ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ବିକାଶର ଢୋଲ ବାଜୁଛି, ଗର୍ଭବତୀ ଆଜି ବି ଖଟିଆରେ !

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ବିକାଶର ଢୋଲ ବାଜୁଛି, ଗର୍ଭବତୀ ଆଜି ବି ଖଟିଆରେ !

କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପଞ୍ଚାୟତର ଲେକାଆମ ଗାଁରେ ପୁଣିଥରେ ବିକାଶର ଅସଲ ଚିତ୍ର ସାମ୍ନାକୁ ଆସିଛି। ସରକାରୀ କାଗଜପତ୍ରରେ ହୁଏତ ରାସ୍ତା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ଲମ୍ବା ତାଲିକା ଥାଇପାରେ, କିନ୍ତୁ ବାସ୍ତବରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ଆଜି ବି ଖଟିଆ ହିଁ ଭରସା। ଲେକାଆମ ଗାଁର ଦୂର ସାନ୍ତା (୩୫) ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ମୈଦଲପୁର ସିଏଚସିରୁ ଆମ୍ବୁଲାନ୍ସ ତୁରନ୍ତ ବାହାରିଥିଲା। କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଗାଡ଼ି ୨ କିଲୋମିଟର ଦୂରରେ ଅଟକି ଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଆମ୍ବୁଲାନ୍ସ ରୋଗୀ ପାଖକୁ ପହଞ୍ଚି ପାରୁନାହିଁ, ତେବେ ସେହି ଗାଁର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କେଉଁଠି ? ଏହି ସମୟରେ ଆମ୍ବୁଲାନ୍ସ ଚାଳକ ଡମ୍ବରୁ ହରିଜନ ଦେବଦୂତ ସାଜିଥିଲେ। ସେ ଗାଁକୁ ଚାଲି ଚାଲି ଯାଇ ପରିବାର ଲୋକଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨ କିଲୋମିଟର ଆଣି ଆମ୍ବୁଲାନ୍ସରେ ବସାଇଥିଲେ। ପରେ ତାଙ୍କୁ ମୈଦଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୌଭାଗ୍ୟବଶତଃ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଏବଂ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଘଟଣାର ଖୁସିର ଦିଗ ହେଉଛି ମା’ ଓ ଶିଶୁ ସୁସ୍ଥ ଅଛନ୍ତି, କିନ୍ତୁ ଦୁଃଖର ବିଷୟ ହେଉଛି ଏଭଳି ଘଟଣା ଆଉ ଖବର ନୁହେଁ, ଏକ ନିତିଦିନିଆ ଚିତ୍ର ହୋଇଗଲାଣି। ଡିଜିଟାଲ ଇଣ୍ଡିଆ, ସ୍ମାର୍ଟ ଗାଁ ଓ ବିକାଶର ବଡ଼ ବଡ଼ ଭାଷଣ ମଧ୍ୟରେ ଲୋକମାନେ ଆଜି ବି ରୋଗୀଙ୍କୁ ଖଟିଆରେ ବୋହି ହସ୍ପିଟାଲ ନେଉଛନ୍ତି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କଣ ହୋଇପାରେ ?

କୁଟରୁ, ଲେକାଆମ, ବାଘଝରଣ, ସର୍ଗିପାନୀ, ଆନ୍ଧିଝରଣ ଓ ଗୋଇଚଞ୍ଚରା ଭଳି ଅନେକ ଦୁର୍ଗମ ଗାଁର ଆଦିବାସୀ ଲୋକମାନେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ରାସ୍ତା ନାହିଁ, ସ୍ୱାସ୍ଥ୍ୟ ସେବା ଅପହଂଚ, ପାନୀୟ ଜଳ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ଅସନ୍ତୋଷଜନକ।ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଏହି ଗାଁଗୁଡ଼ିକ ବିକାଶର ମାନଚିତ୍ରରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସବୁଠାରୁ ବଡ଼ ବିଡମ୍ବନା ହେଉଛି, କଳାହାଣ୍ଡି ପ୍ରଶାସନର ଅଧୀନରେ ଥିବା ଏହି ଗାଁଗୁଡ଼ିକର ଲୋକମାନେ ନିଜ ଜିଲ୍ଲାର ହସ୍ପିଟାଲ ଅପେକ୍ଷା ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ସିଏଚସି ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ସେଠାକୁ ଦୂରତା କମ୍ ଓ ଯୋଗାଯୋଗ ସୁବିଧା ଅଧିକ। ତେବେ ପ୍ରଶ୍ନ ହେଉଛି, ନିଜ ଜିଲ୍ଲାର ଲୋକଙ୍କ ପାଖକୁ ମୌଳିକ ସେବା ପହଞ୍ଚାଇବାରେ ପ୍ରଶାସନ କାହିଁକି ବିଫଳ ? ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ପ୍ରଶଂସନୀୟ। କିନ୍ତୁ ପ୍ରତିଥର ଜଣେ କର୍ମଚାରୀଙ୍କ ମାନବିକତା ଉପରେ ବ୍ୟବସ୍ଥାର ବିଫଳତାକୁ ଲୁଚାଇ ହେବ ନାହିଁ। ରାସ୍ତା ନଥିବା, ସ୍ୱାସ୍ଥ୍ୟ ସେବା ନପହଞ୍ଚିବା ଓ ଲୋକଙ୍କୁ ଖଟିଆରେ ବୋହିବା ଘଟଣା ସରକାରୀ ବ୍ୟବସ୍ଥାର ନଗ୍ନ ସତ୍ୟକୁ ସାମ୍ନାକୁ ଆଣୁଛି। ଏବେ ସମୟ ଆସିଛି କେବଳ ପ୍ରତିଶ୍ରୁତି ନୁହେଁ, କାର୍ଯ୍ୟକାରୀ ପଦକ୍ଷେପ ନେବାର।ନଚେତ ଆଗାମୀ ଦିନରେ ମଧ୍ୟ ଖଟିଆ ହିଁ ଆମ୍ବୁଲାନ୍ସର ବିକଳ୍ପ ହୋଇ ରହିବ ଓ ବିକାଶର ଢୋଲ କେବଳ ସଭାମଞ୍ଚରେ ହିଁ ବାଜୁଥିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Related posts

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

masiha

ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ

କର୍ଲାପଡା କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!