ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

ଓଡିଶାକୁ ନେଇ ବରପୁତ୍ରମାନେ ଦେଖିଥିବା ସ୍ବପ୍ନ ସାକାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ: ଗଞ୍ଜାମ ଜିଲ୍ଲାପାଳ 

ଛତ୍ରପୁର, ୧୨/୪: ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । 

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଗଠନ ଓ ତା ସହିତ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ସେହି ବରପୁତ୍ର ମାନେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ସାକାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବୋଲି କହିଛନ୍ତି । ବରପୁତ୍ରମାନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋଚନା ଚକ୍ର ଆୟୋଜନ କରି ଯୁବପିଢ଼ିଙ୍କୁ ସେମାନଙ୍କ ମହାନତା ଓ ମହାମାର୍ଗ ସମ୍ପର୍କରେ ଅବଗତ କରାଇବା ପାଇଁ ଜିଲ୍ଲାପାଳ ଜିଲ୍ଲାର ସାରସ୍ୱତ ସାଧକ ମାନଙ୍କୁ ଅନୁରୋଧ କରିଛନ୍ତି ।  

ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, କବି ଓ କବିୟତ୍ରୀ ମାନେ ଯୋଗ ଦେଇ ଓଡ଼ିଶାର ବରପୁତ୍ର ମାନଙ୍କ ସ୍ମୃତିଚାରଣ କରିଥିଲେ। 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସାଧନା ଓ କୃତିତ୍ୱ ବିଷୟରେ ଡ଼. ଅନନ୍ତ ରାମ କର କୌଣ୍ଡିନ୍ୟ, କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା ଓ ଭକ୍ତିମୟ ରଚନା ବିଷୟରେ ହରେକୃଷ୍ଣ ପଣ୍ଡା ତାଙ୍କ ମତାମତ ରଖିଥିଲେ। ସେହିପରି ମହାରାଜ ହରିହର ମର୍ଦ୍ଦରାଜଙ୍କ ଶାସନ ଓ ଅବଦାନ ଉପରେ ଡ଼. ପ୍ରକାଶ ପାଣିଗ୍ରାହୀ ଏବଂ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଐତିହାସିକ ଭୂମିକା ଉପରେ ଡ଼. ଅଜୟ କୁମାର ତ୍ରିପାଠୀ ଆଲୋକପାତ କରିଥିଲେ।ସେହିପରି ସଂଗ୍ରାମୀ ଚକରା ବିଷୋୟୀ/ଦୋହରା ବିଷୋୟୀଙ୍କ ବୀରତା ଓ ଦେଶପ୍ରେମ ଉପରେ ଡ଼. ପ୍ରଦୀପ ପଟ୍ଟନାୟକ ଓ ଜ୍ୟୋତିର୍ବିଦ ବାଇକୋଳି ମହାପାତ୍ରଙ୍କ ଜ୍ଞାନ ଓ ଅବଦାନ ବିଷୟରେ ଡ଼. ଦ୍ବାରିକାନାଥ ମହାରଣା, ଗଞ୍ଜାମର ଇତିହାସ ଉପରେ ଅଶୋକ ଚୌଧୁରୀ ନିଜର ଅଭିମତ ବ୍ୟକ୍ତ କରିବା ସହିତ ଏ ସମସ୍ତ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବହୁ କବି ଓ କବିୟତ୍ରୀମାନଙ୍କ ଦ୍ୱାରା ଏହି ଅବସରରେ କବିତା ପାଠ କରାଯାଇଥିଲା। କାହ୍ନୁ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Related posts

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

masiha

Leave a Comment

error: Content is protected !!