ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ରାଉରକେଲାରେ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡିଶା ଉଦ୍ଘାଟିତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ରାଉରକେଲାରେ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡିଶା ଉଦ୍ଘାଟିତ

ରାଉରକେଲା: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ବହୁ ପ୍ରତୀକ୍ଷିତ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ ଓଡିଶା ଉଦ୍ଘାଟିତ ହୋଇଯାଇଛି। ରାଉରକେଲା ସେକ୍ଟର-୧୩ ମେଳନ ପଡିଆ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡ଼ିଶା ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହା ରାଜ୍ୟରେ ଉଦ୍ୟୋଗୀତା, ଶିଳ୍ପ ଅଭିବୃଦ୍ଧି ଏବଂ ନିବେଶ ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 

      କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ପରେ, ମୁଖ୍ୟମନ୍ତ୍ରୀ ସାରା ଓଡିଶାର ଅଗ୍ରଣୀ କମ୍ପାନୀ, ଷ୍ଟାର୍ଟଅପ୍ ଏବଂ ପବ୍ଲିକ୍ ଅଣ୍ଡରଟେକିଂ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ସେ ଉଦ୍ୟୋଗୀ, ପ୍ରଦର୍ଶକ ଏବଂ ବିଭିନ୍ନ ଶିଳ୍ପର ପ୍ରତିନିଧିମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଉଦ୍ଯୋଗପତିଙ୍କ ନବସୃଜନ, ଉତ୍ପାଦ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ଅବଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶଂସା କରିଥିଲେ।

       ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସହ ଷ୍ଟାର୍ଟଅପ୍ ଏବଂ ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡ଼ିଶା ପ୍ଲାଟଫର୍ମରେ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା, ନିବେଶକଙ୍କ ସହ ସଂଯୋଗ ସ୍ଥାପନ କରିବା ଏବଂ ନୂତନ ବଜାର ଅନୁସନ୍ଧାନ କରିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ମତ ଦେଇଥିଲେ। 

    ଜାନୁଆରୀ ୨୭ ତାରିଖ ଠାରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବାକୁ ଥିବା ଏହି ପ୍ରଦର୍ଶନୀରେ ଉତ୍ପାଦନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତିବିଦ୍ୟା, ସେବା ଏବଂ ଷ୍ଟାର୍ଟଅପ୍ ନବସୃଜନ ସହିତ ଜଡିତ ଥିବା ଉତ୍ପାଦ ପ୍ରଦର୍ଶିତ ହେଉଥିବା ବିଭିନ୍ନ ୧୨୦ଟି ଷ୍ଟଲ୍ ରହିଛି। ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୬ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହିତ ଶିଳ୍ପ ଅଭିବୃଦ୍ଧି ବୃଦ୍ଧି କରିବା ଏବଂ ବିଶେଷକରି ଯୁବପିଢ଼ି ଓ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

    ଏହି କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ପ୍ରତିନିଧି, ଉଦ୍ୟୋଗୀ ଏବଂ ବହୁ ସଂଖ୍ୟକ ପରିଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, ଯାହା ରାଉରକେଲାକୁ ଓଡ଼ିଶାର ଉଦ୍ୟୋଗ ଏବଂ ନବସୃଜନ ଅଭିଯାନର କେନ୍ଦ୍ରବିନ୍ଦୁ କରିବ ବୋଲି ଆଶା କରାଯାଉଛି।

    ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀମାନଙ୍କ ଓଡଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ ସହ ସମ୍ବଲପୁରୀ ନୃତ୍ୟ ଦ୍ବାରା ମଞ୍ଚ ପ୍ରକମ୍ପିତ ହୋଇଥିଲା। ଉଦ୍ଘାଟନୀ ସମାରୋହର ମୁଖ୍ୟ ଆକର୍ଷଣ ଥିଲା ଡ୍ରୋନ ସୋ। ଡ୍ରୋନ ସୋ ମାଧ୍ୟମରେ ଓଡିଶାର କଳା, ସଂସ୍କୃତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ଏବଂ ଓଡିଶା ନ୍ଯୁ ଅପରଚୁନିଟିଜର ଆଲୋକ ଚିତ୍ର ପ୍ରଦର୍ଶିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

Sunil Chandra Nayak

ଡାବୁଗାଁ ବଜାର ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ସାଜିଛି ବାଧକ 

masiha

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୫୦୨ ପଞ୍ଜିକରଣ 

masiha

Leave a Comment

error: Content is protected !!