ମାଧପୁର କାବେରାରେ ଚାରିଦିନ ବ୍ୟାପି ବର୍ଣ୍ଣାଢ଼୍ୟ ଗଣପର୍ବ ରଜ ଉତ୍ସବ -୨୦୨୬ ମହାମାରୋହରେ ପାଳିତ
ଢେଙ୍କାନାଳ,ମାଧପୁର (କାବେରା) : ତା.୧୭.୦୬.୨୦୨୬ ରିଖ :ଓଡ଼ିଶାର ଐତିହ୍ୟପୂର୍ଣ୍ଣ ଚାରିଦିନ ବ୍ୟାପି ବର୍ଣ୍ଣାଢ଼୍ୟ ଗଣପର୍ବ ରଜ ଉତ୍ସବ -୨୦୨୬ ଢେଙ୍କାନାଳ ଜିଲ୍ଲା ମାଧପୁର (କାବେରା) ଗ୍ରାମ ସୁରଙ୍ଗନା କଳା ନିକେତନ ଓ ମାଧପୁର ଯୁବକ ସଂଘ ମିଳିତ ଆନକୂଲ୍ୟରେ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି।”ରଜ ସଜବାଜ ୨୦୨୬”କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା।ଏହି ଉତ୍ସବରେ ପହିଲି ରଜ,ମିଥୁନ ସଂକ୍ରାନ୍ତି,ଭୂମି ଦହନ ଓ ଶେଷରେ ବସୁମତୀ ସ୍ନାନ ଓ ବସୁଧା ବନ୍ଦନ ଭାବେ ପାଳନ କରାଯାଇଥିଲା।ସୁରଙ୍ଗନା କଳା ନିକେତନର ଛାତ୍ରୀମାନେ,ଅଳତା ଆଉ ମେହେନ୍ଦି,ସୁନ୍ଦର ବସ୍ତ୍ରରେ ବିଭୂଷିତ ହୋଇ ପାରମ୍ପରିକ ପୋଷାକ ପିନ୍ଧି ରଜଦୋଳି ଖେଳ ପ୍ରଦର୍ଶନ କରିଥିଲେ।ରଜ ସମ୍ପର୍କରେ ବିଭିନ୍ନ ପ୍ରକାର ଲୋକଗୀତମାନ ଗାନ ସମଗ୍ର ପରିବେଶକୁ ମୁଖରିତ କରିଦେଇଥିଲା।ଏହି ଅବସରରେ ନୃତ୍ୟ,ଗୀତ, ମେହେନ୍ଦୀ,ଝୋଟି ଓ କ୍ୟାରମ୍ ବୋର୍ଡ଼ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ମାଧପୁର,କାବେରା,ଚିରୁଳେଇ,ଭୁବନ ଭଳି ଅନେକ ସ୍ଥାନରୁ ବହୁ ସଂଖ୍ଯାରେ ପ୍ରତିଯୋଗୀବୃନ୍ଦ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ସମସ୍ତେ ରଜପାନ ଖାଇ,ରଜଦୋଳି ଖେଳି ଆନନ୍ଦ ଉଲ୍ଲାସରେ ରଜପର୍ବରେ ସାମିଲ୍ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବରେ ଶିବରାମ ପାଣିଗ୍ରାହୀ,ମୁଖ୍ୟ ପରିଚାଳକ କୃଷି ବାଣିଜ୍ୟିକ ଷ୍ଟେଟ୍ ବ୍ୟାଙ୍କ୍ ,ବିଶିଷ୍ଟ ଅତିଥି କବି ନାରାୟଣ ମୁଦୁଲି,ଓଡ଼ିଆ – ହିନ୍ଦୀ ଅଫିସର୍, ରାଜଭବନ ଭୁବନେଶ୍ୱର, ମୁଖ୍ୟବକ୍ତା ଭାବରେ ବ୍ରହ୍ମା କୁମାରୀଜ୍ ସଂସ୍ଥା ଢେଙ୍କାନାଳର ମୁଖ୍ୟ ବି.କେ.ଉଷା ଦିଦି ଏବଂ ଦଶରଥ ନନ୍ଦ,ସିଦ୍ଧେଶ୍ୱର ସାହୁ,କେଶଵ ଚନ୍ଦ୍ର ସାହୁ, ବି.କେ.ନର୍ମଦା ସାହୁ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିଥିଲେ।ସମସ୍ତ ଅତିଥିବୃନ୍ଦ ଏଇଭଳି ପ୍ରୟାସ ଓଡ଼ିଆ କଳା,ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ କରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ଏବଂ ମାଧପୁର ଗ୍ରାମବାସୀ ଓ ଯୁବକ ସଂଘକୁ ପ୍ରଶଂସା କରିଥିଲେ।ସୁରଙ୍ଗନା କଳା ନିକେତନର ଗ୍ରାମାଞ୍ଚଳର କଳା ସଂସ୍କୃତିକୁ ସହଯୋଗ ଦ୍ୱାରା ପ୍ରୋତ୍ସାହିତ କରିବା ଭାବନାର ପ୍ରଶଂସା ମଧ୍ୟ କରିଥିଲେ।ସୁରଙ୍ଗନା କଳା ନିକେତନର ନିର୍ଦ୍ଦେଶିକା ଗୁରୁ ପ୍ରଜ୍ଞାପ୍ରିୟା ନନ୍ଦ ସ୍ୱୀୟ ବକ୍ତବ୍ୟରେ କହିଲେ,ଆମ ଉଦ୍ଦେଶ୍ୟ ହେଲା ନୂଆ ପିଢ଼ି ପାଖରେ ରଜ ପର୍ବର ମହତ୍ତ୍ୱ ପହଞ୍ଚାଇବା।ନାରୀ ସମ୍ମାନ ଆଉ ଓଡ଼ିଆ ସଂସ୍କୃତିର ପରିଚୟ ରଜ ମାଧ୍ୟମରେ ଜୀବନ୍ତ ରହୁ ବୋଲି ଆଶା ପ୍ରକଟ କରିଥିଲେ।ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ,ଧୂପ ଅର୍ପଣ,ପ୍ରଦୀପ ପ୍ରଜ୍ୱଳନ,ମଙ୍ଗଳା ଚରଣ ଗାନ,ଶାନ୍ତିପାଠ,ପ୍ରାରମ୍ଭିକ ସମବେତ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା।ପ୍ରାରମ୍ଭିକ ଭଜନ ପ୍ରକାଶ କୁମାର ପରିଡ଼ା ପରିବେଷଣ କରିଥିଲେ।ଆରିଶ୍ମିତା ନନ୍ଦ ଓ ରୁକ୍ମିଣୀ ସମସ୍ତ ସାଂସ୍କୃତିକ କାର୍ଯକ୍ରମକୁ ସଂଯୋଜନା କରିଥିଲେ।ସମସ୍ତ ପ୍ରତିଯୋଗିତାରେ ଗୁରୁ ଶ୍ରୀକାନ୍ତ କୁମାର ସାହୁ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ।ସଂଗୀତ ରଙ୍ଗାରଙ୍ଗ କାର୍ଯକ୍ରମରେ କଣ୍ଠଶିଳ୍ପୀ ସୁଶ୍ରୀ ଶୁଭଶ୍ରୀ, ରାଜେନ୍ଦ୍ର ଭଞ୍ଜ,ପ୍ରକାଶ କୁମାର ପରିଡ଼ା ଓ ଜିତ କୁମାରଙ୍କର ଗୀତରେ ଦର୍ଶକ ବିମୋହିତ ହୋଇଥିଲେ।ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉପହାର ଓ ଅତିଥିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶ୍ରୀ ଅଜୟ କୁମାର ନନ୍ଦଙ୍କ ଲିଖିତ କବିତା “ମାଧପୁର ମାଟି ଇତିହାସ”ବି.କେ.ଜିତେନ୍ଦ୍ର ବେହେରା ଦ୍ଵାରା ପରିବେଷଣ କରାଯାଇଥିଲା।ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଲୋକ ଏହି ଉତ୍ସବରେ ଯୋଗ ଦେଇଥିଲେ।ଅନୁଷ୍ଠାନର ମାର୍ଗଦର୍ଶକ ତଥା ଉପଦେଷ୍ଟା ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ଭରତ ଭୂଷଣ ବେହେରା,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର, ଡ଼ା.ଅନୁପମ ଦେବାଶିଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମର ସଫଲତା ପାଇଁ ଅନେକ ଅନେକ ଶୁଭ ଅଭିନନ୍ଦନ, ଢେର୍ ସାରା ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ଜଣାଇ ଥିଲେ।ସଭାପତି ନିରଞ୍ଜନ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବି.କେ.ଜିତେନ୍ଦ୍ର ବେହେରା,ନିର୍ଦ୍ଦେଶିକା ପ୍ରଜ୍ଞାପ୍ରିୟା ନନ୍ଦ ମାଧପୁର ଯୁବକ ସଂଘ,ପ୍ରତ୍ୟେକ କଳାକାର,କାର୍ଯ୍ୟକ୍ରମକୁ ସହଯୋଗ ଦେଇଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଓ ସାଧୁବାଦ୍ ଜଣାଇବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

