ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:( ତା. ୦୮.୦୭.୨୦୨୬) (ରବି ନାରାୟଣ ମହାନ୍ତି) ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ପୃଷ୍ଟି କହିଥିଲେ ଯେ, ରଥଯାତ୍ରା ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ। ଏହି ପବିତ୍ର ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସୁଚାରୁ ଭାବେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଏବଂ ନିରବଚ୍ଛିନ୍ନ ଦର୍ଶନ ବ୍ୟବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା, ରଥଯାତ୍ରା ମାର୍ଗର ମରାମତି, ପରିଷ୍କାର-ପରିଚ୍ଛନ୍ନତା, ଆଲୋକୀକରଣ ଏବଂ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗ, ପୌରପାଳିକା ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଯାତ୍ରା ପଥର ଅନ୍ତିମ ଚୂଡ଼ାନ୍ତକରଣ ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା ପୂର୍ବରୁ ସମ୍ପନ୍ନ କରିବାକୁ କୁହାଯାଇଥିଲା।ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜରଦାରି, ରୁଟ୍ ମାର୍ଚ୍ଚ ଏବଂ ସୁଚିନ୍ତିତ ଟ୍ରାଫିକ ଡାଇଭର୍ସନ୍ ଯୋଜନା ପ୍ରସ୍ତୁତ କରି ଏହାକୁ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଅଗ୍ନି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଅଗ୍ନିଶମ ବାହିନୀ, ପାଣି ଟ୍ୟାଙ୍କର ସଜାଗ ଅବସ୍ଥାରେ ରଖିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ଖୋଲା ବିଦ୍ୟୁତ୍ ତାର ଓ ବିପଦଜନକ ସଂଯୋଗଗୁଡ଼ିକର ଯାଞ୍ଚ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପ୍ରମୁଖ ସ୍ଥାନରେ ପ୍ରଥମ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ, ମୋବାଇଲ ହେଲଥ ଟିମ୍, ପାନୀୟ ଜଳ କେନ୍ଦ୍ର, ଅସ୍ଥାୟୀ ଶୌଚାଳୟ, ଓଆରଏସ୍ ବଣ୍ଟନ ଏବଂ ଛାୟା ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ, ପୌରପାଳିକା ଓ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।ମନ୍ଦିର ପ୍ରଶାସନ, ସେବାୟତ ଓ ପୂଜକମାନଙ୍କ ସହ ସମନ୍ୱୟ ରକ୍ଷା କରି ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା ସହ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏଥିସହ ‘ସ୍ୱଚ୍ଛ ରଥଯାତ୍ରା’ ଅଭିଯାନ ଅଧୀନରେ ପ୍ଲାଷ୍ଟିକ ବର୍ଜନ, ଡଷ୍ଟବିନ ସ୍ଥାପନ ଏବଂ ଯାତ୍ରା ପରେ ତୁରନ୍ତ ସଫେଇ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୌର ନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଅଗ୍ନିଶମ ଅଧିକାରୀ, ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ମନ୍ଦିର ପରିଚାଳନା କମିଟିର ସଭାପତି, ସେବାୟତ ପ୍ରତିନିଧି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ଡା. ପ୍ରମୋଦ କୁମାର ପୃଷ୍ଟି ସମସ୍ତ ସମ୍ପୃକ୍ତ ବିଭାଗକୁ ଦୈନିକ ପ୍ରଗତି ରିପୋର୍ଟ ଦାଖଲ କରିବା ସହ ତୁରନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ରଥଯାତ୍ରାର ସଫଳ ଆୟୋଜନ ପାଇଁ ଜିଲ୍ଲାବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।ତହସିଲଦାର ନବରଙ୍ଗପୁର ଭୋଲେଶ୍ୱର ନାୟକ ଏହି ବୈଠକକୁ ପରିଚାଳନା କରିଥିଲେ।

Related posts

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

Sunil Chandra Nayak

ସାମ୍ବାଦିକ ଓ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନିତ କରିବା ପଡିଲା ମହଙ୍ଗା

Sunil Chandra Nayak

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

Leave a Comment

error: Content is protected !!