କୁ ଅନୁଗୁଳ ମଡେଲ ହସ୍ପିଟାଲକୁ ନିଆଯାଇଛି। ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସମେତ ସମସ୍ତ ବିଭାଗର ୧୬ ଜଣ ଡାକ୍ତରଙ୍କୁ ଏଠାକୁ ନ ଆଣିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ କହିଛନ୍ତି।
ଏହି ବୀମାଭୁକ୍ତ ଶ୍ରମିକ ଧାରଣା କାର୍ଯ୍ୟକ୍ରମରେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀଙ୍କ ସମେତ ସମ୍ପାଦକ ଯଯାତୀ କେଶରୀ ସାହୁ, ଅଜିତ ଏକ୍କା, ଯୀରୋଦ ବେହେରା, ସନ୍ଦିପ ସ୍ଵାଇଁ, ଶୁଧାଶୁଂ ଜେନା, ଅନିଲ ସ, ସରୋଜ ବାର୍ଲା, ଭବାନୀ ସାହୁ, ସି ଦିବାକର ରାଓ ପ୍ରମୁଖ ବକ୍ତବ୍ଯ ରଖି କହିଥିଲେ ଯେ ଯେପର୍ଯ୍ୟନ୍ତ ଏ ସମସ୍ତ ସମସ୍ୟାର ସମାଧାନ ନ ହୋଇଛି, ସେପର୍ଯ୍ୟନ୍ତ ଧାରଣା ଅବ୍ଯାହତ ରହିବ ବୋଲି ଶ୍ରମିକ ସଙ୍ଗଠନ ନେତାମାନେ କହିଛନ୍ତି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

