ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତାରାଣୀ ବେହେରାଙ୍କ ସ୍ବରବର୍ଣ୍ଣା ଲୋକାର୍ପିତ

ଗୀତାରାଣୀ ବେହେରାଙ୍କ ସ୍ବରବର୍ଣ୍ଣା ଲୋକାର୍ପିତ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କାବ୍ୟ ସନ୍ଧ୍ୟା ସହିତ ଗୀତାରାଣୀ ବେହେରାଙ୍କ କବିତା ସଂକଳନ” ସ୍ବରବର୍ଣ୍ଣା “ଅତିଥି ମାନଙ୍କ ହସ୍ତରେ ଉନ୍ମୋଚିତ ହୋଇଯାଇଅଛି।

ଏହି ସାହିତ୍ୟ ସମାବେଶରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ପ୍ରବୀଣ କବି ପ୍ରାଧ୍ୟାପକ ଡଃ ଅଶ୍ବିନୀ କୁମାର ରାୟ ଏବଂ ମୁଖ୍ୟ ଆଲୋଚିକା ରୂପେ ବିଶିଷ୍ଟ କବୀ ଅଙ୍ଗୁରବାଳା ପରିଡ଼ା ଯୋଗଦାନ କରିଥିଲେ। ମଞ୍ଚ ସଂଯୋଜକ ଶ୍ରୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡଃ ରାୟ କାବ୍ୟ ପୁସ୍ତିକାର ବିଭିନ୍ନ କବିତା ଭିତରେ ରୋମାଣ୍ଟିକ ଚେତନା, ପ୍ରକୃତି ପ୍ରୀତି,ସ୍ବେଦେଶାନୁରାଗ କିଭଳି ଅନ୍ତଃସଲିଳା ଫଲଗୁ ହୋଇ ଝରିଯାଇଛି ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ। ସମୀକ୍ଷିକା କବୟିତ୍ରୀ ଅଙ୍ଗୁରବାଳା ପରିଡ଼ା କବିତାର ଆଙ୍ଗିକ ଓ ଆତ୍ମିକ ଗଠନର କୋଣାର୍କିତ କଳାଶିଳ୍ପ ତାଙ୍କ କମନୀୟ କାବ୍ୟକୃତିରେ ଅନନ୍ୟ ଶିଳ୍ପ ସାମର୍ଥ୍ୟର ଚିରାୟତ ସ୍ମୃତିଲିପି ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।

ସଭାପତୀୟ ଅଭିଭାଷଣରେ ଶ୍ରୀ ପତି ସମସ୍ତ ବକ୍ତାଙ୍କର ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ କରି କାବ୍ୟ ନାୟିକାର ସ୍ଥୂଳ ଶରୀର ଭାଷାରେ ଗଠିତ ହୋଇଥିଲେ ମଧ୍ୟ “ସ୍ବରବର୍ଣ୍ଣା” ର ନିରବତାମୟ ଗୁଞ୍ଜରଣ ଭିତରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ମାନବିକ ପ୍ରଜ୍ଞାକୁ କିପରି ସ୍ବରାୟିତ କରିଛି,ତାହାର ଚମତ୍କାର ବ୍ୟାଖ୍ୟାନ କରି କାବ୍ୟ ସଂକଳନଟି ଆତ୍ମାନୁଭୂତିର ଅନୁର୍ମଗ୍ନ ନିସର୍ଗ ସରଣୀ ବୋଲି ଅବିହିତ କରିଥିଲେ। ଶିକ୍ଷାବିତ୍ ତଥା କବୀ ସୁସ୍ମିତା ମହାପାତ୍ର କାବ୍ୟ ସନ୍ଧ୍ୟାର ସଂଚାଳନା କରି ପଠିତ କବିତା ଗୁଡ଼ିକର ସମୀକ୍ଷା କରିଥିଲେ।

ଉନ୍ମୋଚିତ ପୁସ୍ତକର କବିତା ସହିତ ଅନ୍ୟାନ୍ୟ ମାନବିକ ମୁଲ୍ୟବୋଧ ସମ୍ପନ୍ନ କବିତା ପାଠ କରିଥିଲେ ସର୍ବଶ୍ରୀ ତ୍ରିଲୋଚନ ସ୍ବାଇଁ, ସବିତା ବସ୍ତିଆ, ପ୍ରତାପ କୁମାର ପଣ୍ଡା, ରଶ୍ମି ସାହୁ, ବଳରାମ ରାଉଳ, କରୁଣାକର ପାଟ୍ଟଶାଣୀ, ଧୋବେଇ ବେହେରା, କନକଲତା ମିଶ୍ର, ଅଭିରାମ ପ୍ରଧାନ, ସୁସ୍ମିତା ମହାପାତ୍ର, ଡଃ ଗୀତାଞ୍ଜଳି ପତ୍ରୀ, ରଶ୍ମିବାଳା ରାଉତରାୟ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ହରମୋହନ ମିଶ୍ର, ଭୂପେନ ମହାପାତ୍ର ଏବଂ ଅଭୟ କୁମାର ଦାସ। ଏହି ସାରସ୍ଵତ ସମାବେଶରେ ଇସ୍ପାତ ସହରର ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କବି ,ଲେଖକ, ସଂଗଠକ, ଅଧ୍ୟାପକ, ଅଧ୍ୟାପିକା ,ଅରବିନ୍ଦ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଡା ପ୍ରଶାନ୍ତ ପାତ୍ର,ଅଧ୍ୟକ୍ଷା ମମତା ନାୟକ , ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ , ସେବାନିବୃତ ଶିକ୍ଷକ, ଛାତ୍ରଛାତ୍ରୀ ସମେତ ଶତାଧିକ ଶ୍ରୋତାମଣ୍ଡଳୀ ଉପସ୍ଥିତ ଥିଲେ।

ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ନିହାର ଦାସ, ଧନଞ୍ଜୟ ମଲ୍ଲିକ,ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ରଞ୍ଜିତ ଦାସ, ପିୟୁଷ ବେହେରା, କୁଞ୍ଜବିହାରୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

masiha

ଝରିଗାଁ ବ୍ଳକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆଜି ଆତ୍ମା ଚେୟାରମ୍ୟାନ ଚୟନ

masiha

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରୋଇତଙ୍କ ଯୋଗଦାନ

masiha

Leave a Comment

error: Content is protected !!