ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

   ଭଗବାନ କହିଲେ- ମୁଁ ପ୍ରଥମେ ଏ କର୍ମଯୋଗର ଉପଦେଶ ସୂର୍ଯ୍ୟଙ୍କୁ ଦେଇଥିଲି । ସୂର୍ଯ୍ୟ ତାଙ୍କ ପୁତ୍ର ମନୁଙ୍କୁ,ମନୁ ତାଙ୍କ ପୁତ୍ର ଇକ୍ଷ୍ବାକୁଙ୍କୁ ଦେଇଥିଲେ । ପରମ୍ପରା କ୍ରମେ ରାଜର୍ଷିମାନେ ଏ ଯୋଗାଭ୍ଯାସ କରୁଥିଲେ । କାଳକ୍ରମେ ଏହା ଲୋପ ପାଇଗଲା । ତେଣୁ ସେ ଧର୍ମର ପ୍ରତିଷ୍ଠା ପାଇଁ ମୋତେ ଅବତାର ଗ୍ରହଣ କରିବାକୁ ପଡିଲା । ମୋର ଜନ୍ମ ଓ କର୍ମ ସାଧାରଣ ଲୋକଙ୍କ ପରି ନୁହେଁ, ଦିବ୍ଯ-ଏକଥା ଯେଉଁମାନେ ଜାଣିଛନ୍ତି ସେମାନେ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ଶୀଘ୍ର ସିଦ୍ଧିଲାଭ କରିବାପାଇଁ ସାଧାରଣ ମନୁଷ୍ୟମାନେ ଅନ୍ଯ ଦେବତାମାନଙ୍କୁ ପୂଜା କରନ୍ତି । ପୁଣି ଗୁଣକର୍ମ ଭେଦରେ ମୁଁ ଚାରୋଟି ବର୍ଣ୍ଣ-ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ ଓ ଶୂଦ୍ର-ସୃଷ୍ଟି କରିଅଛି । ସେମାନଙ୍କର କର୍ମ ଭିନ୍ନ ଭିନ୍ନ । ହେଲେ ଗୁଣ ଓ କର୍ମବନ୍ଧନ ମୋତେ ଲାଗେନାହିଁ । ଏ ତତ୍ତ୍ବ ଯେଉଁମାନେ ବୁଝିଛନ୍ତି ସେମାନେ ମଧ୍ଯ କର୍ମବନ୍ଧନରୁ ମୁକ୍ତ ହୁଅନ୍ତି । କର୍ମ,ଅକର୍ମ ଓ ବିକର୍ମର ତତ୍ତ୍ବ ମଧ୍ଯ ବୁଝିବା ଉଚିତ । ସାଧାରଣତଃ ଲୋକମାନେ ଯେପରି ଜାଣନ୍ତି ଏହା ସେପରି ନୁହେଁ । ଯେଉଁ ପୁରୁଷ କର୍ମରେ ଅକର୍ମ (କର୍ମଶୂନ୍ଯତା) ଦେଖନ୍ତି ସେ ପ୍ରକୃତରେ ବୁଦ୍ଧିମାନ । ତତ୍ତ୍ବଜ୍ଞାନ ଲାଭକରି,ଫଳାସକ୍ତି ତ୍ଯାଗକରି,ନୃତ୍ୟତୃପ୍ତ ଓ ନିରାଶୟ ଭାବରେ ସମସ୍ତ କର୍ମକରି ମଧ୍ଯ ବ୍ଯକ୍ତି କର୍ମବନ୍ଧନରୁ ମୁକ୍ତ ହୁଅନ୍ତି । ନିରାଶୀ, ସଂଯତଚିତ୍ତ,ଈର୍ଷାଶୂନ୍ଯ ଭାବରେ ସିଦ୍ଧି ଓ ଅସିଦ୍ଧିକୁ ସମାନ ମନେକରି ଯେ କର୍ମ କରନ୍ତି ସେ ମୁକ୍ତିଲାଭ କରନ୍ତି

     ତ୍ଯାଗମୂଳକ କର୍ମ ହିଁ ଯଜ୍ଞ । ଯେ ଯଜ୍ଞର ସମସ୍ତ ଅଙ୍ଗରେ କେବଳ ବ୍ରହ୍ମଙ୍କୁ ଦର୍ଶନ କରନ୍ତି ସେ ସହଜରେ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ଦ୍ରବ୍ଯଯଜ୍ଞ ଅପେକ୍ଷା ଜ୍ଞାନଯଜ୍ଞ ଶ୍ରେଷ୍ଠ । ପ୍ରକୃତ ଜ୍ଞାନଲାଭ ହେଲେ କର୍ମ ଓ ଜ୍ଞାନର ପାର୍ଥକ୍ୟ ଦୂରହୁଏ । ଜ୍ଞାନଲାଭ କରିବାପାଇଁ ବ୍ରହ୍ମଜ୍ଞାନୀ ଗୁରୁଙ୍କର ଶରଣାଗତ ହେବା ଦରକାର । ଉପଯୁକ୍ତ ଗୁରୁଙ୍କଠାରୁ ଜ୍ଞାନଲାଭ କଲେ ତୁମର ପୁଣି ଏଭଳି ମୋହ ଆଉ କେବେ ହେବନାହିଁ । ସେହି ଜ୍ଞାନଲାଭ ହେଲେ ପାପ ନଷ୍ଟ ହୋଇଯିବ । ଶ୍ରଦ୍ଧାବାନ୍,କର୍ମତତ୍ପର ଓ ସଂଯତେନ୍ଦ୍ରିୟ ହେଲେ ତୁମେ ସେହି ଜ୍ଞାନଲାଭ କରି ଶାନ୍ତି ପାଇବ । ସଂଶୟ ତ୍ଯାଗକରି ସେହି ଜ୍ଞାନଦ୍ବାରା ତୁମେ କର୍ମବନ୍ଧନରୁ ମୁକ୍ତ ହେବ । ତୁମ ମନରେ ସିଦ୍ଧି ବିଷୟରେ ସଂଶୟ ରହିଲେ ସିଦ୍ଧି ତ ମିଳିବ ନାହିଁ, ବରଂ ତୁମେ ନଷ୍ଟହେବ । ଏଣୁ ତୁମର ସମସ୍ତ ସନ୍ଦେହ ଦୂରକରି ନିଷ୍କାମ ଚିତ୍ତରେ ତୁମେ ଯୁଦ୍ଧକର-ତୁମକୁ କୌଣସି ପାପ ସ୍ପର୍ଶ କରିବ ନାହିଁ । ଜ୍ଞାନଶବ୍ଦର ଅର୍ଥ ବ୍ରହ୍ମଜ୍ଞାନ ଏବଂ କର୍ମସନ୍ନ୍ଯାସ ଅର୍ଥ କର୍ମଫଳାକାଙ୍କ୍ଷା ତ୍ଯାଗ । ସମସ୍ତ ବସ୍ତୁ ଓ କର୍ମରେ ବ୍ରହ୍ମଜ୍ଞାନ ନହେଲେ କର୍ମସନ୍ନ୍ଯାସ ସମ୍ଭବ ନୁହେଁ । ଏସବୁ ବିଷୟରେ ଭଗବାନ୍ ଏ ଅଧ୍ଯାୟରେ ପ୍ରାଞ୍ଜଳଭାବରେ ବୁଝାଇଅଛନ୍ତି । ଏଣୁ ଏ ଅଧ୍ଯାୟର ନାମ ଜ୍ଞାନ-କର୍ମ-ସନ୍ନ୍ଯାସ-ଯୋଗ ରଖାଯାଇଛି ।

     ଆଚାର୍ଯ୍ୟ ଶଙ୍କର ପ୍ରଭୃତି ସନ୍ନ୍ଯାସୀମାନେ ଗୀତାର ବ୍ଯାଖ୍ଯା ପ୍ରଥମେ କରିଥିବାରୁ ଏବଂ ଏବେ ମଧ୍ଯ ଅନେକ ତାଙ୍କର ଅନୁଗାମୀ ହୋଇଥିବାରୁ ସନ୍ନ୍ଯାସ ଅର୍ଥ କର୍ମତ୍ଯାଗ ବୋଲି କହିଛନ୍ତି । ମାତ୍ର ଏହା ଗୀତାର ପ୍ରତିପାଦ୍ଯ ବିଷୟ ହୋଇଥିଲେ ଅର୍ଜୁନ ଯୁଦ୍ଧ ନକରି ବଣକୁ ତପସ୍ଯା କରିବାକୁ ଯାଇଥାନ୍ତେ । ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ତତ୍ତ୍ବ ବୁଝାଇ ଯୁଦ୍ଧଭଳି ଭୟଙ୍କର କର୍ମରେ ପ୍ରବୃତ୍ତ କରିଥିବା ହେତୁ ସନ୍ନ୍ଯାସୀମାନଙ୍କର ବ୍ଯାଖ୍ଯା ସମୀଚୀନ ମନେହୁଏନାହିଁ । ମନୁ,ଇକ୍ଷ୍ବାକୁ ଓ ଜନକ ପ୍ରଭୃତି ରାଜର୍ଷିମାନଙ୍କ ଭଳି ଗୃହସ୍ଥ କର୍ମଯୋଗୀ ଏବେ ବିରଳ । ଏଣୁ କର୍ମଯୋଗର ପ୍ରକୃତ ତତ୍ତ୍ବ ଏବେ ସାଧାରଣତଃ ସମସ୍ତଙ୍କ ପକ୍ଷରେ ଦୁର୍ବୋଧ ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର,

Related posts

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!