ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ମହାବୀର କମ୍ପାନୀକୁ ଜୋରଦାର ବିରୋଧ

ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ 
ଭେଣ୍ଡର କୋଡ ବାଜ୍ୟାପ୍ତି ଓ କଳା ତାଲିକାଭୁକ୍ତ କରିବା ଦାବି

ଲାଞ୍ଜିଗଡ଼, ୧୨/୦୯(ମନିସ)-ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଅଧୀନରେ ଠିକା କାମ କରୁଥିବା ମହାବୀର କମ୍ପାନୀର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ମହାବୀର ଓ ଶ୍ରୀରାମ କମ୍ପାନୀ ଦାୟିତ୍ୱରେ ଥିବା ତ୍ରିଲୋଚନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ କମ୍ପାନୀ କାମ ସମ୍ଭାଳିବା ବଦଳରେ ସ୍ଥାନୀୟ ବିସ୍ଥାପିତ ଅଞ୍ଚଳବାସୀଙ୍କ ଆଗରେ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କିଛି ଦଲାଲ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତ କରି ସେ ଅଞ୍ଚଳର ଗରିବ, ନିରୀହ ଆଦିବାସୀ ତଥା ଜନ ପ୍ରତିନିଧିମାନଙ୍କ ଉପରେ ଆତଙ୍କରାଜ ଚଳାଇଥିବାବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳର ଆଦିବାସୀ, ବିସ୍ଥାପିତ ଲୋକେ ଓ ନିର୍ବାଚିତ ଜନ ପ୍ରତିନିଧିମାନେ। ଏପରିକି ଆଜି ସକାଳ ଛଅଟାରୁ ଶହଶହ ଲୋକେ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ସାମ୍ନାରେ ରୁଣ୍ଡ ହୋଇ ମହାବୀର ଓ ଶ୍ରୀରାମ କମ୍ପାନୀ ତଥା ସେମାନଙ୍କ ମୁଖ୍ୟ କାର୍ପଟଦାର କୁହାଯାଉଥିବା ତ୍ରିଲୋଚନ ମଲ୍ଲିକ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଉତ୍ୟକ୍ତ ଲୋକେ ନାରାବାଜି କରିବା ସହିତ ବେଦାନ୍ତର ମୁଖ୍ୟ ଫାଟକକୁ ଅବରୋଧ କରି ରଖିବାରୁ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ସାମ୍ନାରେ ଦୀର୍ଘ ସମୟ ଯାଏଁ ଅଚଳାବସ୍ଥା ଦେଖାଦେଇଥିଲା। ଦୀର୍ଘ ବର୍ଷ ଧରି ମହାବୀର କମ୍ପାନୀ ଓ ଶ୍ରୀରାମ କମ୍ପାନୀ ନାମରେ ଲାଞ୍ଜିଗଡ ବେଦାନ୍ତ କମ୍ପାନୀଠାରୁ ଠିକା କାର୍ଯ୍ୟ ଆଣି ଶ୍ରୀ ମଲ୍ଲିକ ଠିକା କାର୍ଯ୍ୟ କରୁଥିବା ବେଳେ ଲାଞ୍ଜିଗଡ ଅଞ୍ଚଳରେ ଥିବା ସ୍ଥାନୀୟ ଠିକାଦାର ମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର କରି ନିଜ ନିଜ ମଧ୍ୟରେ ଗଣ୍ଡଗୋଳ କରି ସେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ନେଇ ଲୋକେ ନାରାବାଜି କରିଥିଲେ। ପୂର୍ବରୁ ସେ ଲାଞ୍ଜିଗଡ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡସଭ୍ୟଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରିବା ଓ ଧମକ ଚମକ ଦେବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଶ୍ରୀ ମଲ୍ଲିକଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସେ ବାହୁବଳ ଓ ଅର୍ଥବଳରେ ମାମଲା ଚାପିଦେଇଥିବା ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ ଆରବିକେ କଲୋନୀର ଜଣେ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଜେଲକୁ ପଠାଇବାରେ ଶ୍ରୀ ମଲ୍ଲିକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ବସନ୍ତପଡ଼ାର ଜଣେ ବ୍ୟକ୍ତିଙ୍କୁ ମଧ୍ଯ ସେ ଗାଳିଗୁଲଜ ଓ ଧମକଚମକ ଦେବା ଓ ବସନ୍ତପଡା ସରପଞ୍ଚଙ୍କୁ ଅପଦସ୍ଥ କରିବା ଓ ଲୋକ ଲଗାଇ ଆକ୍ରମଣ କରିବା ଘଟଣାରେ ମଧ୍ୟ ଶ୍ରୀ ମଲ୍ଲିକ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହେଉଛି। ଏସବୁ ଅଭିଯୋଗକୁ ଭିତ୍ତି କରି ଆଜି ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀଙ୍କ ନେତୃତ୍ୱରେ ଶତାଧିକ ବିସ୍ଥାପିତ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାବୀର ଓ ଶ୍ରୀରାମ କମ୍ପାନୀର ଭେଣ୍ଡର କୋଡ ବାଜ୍ୟାପ୍ତ କରିବା ଓ କଳା ତାଲିକାଭୁକ୍ତ କରିବାକୁ ଲୋକେ ଅଡ଼ି ବସିଥିଲେ। ଏଥିଯୋଗୁଁ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ସାମ୍ନାରେ ଦୀର୍ଘ ସମୟ ଯାଏଁ ଅଚଳାବସ୍ଥା ଦେଖାଦେଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ନାକେଦମ ହୋଇଥିଲେ। ଶେଷରେ ବେଦାନ୍ତ ଲିମିଟେଡ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଏହି ଘଟଣାରେ ହସ୍ତକ୍ଷେପ କରି ସନ୍ଧ୍ୟାରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ହଟିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ଆହୁରି ବଢିଯାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଷ୍ପୋର୍ଟସ କମ୍ପ୍ଲେକ୍ସ ରେ ୭,୮,୯ ୭୨ ତମ ରାଜ୍ୟସ୍ତରୀୟ କନିଷ୍ଠ ଵର୍ଗର ଖେଳକୁଦ କୁମ୍ଭମେଳା ନେଇ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମିଳିଲା ଦୁଇ ଲକ୍ଷ ଟଙ୍କା

masiha

Leave a Comment

error: Content is protected !!