ଚିରନିଦ୍ରା ରେ କାମାକ୍ଷାନଗର ର ମୁକୁଟବିହୀନ ଯୁବରାଜ ,ନିରବି ଗଲେ ଭବାନୀଶଙ୍କର
କାମାକ୍ଷାନଗର – କାମାକ୍ଷାନଗର ର ମୁକୁଟବିହୀନ ଯୁବରାଜ ତଥା ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଭବାନୀ ଶଙ୍କର ମହାପାତ୍ର ଙ୍କ ପରଲୋକ ହୋଇଯାଇଛି l ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇଛି l ଦୁଇବର୍ଷ ଧରି ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହୋଇଛି ପରଲୋକ l ୨୦୧୪ ଓ ୨୦୧୯ ମସିହା ରେ କାମାକ୍ଷାନଗର ବିଧାନସଭା ଆସନ ରୁ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଭବାନୀ ଶଙ୍କର ମହାପାତ୍ର l ମୃତ୍ୟୁ ବେଳ କୁ ତାଙ୍କୁ ୫୧ ବର୍ଷ ହୋଇଥିବା ବେଳେ ସେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର ମହାପାତ୍ର ଓ ବିଧାୟିକା ପ୍ରେମଲତା ମହାପାତ୍ର ଙ୍କ ପୁତ୍ର ଥିଲେ l ନିଜର ଯୁବ ସୁଲଭ ବ୍ୟକ୍ତିତ୍ୱ ଓ ସମସ୍ତ ଙ୍କ ସହିତ ମିଶିବାର ସ୍ଵଭାଵ ଯୋଗୁଁ ସେ କାମାକ୍ଷାନଗର ଅଞ୍ଚଳ ରେ ବେଶ ପରିଚିତ ଥିଲେ l ଭବାନୀଶଙ୍କର ଙ୍କ ଅକାଳ ବିୟୋଗ ରେ କାମାକ୍ଷାନଗର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l ଗାଁ ଠୁ ସହର ସବୁଆଡେ ଭବାନୀଶଙ୍କର ଙ୍କ ମୃତ୍ୟୁ କୁ ନେଇ ଦୁଃଖ ର ବାତାବରଣ ସୃଷ୍ଟି ହୋଇଥିବା ବେଳେ ମୁକୁଟବିହୀନ ଯୁବରାଜ ଙ୍କ ଅକସ୍ମାତ ମୃତ୍ୟୁ ରେ ସମଗ୍ର ନିର୍ବାଚନମଣ୍ଡଳୀ ସ୍ତବ୍ଧ ହୋଇଯାଇଛି l ମରଶରୀର ଭୁବନେଶ୍ୱର ରୁ ବାହାରି କାମାକ୍ଷାନଗର ରେ ପହଂଚିବା ପୂର୍ବରୁ ଢେଙ୍କାନାଳ ରେ ବିଭିନ୍ନ ଦଳ ଓ ବ୍ୟକ୍ତିବିଶେଷ ଭବାନୀଶଙ୍କର ଙ୍କ ଶେଷ ଦର୍ଶନ କରିଥିଲେ l ପରେ ରେକୁଳା ନିକଟ ରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ ଭବାନୀଶଙ୍କର ଙ୍କ ଶବାଧାର କୁ କାମାକ୍ଷାନଗର ସହର ପରିକ୍ରମା କରାଯାଇଥିଲା l ସହର ର ଜଗନ୍ନାଥ ବଜାର, ହନୁମାନ ବଜାର, ଏନଏସି କାର୍ଯ୍ୟାଳୟ ଠାରେ ଅଞ୍ଚଳବାସୀ ନିଜ ପ୍ରିୟ ନେତା ଙ୍କୁ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ ସ୍ଥାନୀୟ ଅନନ୍ତପୁର ଠାରେ ଥିବା କଂଗ୍ରେସ ଭବନ ପରିସରରେ ସହର ର ବହୁ ବୁଦ୍ଧିଜୀବୀ,ଶିକ୍ଷାବିତ,ସାମ୍ବାଦିକ, ଓକିଲ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ସେଠାରୁ ମରଶରୀର କୁ ତାଙ୍କ ନିଜ ଗାଁ ପଳାସପିଠିଆ କୁ ନିଆଯାଇ ସେଠାରେ ଶେଷକୃତ୍ୟ କରାଯାଇଥିଲା l ଭବାନୀଶଙ୍କର ଙ୍କ ଝିଅ ମୁଖାଗ୍ନି ଦେଇଥିବା ବେଳେ ମରଶରୀର ନିକଟରେ ସ୍ତ୍ରୀ, ଭାଇ, ଆତ୍ମୀୟସ୍ୱଜନ ଓ କାମାକ୍ଷାନଗର ଓ ଭୁବନ ଅଞ୍ଚଳ ର ହଜାରହଜାର ଜନସାଧାରଣ ଯୋଗ ଦେଇ ନିଜ ପ୍ରିୟ ନେତା ଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ l ଭବାନୀଶଙ୍କର ନିଜ ରାଜନୈତିକ କ୍ୟାରିଅର ରେ ଦୁଇଥର କଂଗ୍ରେସ ଦଳ ତରଫରୁ କାମାକ୍ଷାନଗର ବିଧାନସଭା ଆସନ ରୁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ପରାଜୟ ର ସମ୍ମୁଖୀନ ହୋଇଥିଲେ l କିନ୍ତୁ ସାଧାରଣ ଲୋକ ଙ୍କ ସହ ସେ ଖୁବନିବିଡ଼ ଥିବା କାରଣ ରୁ ତାଙ୍କୁ କାମାକ୍ଷାନଗର ଜନସାଧାରଣ ଶ୍ରଦ୍ଧା ରେ ମୁକୁଟବିହୀନ ଯୁବରାଜ ଭାବେ ବିବେଚନା କରନ୍ତି l ଏହି ଦୁଃଖଦ ଅବସରରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କଂଗ୍ରେସ ନେତା ବିପ୍ରବର ସାହୁ ପ୍ରମୁଖ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

