ଅନ୍ଧାରି ମୂଳକରେ ଅନ୍ଧାର ଭିତରେ ସୀମାନ୍ତ ଗ୍ରାମ ବନୁଜୋର ଓ ଶିକାଜୋର
ବିଦ୍ୟୁତ, ପାଣି, ରାସ୍ତା ଓ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ପରିବାରଙ୍କ ଦୁଃଖଦ ଚିତ୍ର
ବାଲିଶଙ୍କରା, ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତିଳେଇକାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଗ୍ରାମ ବନୁଜୋର ଓ ଶିକାଜୋରରେ ମୌଳିକ ସୁବିଧାର ଅଭାବ ଆଜି ମଧ୍ୟ ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଛତିଶଗଡ ସୀମାକୁ ଲାଗି ରହିଥିବା ଏହି ଦୁର୍ଗମ ଅଞ୍ଚଳର ଲୋକମାନେ ବର୍ଷରୁ ବର୍ଷ ଧରି ବିଦ୍ୟୁତ, ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଅତ୍ୟାବଶ୍ୟକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି।
ବନପାହାଡ଼ ଘେରା ବନୁଜୋର ଗ୍ରାମର ରୁପା ବାଥାନ ଓ ବାଉଁଶପଡାରେ ୨୮ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ, ଗତ ସପ୍ତାହେ ହେଲା ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ସମଗ୍ର ଅଞ୍ଚଳ ଅନ୍ଧାରରେ ଡୁବି ରହିଛି। ଗ୍ରାମବାସୀମାନେ ଭଣ୍ଡାର କରୁଆବାହଲ ଗ୍ରୀଡର ଟାଟା ପାୱାର ବିଭାଗୀୟ ସୁପରଭାଇଜର, ଲାଇନମ୍ୟାନ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଅନେକଥର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ।
ଏପଟେ ଗ୍ରୀଷ୍ମ ପ୍ରବାହରେ ଅସହ୍ୟ ଗରମ ସହ ରାତିରେ ସାପ ଓ ବନ୍ୟ ହାତୀର ଭୟ ଗ୍ରାମବାସୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ଅନ୍ଧାର ରାତିରେ ଛୋଟ ଶିଶୁ, ବୃଦ୍ଧ ଓ ମହିଳାମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା କହିଛନ୍ତି।
ସେହିପରି ଶିକାଜୋର ଗ୍ରାମର ଗରୁଡ଼ଡିହି, ଆମପଡା, କୁର୍ଲୁପଡା, ଶିକାଟୋଳି ଓ ମାଳାବାଥାନର ପ୍ରାୟ ୬୦ଟି ପରିବାର ମଧ୍ୟ ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇପଡ଼ିଛନ୍ତି। ଆମପଡାର ଟ୍ରାନ୍ସଫର୍ମର ଗତ ଦୁଇଦିନ ତଳେ ଝଡ଼ବର୍ଷାରେ ଅଚଳ ହୋଇଯାଇଥିବାରୁ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି।
ପାନୀୟ ଜଳ ସମସ୍ୟା ମଧ୍ୟ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ବାଉଁଶପଡାର ଦୁଇଟି ନଳକୂପରୁ ଦୁଇରୁ ତିନି ବାଲ୍ଟି ପାଣି ବାହାରିବା ପରେ ପାଣି ଆସୁନଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ସରକାରୀ ଯୋଜନା କାଗଜକଲମରେ ସୀମିତ ରହିଥିବା ବେଳେ ଏହି ସୀମାନ୍ତ ଅଞ୍ଚଳରେ ଆଜିଯାଏ ମୌଳିକ ସୁବିଧା ପହଞ୍ଚିପାରିନାହିଁ।
ରାସ୍ତାଘାଟ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ। ଅଭ୍ୟନ୍ତରୀଣ ପଡାଗୁଡ଼ିକୁ ପିଚୁ ରାସ୍ତା ସ୍ୱପ୍ନ ପାଲଟିଥିବା ବେଳେ, ମେଟାଲ ଓ କଚ୍ଚା ରାସ୍ତାରେ ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧାମାନେ ଯାତାୟାତ କରିବାରେ ନାନା ଅସୁବିଧା ଭୋଗୁଛନ୍ତି। ବର୍ଷାଦିନେ ରାସ୍ତା ଭାଙ୍ଗିଯାଉଥିବା ବେଳେ ଖରାଦିନେ ବାଲି ଓ ଚିପ୍ସ ବିଛୁରିତ ହୋଇ ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ପରାଗ ଲତା ଟପ୍ପୋ, ସୁବାସିନୀ ମିଂଜ, ଦିବ୍ୟା ଗୋଲାପୀ ମିଂଜ, ମଞ୍ଜୁଳା ତୀର୍କୀ, ଆଗ୍ନେସିୟା ମିଂଜ, ଜାଶିନ୍ତା ଟପ୍ପୋ, ଏଲିଜା ବେଥ ଟପ୍ପୋ, ପ୍ରେମସିଲା କୁଜୁର, ନିର୍ମଳା ତୀର୍କୀ, ମାଧୁରୀ ତୀର୍କୀ, ପୁରୁଷ୍ମନ୍ତି ମିଂଜ, ଆରତୀ ଲାକ୍ରା ଓ ପ୍ରିୟାଞ୍ଜଳି ମିଂଜ ଅଭିଯୋଗ କରିଛନ୍ତି।
ସମାଜସେବୀ ମନୋଜ କୁମାର ଦାନୀଙ୍କୁ ଏନେଇ ଗ୍ରାମବାସୀ ଅବଗତ କରାଇବା ପରେ, ଶ୍ରୀ ଦାନୀ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ଟ୍ରାନ୍ସଫର୍ମର ମରାମତି, ନଳକୂପ ସଂସ୍କାର ଓ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।
ସୀମାନ୍ତ ଅଞ୍ଚଳର ଏହି ଦୁର୍ଦ୍ଦଶା ପ୍ରଶାସନର ବିକାଶ ଦାବି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଥିବା ବେଳେ, କେବେ ଏହି ଅନ୍ଧାରି ମୂଳକକୁ ଉନ୍ନତିର ଆଲୋକ ପହଞ୍ଚିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ସୁନ୍ଦରଗଡ଼ ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ.

