ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ
ଥୁଆମୂଳ ରାମପୁର:୧୪/୦୭ – (ମନିସ) :- ଦର୍ଶନୀୟ ସ୍ଥାନର ବିକାଶ ଉପରେ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଣଦେଖା କରୁଥିବା ଜଣାପଡିଛି। କାହିଁକି ନା ବିଭିନ୍ନ ଅଞ୍ଚଳରେ ସୁନ୍ଦର ସୁନ୍ଦର ଛୋଟ ବଡ ଜଳପ୍ରପାତ, ସୁନ୍ଦର ପରିବେଶ ରହିଛି ତଥାପି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପ୍ରକାରେ ତାହାର ରିପୋର୍ଟ ସଂଗ୍ରହ କରି ପାରିପାର୍ଶ୍ବିକ ବିକାଶ ପ୍ରତି ଧ୍ୟାନ ଦିଅନ୍ତି ତେବେ ଅଞ୍ଚଳର ବିକାଶ କ୍ଷେତ୍ରରେ ଆଗେଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ହେଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ମିଳିଛି କିନ୍ତୁ ଏହାର ପାରିପାର୍ଶ୍ବିକ ବିକାଶ ଦିଗରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛନ୍ତି ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଦୂରଦୂରାନ୍ତରୁ ପ୍ରତ୍ୟେକ ବର୍ଷ ଶତାଧିକ ପର୍ଯ୍ଯଟକଙ୍କ ଭିଡ ଏଠାରେ ଦେଖିବାକୁ ମିଳନ୍ତି। ଛୋଟବଡ ଝରଣାର ଜଳ ପ୍ରପାତ ଶୀତଳ ଜଳ ଧାରା କୁଳୁକୁଳୁ ଶବ୍ଦରେ ଆଗକୁ ମାଡିଚାଲେ ଏହି ଦୃଶ୍ୟ ହୃୟସ୍ପର୍ଶି ଓ ଶାନ୍ତି ଦାୟକ ମନେହୁଏ। କର୍ମକ୍ଳାନ୍ତ ଜୀବନରେ ମନୁଷ୍ୟ କୁ କିଛି ସମୟ ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପରିବେଶ ଓ ସୁନ୍ଦର ଜଳପ୍ରପାତକୁ ଥରେ ବୁଲି ଦେଖି ବିଭୋର ହେଉଥିବା ମଧ୍ୟ ଦେଖାଯାଏ। ଏହି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଥିବା ବେଳେ ତାର ପାରିପାର୍ଶ୍ବିକ ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗଙ୍କ ଇଛାଶକ୍ତି ଅଭାବ ରହିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଥିବା ଜଣାଯାଏ। ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀ ରହିଛି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ଯଦି ଉନ୍ନତି କରଣ ଦିଗରେ ପ୍ରୟାସ କରାଯାଏ ତେବେ ଥୁଆମୂଳ ରାମପୁର ବ୍ଳକର ସାମାଜିକ, ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ ବୋଲି କୁହାଯାଉଛି। ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ତେବେ ଏଥିରେ ସ୍ଥାନୀୟ ଶିକ୍ଷିତ ବେକାରୀ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇଁ ଆତ୍ମନିର୍ଭରଶୀଳ ସେମାନଙ୍କ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇପାରିବେ ବୋଲି ଆଶା କରାଯାଉଛି ଏହାଛଡା ସରକାରଙ୍କ ରାଜକୋଷର ମଧ୍ୟ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଥୁଆମୂଳ ରାମପୁର ବ୍ଳକରେ ବଡଛୋଟ ୧୮ରୁ ଉର୍ଦ୍ଧ୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜଳପ୍ରପାତ ରହିଅଛି ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦୃଷ୍ଟି ଦିଆଯାଏ ତେବେ ଅଞ୍ଚଳର ବିକାଶ ନିଶ୍ଚୟ ହୋଇପାରିବ ଏଥିରେ କୌଣସି ବ୍ୟକ୍ତି ଅସ୍ବୀକାର କରିପାରିବେ ନାହିଁ। ଅପରପକ୍ଷରେ ପର୍ଯ୍ୟଟନ ସ୍ଥଳୀର ପାରିପାର୍ଶ୍ବିକ ବିକାଶ କରିବା ପାଇଁ ସ୍ଥାନୀୟ ଜନପତିନିଧି ଓ ପ୍ରଶାସନର ଆନ୍ତରିକତା ଅଭାବରୁ ଦର୍ଶନୀୟ ସ୍ଥାନର ବିକାଶ ହୋଇପାରୁନାହିଁ ବୋଲି କୁହାଯାଉଛି। କିନ୍ତୁ ସମସ୍ତଙ୍କ ସହଯୋଗ ହେଲେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀର ବିକାଶ ସମ୍ଭବ ହୋଇପାରିବ। ତେଣୁ ସମସ୍ତେ ଏକଜୁଟ ହେବା ଆବଶ୍ୟକତା। ଯଥାଶୀଘ୍ର ପର୍ଯ୍ୟଟନ ସ୍ଥଳୀର ଏକ ରିପୋର୍ଟ ପ୍ରସ୍ତୁତ କରି ସରକାର ଏହାର ପାରିପାର୍ଶ୍ବିକ ବିକାଶ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

