ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଟଖା କିଣାବିକାକୁ ନାହିଁ ଲଗାମ,ତମାଖୁ ବନ୍ଦ ଆଇନ କେବଳ ଲୋକ ଦେଖାଣିଆ,ସ୍କୁଲ,ଛକ,ବଜାର ଓ ଡାକ୍ତରଖାନା ନିକଟରେ ଖୋଲାଖୋଲି ଉଡୁଛି ଆଇନର ଧଜ୍ୟା

ଗୁଟଖା କିଣାବିକାକୁ ନାହିଁ ଲଗାମ,ତମାଖୁ ବନ୍ଦ ଆଇନ କେବଳ ଲୋକ ଦେଖାଣିଆ,ସ୍କୁଲ,ଛକ,ବଜାର ଓ ଡାକ୍ତରଖାନା ନିକଟରେ ଖୋଲାଖୋଲି ଉଡୁଛି ଆଇନର ଧଜ୍ୟା

ଢେ଼ଙ୍କାନାଳ – ପ୍ରତିବର୍ଷ ମେ’ ୩୧ ତାରିଖକୁ ସାରା ବିଶ୍ଵରେ’ବିଶ୍ୱ ତମାଖୁ ବର୍ଜନ ଦିବସ’ଭାବେ ପାଳନ କରାଯାଉଛି। ତମାଖୁର ଭୟାବହତାକୁ ନେଇ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ହୋଇଥିବା ବେଳେ,ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ଉପରେ ସ୍ୱତନ୍ତ୍ର ଗୁରୁତ୍ବ ଦିଆଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ,ଏତେ ସବୁ ସଚେତନତା ସତ୍ତ୍ବେ ରାଜ୍ୟରେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟର କ୍ରୟ ଓ ବିକ୍ରୟ ଉପରେ କୌଣସି ନିୟନ୍ତ୍ରଣ ରହିପାରି ନାହିଁ। ୨୦୧୩ ମସିହାଠାରୁ ରାଜ୍ୟରେ ଗୁଟଖାକୁ ସରକାରୀ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି। ଦୀର୍ଘ ୧୩ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି କଟକଣା ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ ହୋଇ ପାରିନାହିଁ। ନିଷିଦ୍ଧ ହେବାର ପ୍ରଥମ କିଛିଦିନ ଲୁଚାଛପାରେ ବିକ୍ରି ହେଉଥିବା ବେଳେ,ଏବେ ସ୍ଥିତି ବଦଳିଛି। ବର୍ତ୍ତମାନ ଖୋଲାଖୋଲି ଭାବେ ଗୁଟଖା ବେପାର ଚାଲିଛି। ସ୍କୁଲ,ଛକ,ବଜାର ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସବୁଠାରେ ଛୋଟବଡ଼ ଦୋକାନରେ ଗୁଟଖା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି।’କୋଟପା’ଆଇନର ଧାରା ୬ ଅନୁଯାୟୀ,ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିଧି ମଧ୍ଯରେ ତମାଖୁ ବିକ୍ରି ସମ୍ପୂର୍ଣ ବାରଣ କରାଯାଇଛି। ମାତ୍ର ସ୍ଥାନୀୟ ପ୍ରଶାସନ ଏହାକୁ ଭୁଲିଯାଇଥିବା ମନେହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ଧରପଗଡ଼ ହେଉନଥିବାରୁ ଏହାର କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଗୁଟଖା ନିଷିଦ୍ଧ ହୋଇ ଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ରାଜ୍ୟରେ କୋଟପା ଆଇନ ସହ କେନ୍ଦ୍ରୀୟ’ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ’ଆଇନ କାର୍ଯ୍ୟକାରୀ ହେଉଛି। ତେବେ ଖଇନି ଓ ଜର୍ଦା ଆଦି ସିଧାସଳଖ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହେଉନଥିବାରୁ,ବିଭାଗ ପକ୍ଷରୁ ଏହାର ବିକ୍ରି ଉପରେ କଠୋର କଟକଣା ଲଗାଇବା ସମ୍ଭବପର ହେଉନାହିଁ। ତମାଖୁ ପ୍ରସ୍ତୁତି ସହ କିଣାବିକା ଉପରେ କଟକଣା ଜାରି ହୋଇଥିଲେ ସୁଦ୍ଧା,ଏଥିପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ଢେ଼ଙ୍କାନାଳ ଜିଲ୍ଲାର ବିଭିନ୍ନ ଗାଁ,ଛକ,ବଜାର,ସହର ଠାରୁ ଆରମ୍ଭ କରି ସାହି ଓ ଅଞ୍ଚଳର ବିଭିନ୍ନ ସ୍ଥାନମାନଙ୍କରେ ସହ ଏହାର ଆଖପାଖ ଅଞ୍ଚଳରେ ଥିବା ପାନ ଓ ଛୋଟ ବଡ଼ ଦୋକାନ ଗୁଡ଼ିକରେ ବିନା ବାଧାରେ ଗୁଟଖା,ପାନ,ସିଗାରେଟ,ଖଇନି,ବିଡି ବିକ୍ରି ହେଉଛି। କିଛି ଅସାଧୁ ବ୍ୟକ୍ତି ଓ ବେପାରୀମାନେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଗୁଟଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଛନ୍ତି। ଏଠାରେ ଦୈନିକ ଲକ୍ଷାଧିକ ଟଙ୍କାର ଗୁଟଖା କାରବାର ହେଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ସରକାରଙ୍କ ତମାଖୁ ନିଷେଧ କେବଳ କାଗଜକଲମରେ ସୀମିତ ରହିଯାଇଛି। ବର୍ଷକୁ ଥରେ ଅଧେ ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରାଯାଉଛି। ତାହା ପୁଣି ସମ୍ପୂର୍ଣ ଲୋକଦେଖାଣିଆ। ହାତଗଣତି ମାତ୍ର ୪ ରୁ ୫ଟି ଛୋଟ ପାନ ଓ ଚା’ ଦୋକାନରୁ ୨ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରି ପ୍ରଶାସନ ନିଜ ଦାୟିତ୍ଵ ସାରିଦେଉଛି। ଅସାଧୁ ନକଲି ଗୁଟଖା ପ୍ରସ୍ତୁତକାରୀ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାରଖାନା ନିର୍ଦ୍ଧୋନ୍ଦରେ ଚାଲିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଜୀବନ ହାନିର ଆଶଙ୍କା ଥାଇ ସୁଦ୍ଧା ଗୁଟଖା ସେବନକାରୀଙ୍କ ଚେତା ପଶୁନାହିଁ। ତେଣୁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଧାରଣ ଜନତା ତମାଖୁ ଦ୍ରବ୍ୟ ତ୍ୟାଗ କରିବା ଲାଗି ଶପଥ ନେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶର କେନ୍ଦ୍ରବିନ୍ଦୁ ଗଦଗଦି ଘାଟ

masiha

୧- ଝରଣା ପାଣିରେ ମେଣ୍ଟୁଛି ଶୋଷ , ୨- କାପଲଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର 

masiha

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!