ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ସୁନ୍ଦରଗଡ଼, ୦୪/୦୯/୨୫: ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଲକ ସ୍ତରୀୟ ପ୍ରଶିକ୍ଷକ ମାନଂକ ନିମନ୍ତେ ବଡ଼ଗାଁ ବ୍ଲକ ଅନ୍ତର୍ଗତ ଦେଓକରଣପୁର ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗଣ ଶିକ୍ଷା , ମହିଳା ଓ ଶିଶୁ ବିକାଶ , ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ଆଦି ବିଭାଗରୁ ୧୨୦ ଜଣ ଅଧିକାରୀ,କର୍ମଚାରୀ ବା ଆଦି କର୍ମଯୋଗୀ ମାନେ ସକ୍ରିୟ ଯୋଗଦାନ କରିଥିଲେ ଏବଂ ଗ୍ରାମଗୁଡ଼ିକର ବିକାଶ ପାଇଁ ନିଜର ମତାମତ ପ୍ରକାଶ କରିଥିଲେ।ଏହି ତିନି ଦିନିଆ ବ୍ଲକ ସ୍ତରୀୟ ପ୍ରଶିକ୍ଷକ ମାନଂକ ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ପ୍ରଶିକ୍ଷାର୍ଥୀ ମାନେ ଗ୍ରାମର ବିକାଶ ନିମନ୍ତେ କ୍ଷେତ୍ର ସ୍ତରରେ କିଭଳି କାର୍ଯ୍ୟ କରିବେ ତାହା ଉପରେ ସେମାନଙ୍କୁ ବ୍ୟବହାରିକ( practicle) ଭାବେ ଅଭ୍ୟାସ କରାଯାଇଥିଲା। ଯେଭଳି କି ସମୁଦାୟ ଅଂଶଗ୍ରହଣକୁ ବୃଦ୍ଧି କରିବା, ନିଜକୁ ଜାଣିବା, ସମନ୍ୱୟକୁ ସୁଦୃଢ଼ କରିବା, ଦଳୀୟ କାର୍ଯ୍ୟକୁଶଳତା, ଆଦିବାସୀ ସମାଜ ପ୍ରତି ସହାନୁଭୂତିଶୀଳ ହେବା ଏବଂ ଲୋକଙ୍କୁ ସରକାରୀ ସୁବିଧା ସର୍ବାଧିକ ପର୍ଯ୍ୟନ୍ତ ପହଞ୍ଚାଇବା ଆଦି।

ଚଳିତ ସେପ୍ଟେମ୍ବର ୫ ଓ ୬ ତାରିଖ ଦିନ ବ୍ଲକ ସ୍ତରରେ ଏହି ଆଦି କର୍ମଯୋଗୀ ଅଭିଯାନର ଦିଗନିର୍ଦ୍ଦେଶ (orientation) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ଗ୍ରାମ ସ୍ତରରେ ୨୦ ଜଣ ସଭ୍ୟ ଯେପରିକି ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ, ଯୁବ ସ୍ଵେଚ୍ଛାସେବୀ, ପାରମ୍ପରିକ ନେତା, ଗ୍ରାମର ବୁଦ୍ଧିଜୀବୀ ଆଦିଙ୍କୁ ନେଇ ଏକ ଦଳ “ଆଦି ସାଥୀ” ଗଠନ କରାଯିବ। ଗ୍ରାମ ସ୍ତରରେ ଗଠିତ ହୋଇଥିବା ଏହି ଆଦି ସାଥୀ ଟିମ୍ ସେପ୍ଟେମ୍ବର ୭ ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ଗ୍ରାମବାସୀଙ୍କ ଠାରୁ ନିଜ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା, ଅଭିଯୋଗ ଆଦି ସଂଗ୍ରହ କରିବେ। ସଂଗୃହିତ ହୋଇଥିବା ଏହି ସମସ୍ୟା ଆଦିକୁ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସେବକ ‘ ସହଯୋଗରେ ‘ଗ୍ରାମ କାର୍ଯ୍ୟ ଯୋଜନା’ ପ୍ରସ୍ତୁତ କରାଯିବ ଏବଂ ଏହି ଗ୍ରାମ କାର୍ଯ୍ୟ ଯୋଜନା ଗୁଡ଼ିକୁ ଆସନ୍ତା ଅକ୍ଟୋବର ୨ ତାରିଖରେ ହେବାକୁ ଥିବା ଗ୍ରାମ ସଭାରେ ପାରିତ କରାଯିବାର କାର୍ଯ୍ୟକ୍ରମ ରହିଛି। 

ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଯୋଗ ଦେଇଥିଲେ ଏବଂ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ କ୍ଷେତ୍ର ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଏହି ଅଭିଯାନକୁ ସଫଳ କରିବା ନେଇ ନିଜ ବକ୍ତବ୍ୟ ରଖିଥିଲେ ଓ ବିଭିନ୍ନ ଉଦାହରଣ ମାଧ୍ୟମରେ କ୍ଷେତ୍ରରେ କିଭଳି ସମସ୍ତ ବାଧାବିଘ୍ନକୁ ଏଡାଇ ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିବା ତାହା ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ପି ଏ, ଆଇ ଟି ଡି ଏ,ସୁନ୍ଦରଗଡ଼ ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥି ପଟେଲ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସଦାନନ୍ଦ ପଧାନ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ଦମୟନ୍ତୀ ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ପ୍ରକାଶ ଥାଉ କି , ଏହି ଆଦି କର୍ମଯୋଗୀ ଅଭିଯାନ ଟି ସୁନ୍ଦରଗଡ଼ ଜିଲ୍ଲାର ୧୭ ଗୋଟି ବ୍ଲକର ୨୭୯ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୧୨ ଗୋଟି ଗ୍ରାମ ରେ କାର୍ଯ୍ୟକାରୀ ହେବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି – ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା, ଜଳ, ବିଦ୍ୟୁତ୍, ଗୃହ, ଡିଜିଟାଲ୍ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା ଏବଂ ଆଦିବାସୀ ପରିଚୟକୁ ସଂରକ୍ଷଣ କରିବା ଏବଂ ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବାକୁ ସୁନିଶ୍ଚିତ କରିବା ଆଦି। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ବୈଠକ

ଛଅ ଗୋଟି ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ

Sunil Chandra Nayak

Leave a Comment

error: Content is protected !!