ରାଉରକେଲା ପୋଲିସ ଜିଲ୍ଲାର ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫
ରାଉରକେଲା ୨୫/୧୧, “ଆସନ୍ତୁ ଏକତ୍ରିତ ହୋଇ ଏକ ସୁରକ୍ଷିତ ଡିଜିଟାଲ୍ ଓଡିଶା ଗଢିବା” – ବୃହତ୍ ସାଇବର ସୁରକ୍ଷା ସଚେତନତା ଅଭିଯାନ ଓଡିଶା-୨୦୨୫ର ଉଦଯାପନୀ ସମାରୋହ ଆଜି ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମାପନ ହୋଇଯାଇଛି।
୨୦୨୫ ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ପଶ୍ଚିମାଞ୍ଚଳ ପୋଲିସ୍ ଆରକ୍ଷୀ ଉପନିରିକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ଜିଆରପି ରାଉରକେଲା ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ରାଉରକେଲା ଇସ୍ପାତ କାରଖାନା ସହର ସେବା ମୁଖ୍ୟ ଶ୍ରୀ କାନେକର ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସାଇବର ସୁରକ୍ଷା ସଚେତନତା ଅଭିଯାନ ଓଡିଶା-୨୦୨୫ର ଉଦଯାପନୀ ସମାରୋହ କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ
କରାଯାଇଥିଲା। ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ପ୍ରାରମ୍ଭିକ ସମ୍ଭାଷଣ ପରେ, ପ୍ରିୟାଂକ୍ଷୀ ପ୍ରିୟଦର୍ଶିନୀ ସାମଲ ପ୍ରାରମ୍ଭିକ ନୃତ୍ୟ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତାକୁ ପ୍ରତିପାଦନ କରିଥିଲେ। ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗୀତାରେ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ। ଏକ ମାସ ଧରି ଚାଲିଥିବା ସାଇବର ସୁରକ୍ଷା ସଚେତନତା ବିଷୟରେ ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମାଜରେ ବିଭିନ୍ନ ପ୍ରକାର ସମସ୍ଯା ରହିଛି। ସମାଜର ଏହି ସମସ୍ଯାକୁ ସମାଧାନ କରିବାକୁ ହେଲେ ଆମକୁ ତାହାର ଉପାୟ ବାହାର କରିବାକୁ ହେବ। ସମାଜ ସହିତ ତାଳଦେଇ ଆମକୁ ଆଗକୁ ଯିବାକୁ ହେବ। ଏହି ସମସ୍ଯାର ସମାଧାନ କରିବାକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଟା ଚାଲିଛି। ଫଳରେ ଯେଉଁ ସାଇବର କ୍ରାଇମ ହେଉଛି, ତାକୁ ଆମେ କିପରି ରୋକିପାରିବା ତାହା ପାଇଁ ସରକାର ପ୍ରାୟ ଏକ ମାସ ଧରି ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ସମସ୍ତ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ କରାଯାଇଛି। ତାହା ପାଇଁ ସ୍କୁଲ ଓ କଲେଜ ସ୍ତରରେ ସଚେତନତା ମୂଳକ ପ୍ରତିଯୋଗୀତାମାନ କରାଯାଇଛି। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରାଉରକେଲାର ଗୌରବ ଓଡିଶାର ଗର୍ବ ଓ ଗୌରବ ଏବଂ ଦେଶର ଗୌରବ, ସେହି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମସ୍ତଙ୍କ ନିକଟକୁ ସଚେତନତା ବାର୍ତ୍ତା ଯିବା ସହ ପୋଲିସ୍ ପ୍ରଶାସନ ସହିତ ମିଶି ରାଉରକେଲାକୁ ସାଇବର କ୍ରାଇମରୁ କିପରି ମୁକ୍ତ କରିବାରେ ସହାୟକ ହେବ। ବର୍ତ୍ତମାନର ସାଇବର ଠକେଇକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ବ୍ଯକ୍ତିବିଶେଷଙ୍କୁ ସତର୍କ ରହିବାକୁ ଅତିଥିମାନେ ପରାମର୍ଶ ଦେବା ସହିତ ସାଇବର ଠକେଇ କିପରି ଭାବରେ ହେଉଛି ସେ ବିଷୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକ ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାଇବର ସୁରକ୍ଷାକୁ ନେଇ ଗତ ଏକ ମାସ ଧରି ରାଉରକେଲା ପୋଲିସ୍ ଜିଲ୍ଲାରେ ସାଇବର ସୁରକ୍ଷା ସଚେତନତା ଆୟୋଜନ ହୋଇସାରିଛି। କଲେଜ ସ୍ତରରେ ଏବଂ ରାଉରକେଲା ଇସ୍ପାତ କାରଖାନା, ଅନ୍ଯାନ୍ଯ ଶିଳ୍ପ ଓ ପ୍ରତିଷ୍ଠାନରେ ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରାଯାଇଛି। ସାଇବର ସୁରକ୍ଷା ବିଷୟରେ ସଚେତନ କରାଇବା ପାଇଁ ରାଉରକେଲା ପୋଲିସ୍ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ପ୍ରକାର ଭିଡିଓ ଅଛି, ଯେଉଁ ଭିଡିଓ ମାଧ୍ୟମରେ ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଉଛି ଯେ, ମୋବାଇଲରେ ଯେଉଁ ଫ୍ରଡ କଲ୍ ଆସୁଛି ଏବଂ ଡିଜିଟାଲ ଆରେଷ୍ଟ ବିଷୟରେ କଲ୍ ଆସିଲେ ତୁରନ୍ତ ସାଇବର ସେଲକୁ ୧୯୩୦ରେ ଜଣାଇବା ସହିତ ୧୧୨ରେ ପୋଲିସକୁ ଜଣାଇବା ପାଇଁ ସାଇବର ସୁରକ୍ଷା ସଚେତନତା ବାର୍ତ୍ତାରେ କୁହାଯାଇଛି ଏବଂ ଅନ୍ୟାନ୍ୟ ଯେଉଁସବୁ ସାଇବର ମାମଲା ହୋଇଛି, ସେସବୁ ମାମଲାରେ ରାଉରକେଲା ପୋଲିସ୍ ଅନ୍ଯାନ୍ଯ ରାଜ୍ଯକୁ ଯାଇ ସଫଳତା ପାଇପାରିଛି। ଏଥିସହିତ ଯେଉଁ ସବୁ ନୂଆ ମାମଲା ଆସିଛି, ସେସବୁକୁ ରାଉରକେଲା ଏସ୍ ପିଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଚିହ୍ନିତ କରାଯାଇଛି। ଏସ୍ ପିଙ୍କ ଏହି ପ୍ରୟାସ ଯୋଗୁଁ ଲୋକମାନେ ସଚେତନ ହୋଇ କାର୍ଯ୍ୟ କରିବେ। ସାଇବର କ୍ରାଇମରେ ହଠାତ୍ ଆମେ ଯେଉଁ ଧ୍ଯାନ ନ ଦେଉଁ, ଏବେ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ।
ଆଜିର ଏହି ସାଇବର ସୁରକ୍ଷା ସଚେତନତା ଉଦଯାପନୀ ସମାରୋହରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିବା କଳାକାରଙ୍କୁ ରାଉରକେଲା ପୋଲିସ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ରିପୋର୍ଟ୍

