ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଡିଓ ବସୁଧାର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ -୨୦୨୬ ପାଳିତ 

ରେଡିଓ ବସୁଧାର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ -୨୦୨୬ ପାଳିତ 

ଆଗାମୀ ଦିନରେ ରେଡିଓର ଲୋକପ୍ରିୟତା ଆହୁରି ଅଧ‌ିକ ବଢ଼ିବ 
ସାମୁଦାୟିକ ସ୍ୱରକୁ ପ୍ରାଧାନ୍ୟ ଦେବାକୁ ସମସ୍ତ ବକ୍ତାଙ୍କ ମତ 
ଗୋଷ୍ଠୀ ବେତାର ଗ୍ରାମ୍ୟ ଉନ୍ନୟନର ଶକ୍ତିଶାଳୀ ମାଧ୍ୟମ 
ଗୋଷ୍ଠୀ ଉନ୍ନୟନରେ ଗୋଷ୍ଠୀ ବେତାରର ଭୂମିକା ଗୁରୁତ୍ଵପୂର୍ଣ୍ଣ 
କୃତ୍ରିମ ବୁଦ୍ଧିମତା ଏକ ଯନ୍ତ୍ରାଂଶ,ସ୍ଵର ନୁହେଁ

ଢେଙ୍କାନାଳ: ୧୧।୬। ୨୦୨୬ ରିଖ: (ମ ନି ସ     ) : ନିକଟରେ କାମାକ୍ଷାନଗର ଜିରିଡାମାଳୀଠାରେ ଥିବା ଅବିଭକ୍ତ ଢେଙ୍କାନାଳର ସର୍ବ ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ୯୦ ଏଫ୍ ଏମ୍ ରେଡିଓ ବସୁଧା ତା’ର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ -୨୦୨୬ ରେଡିଓ ବସୁଧାର ଷ୍ଟୁଡିଓ ପରିସରରେ ପାଳିତ ହୋଇଯାଇଛି।

ଅନୁଷ୍ଠାନର ନିର୍ଦ୍ଦେଶକ ଶିଶିର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଯୋଗଦେଇ ପାରମ୍ପରିକ ଛେନାପୋଡ଼ କାଟି ଉତ୍ସବ ପାଳନ କରିବା ସହ ବସୁଧାର ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକ ମାନେ ବିଭିନ୍ନ ସୂଚନା ପାଇପାରିବା ନେଇ ସନ୍ତୋଷ ପ୍ରକାଶ କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନୀୟ ଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ ବେଉରା ଯୋଗଦେଇ ରେଡିଓ ମାଧ୍ୟମରେ କୃଷକ ଭାଇଭଉଣୀ ମାନଙ୍କ ପାଇଁ କୃଷି ସମ୍ପର୍କିତ ସୂଚନା ରଖିବା ସହ ବସୁଧା ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ଏଭଳି ସୂଚନା ଓ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀତା ଦାସ ଓ ସ୍ତମ୍ଭକାର ସାହିତ୍ୟିକ ଡ.ପ୍ରଫୁଲ୍ଲ କୁମାର ପାଣି ଅନୁଷ୍ଠାନର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ସହ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରେଡିଓ ବସୁଧା ଆହୁରି ଆଗକୁ ଯାଉ ଓ ଆହୁରି ଲୋକପ୍ରିୟ ହେଉ ବୋଲି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଡ଼ିଓ ବସୁଧାର ନିର୍ଦ୍ଦେଶକ ଶିଶିର ଶତପଥୀ ସ୍ଵୀୟ ଅତିଥି ପରିଚୟ ପ୍ରଦାନ,ସ୍ୱାଗତଭାଷଣ ପ୍ରଦାନ ଅବସରରେ ଢେଙ୍କାନାଳ ରେଡ଼ିଓର ସୃଷ୍ଟି,କ୍ରମବିବର୍ତ୍ତନ,ବିଶ୍ବ ରେଡ଼ିଓ ଦିବସର ମହତ୍ଵ,ଗୋଷ୍ଠୀ ବେତାରର ସାମାଜିକ ଦାୟିତ୍ଵ,ଗୋଷ୍ଠୀ ବେତାର କିପରି ଗ୍ରାମ୍ୟ ଲୋକଙ୍କ ସହ ସିଧାସଳଖ ସଂଯୋଗ ସୃଷ୍ଟି କରି ସଚେତନତା ଓ ଉନ୍ନୟନର ଶକ୍ତିଶାଳୀ ମାଧ୍ୟମ ଭାବେ କାମ କରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ସମସ୍ତ ଉପସ୍ଥିତ ସଜ୍ଜନ ମଣ୍ଡଳୀ ସ୍ୱୀୟ ସ୍ଵୀୟ ମାର୍ଗଦର୍ଶନରେ ରେଡ଼ିଓ ବସୁଧା ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ବିଚାରଧାରାକୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ପାଇଁ,ସ୍ୱାସ୍ଥ୍ୟ,ଶିକ୍ଷା,କୃଷି ଏବଂ ସମାଜ ମଙ୍ଗଳ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରସାରଣ କରିବା ସହ ସ୍ଥାନୀୟ ଲୋକ କଳା,ସଂସ୍କୃତି,ସ୍ବାସ୍ଥ୍ୟ ଓ ପୁଷ୍ଟି,ଶିକ୍ଷା,ଯୁବ ଓ କ୍ରୀଡ଼ା,ସମାଜ ମଙ୍ଗଳ,ସାମାଜିକ କଲ୍ୟାଣ,ଉଦ୍ୟୋଗ ଏବଂ ନବସୃଜନ, ଜୀବନ ଜୀବିକା,କୃଷି ଓ ଗ୍ରାମୀଣ ଉନ୍ନତି,ସାମାଜିକ ସମସ୍ୟା,ନାଗରିକ ସଚେତନତା,ଗୋଷ୍ଠୀ ସଂପୃକ୍ତି,ସମ୍ପ୍ରଦାୟ ସମ୍ପର୍କ,ପରିବେଶ ଓ ପରିମଳ ସଚେତନତା,ସଙ୍ଗୀତ ଓ ପରମ୍ପରାର ସଂରକ୍ଷଣ ତଥା ପ୍ରୋତ୍ସାହନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଏହାବ୍ୟତୀତ ସମାଜରେ ସମାବେଶୀକରଣ ଓ ସାମାଜିକ ସଂହତି ବଜାୟ ରଖିବା ପାଇଁ ଗୋଷ୍ଠୀଗତ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରିବାକୁ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ। ରେଡ଼ିଓ କାର୍ଯ୍ୟକ୍ରମଗୁଡ଼ିକର ସୁପରିଚାଳନା ସହ ଏହାକୁ ଜନସାଧାରଣଙ୍କ ସ୍ୱର ଭାବେ ଗଢ଼ିତୋଳିବା ପାଇଁ ଦୃଢ଼ ଆହ୍ଵାନ ଜଣାଇଥିଲେ।ପ୍ରତିବର୍ଷ ୧୩ ଫେବୃଆରୀକୁ ବିଶ୍ଵ ରେଡିଓ ଦିବସ ଭାବେ ପାଳନ କରାଯାଉଥ‌ିବା ବେଳେ ଚଳିତବର୍ଷର ଥମ୍ “କୃତ୍ରିମ ବୁଦ୍ଧିମତା ଏକ ଯନ୍ତ୍ରାଂଶ,ସ୍ଵର ନୁହେଁ” ରହିଛି ବୋଲି କହିଥିଲେ।ରେଡିଓ ହେଉଛି ଏକ ତତ୍କାଳ ଶ୍ରାବ୍ୟ ଗଣମାଧ୍ୟମ ଯାହାକି ସ୍ୱର ସଂରଚନା ମାଧ୍ୟମରେ ଲୋକଙ୍କୁ ଯୋଡ଼ିଥାଏ।ଏହା ଏକ ସରଳରୈଖିକ ଗଣମାଧ୍ୟମ ହୋଇଥିବାରୁ ଏହାର ପ୍ରତ୍ୟେକ ଶବ୍ଦ କିପରି ଲୋକଙ୍କ ପାଖରେ ଠିକ୍ ଢଙ୍ଗରେ ପହଞ୍ଚିବ ସେ ନେଇ ଯତ୍ନବାନ ହେବାକୁ ପଡ଼ିଥାଏ।ଅପରପକ୍ଷରେ ନାନା ପ୍ରକାର ଗଣମାଧ୍ୟମ ମୁଣ୍ଡ ଟେକୁଥ‌ିବା ସତ୍ତ୍ବେ ଆଗାମୀ ଦିନରେ ରେଡିଓର ଲୋକପ୍ରିୟତା ଆହୁରି ଅଧ‌ିକ ବଢ଼ିବ ବୋଲି ସମସ୍ତ ବକ୍ତା ମତପ୍ରକାଶ କରିଥିଲେ।ଏହି ଅବସରରେ ଷ୍ଟୁଡିଓ ପରିସରରେ କବି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରାକ୍ତନ ପ୍ରାଧ୍ୟାପକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡ.ପ୍ରମୋଦ କୁମାର ନାୟକ,ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ପ୍ରାକ୍ତନ ପ୍ରାଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ,ଆଡ୍ ଭୋକେଟ୍ ତଥା ସାହିତ୍ୟିକ ପ୍ରକାଶ ଚନ୍ଦ୍ର ରାଉତ,ଯୁବକବି ଲିଙ୍କୁ ପତି,ପ୍ରାକ୍ତନ ପ୍ରାଧ୍ୟାପକ,ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟିକ ଡ଼.ପ୍ରଫୁଲ୍ଲ ପାଣି,କବିଜ୍ଯୋତି ନିରଞ୍ଜନ ପତି,ସୁଶାନ୍ତ ପତି,ଇଂ ହିମାଦ୍ରୀ ଦାସ ପ୍ରମୁଖ କବିମାନେ ସେମାନଙ୍କ ସ୍ବରଚିତ କବିତା ଆବୃତ୍ତି କରିଥିଲେ।କାର୍ଯ୍ୟକ୍ରମରେ ରେଡିଓ ବସୁଧାର ସମ୍ପାଦକ ସରୋଜ ଶତପଥୀ,ଶିଶିର କୁମାର ପାଣି,ସୁଶାନ୍ତ ପତି,ଦୀପକ କୁମାର ମିଶ୍ର,ପ୍ରଦୀପ କୁମାର ବେହେରା,ବସୁଧା କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟ ବାଦଲ ମହାନ୍ତି,ସହଯୋଗୀ ପ୍ରତିମା ବେହେରା,କାର୍ଯ୍ୟକ୍ରମ ନିଷ୍ପାଦକଭାବେ ସୁଚିତ୍ରା ବେହେରା ଓ ତୁଳସୀ ବେହେରା ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଆରମ୍ଭ ଓ ଶେଷରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ ମଧ୍ୟରେ ନିମନ୍ତ୍ରିତ ଅତିଥି କଳାକାର କଣ୍ଠଶିଳ୍ପୀ ସତୀଶ ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ମଙ୍ଗଳାଚରଣ ଗାନ,ବେଦ ପାଠ,ଶାନ୍ତିପାଠ ଓ କଣ୍ଠଶିଳ୍ପୀ ସୁଚିତ୍ରା ବେହେରା ଓ ତୁଳସୀ ବେହେରାଙ୍କ ଦ୍ବାରା ମିଳିତ ଭାବରେ ବିଭିନ୍ନ ସୁମଧୁର,ମନଛୁଆଁ ସଙ୍ଗୀତ ଗାନ ଦର୍ଶକମଣ୍ଡଳୀ ଦ୍ବାରା ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଶେଷରେ ରେଡିଓ ବସୁଧାର ସମ୍ପାଦକ ସରୋଜ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

କୃତି କୋରାପୁଟ କଫି କେବଳ ଏକ ପ୍ରିମିୟମ୍ ଆଞ୍ଚଳିକ ଉତ୍ପାଦ ନୁହେଁ, ବରଂ ଏହା ଆଦିବାସୀ ଉଦ୍ୟମିତା, ନିରନ୍ତର କୃଷି ଏବଂ ସମାବେଶୀ ବିକାଶର ଏକ ସଫଳ ଦୃଷ୍ଟାନ୍ତ

ନୂଆପଡାରେ ଜିଲ୍ଲାପାଳଙ୍କ ନିଶୁଳ୍କ କୋଚିଂ ସେଣ୍ଟର ପରିଦର୍ଶନ, ଚାକିରୀ ଆଶାୟୀଙ୍କୁ ଦେଲେ ମୂଲ୍ୟବାନ ପରାମର୍ଶ

Sunil Chandra Nayak

Leave a Comment

error: Content is protected !!