ନାଟକ ନୂଆ ଦିଗନ୍ତ ସମାଜକୁ ଦେଲା ନୂତନ ବାର୍ତ୍ତା
ରାଉରକେଲା: ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ପଞ୍ଚମ ସଂନ୍ଧ୍ଯାର ଉତ୍ସବକୁ ରାଉରକେଲାର ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଉଦ୍ଘାଟନ କରିଥିଲେ । ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ନାରାୟଣ ପତିଙ୍କ ସଭାପତିତ୍ବରେ ଏହି ସଭାକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ ଓ ଅନୁଷ୍ଠାନର ସାଂଗଠନିକ ସଂପାଦକ ସୁରେନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ଵରର ବରିଷ୍ଠ ନାଟ୍ୟକାର ପଞ୍ଚାନନ ଦାସଙ୍କୁ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନାଟକ ମହୋତ୍ସବରେ ସୁନ୍ଦର ଓ ସୁସ୍ପଷ୍ଟ ମାନପତ୍ର ପାଠ କରି ଦର୍ଶକଙ୍କୁ ଅଭିଭୂତ କରିଥିବାରୁ ବିଜୟଲକ୍ଷ୍ମୀ ନାଏକ,ଶ୍ରୀମତୀ ଆଶାଲତା ଦାସ ଓ ମଂଚ ପରିଚାଳନାରେ ଅକୁଣ୍ଠ ସହାୟତା ପ୍ରଦାନ କରିଥିବା କଲ୍ୟାଣୀ ଦାସ, ରୁନୁ ବେକ୍ ,ସନ୍ଧ୍ୟା ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ନାଟକ ବିଷୟବସ୍ତୁ –କାମୁକ ପୁରୁଷ କାମନାର ବଶୀଭୂତ ହୋଇ ଭଲମନ୍ଦ ବିଚାର କରି ନ ପାରି ଛୋଟ ବାଳିକା ଠାରୁ ବୟସ୍କା ନାରୀ ଯାଏ ସମସ୍ତଙ୍କୁ ଅସଦାଚରଣ କରି ଜେଲ ଯାଏ । ଜେଲରୁ ଫେରିବା ପରେ ସମାଜ ତାକୁ କେଉଁ ଦୃଷ୍ଟିରେ ଦେଖେ ତା ଦ୍ବାରା ତାର ଦୈନଦିନ ଜୀବନ କିପରି ଦୁର୍ବିସହ ହୋଇ ପଡେ ଏପରି ଏକ ବାସ୍ତବ କାହାଣୀକୁ ନେଇ ପଞ୍ଚାନନ ଦାସ ଙ୍କ ଦ୍ବାରା ରଚିତ ନାଟକ ‘ନୂଆ ଦିଗନ୍ତ ‘ ପରେପରେ ପଞ୍ଚଧ୍ବନି ଭୁବନେଶ୍ଵରର କଳାକାର ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା । ପ୍ରକାଶକ ମହାରଣାଙ୍କ ଉଚ୍ଚକୋଟୀର ନିର୍ଦ୍ଦେଶନା, ପ୍ରତାପ ରାଉତଙ୍କ ସୁମଧୁର ପ୍ରଚ୍ଛଦ ସଙ୍ଗୀତ, ରାକେଶ ଶତପଥୀଙ୍କ ଆଖି ଝଲସା ଆଲୋକ ସଂପାତ ସାଂଗକୁ କଳାକାର ମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତା କାଲି ବିଶ୍ବନାଟ୍ଯ ଦିବସରେ ସକାଳ ଆଠ ଟାରୁ ରଙ୍ଗାରଙ୍ଗ ନାଟ୍ୟପଦଯାତ୍ରା ,ଦିନ ଦଶଟାରେ ଶିକ୍ଷାନୁଷ୍ଠାନ ରେ ନାଟକ ଉପରେ ବକ୍ତୃତା ପ୍ରତିଯୋଗିତା, ଅପରାହ୍ନ ତିନି ଘଟିକାରେ ଉପାସନା ନୃତ୍ୟୋତ୍ସବ, ସଂନ୍ଧ୍ଯାରେ ନାଟକ ପଞ୍ଛୀ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

