ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଗାଁ ମୁହାଁ ୨୧ ଟିକିଆ ଜଙ୍ଗଲୀ ହାତୀପଲ

କର୍ମେ ଡଙ୍ଗରରୁ ଆସି ରବିବାର ଦିନସାରା ରୁପ୍ରା ନିକଟ ଟାଙ୍ଗିରି ଡଙ୍ଗରରେ ରହିଥିବା ବେଳେ ସନ୍ଧ୍ୟା ହେବାରୁ ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଆରମ୍ଭ 

ରୁପ୍ରା, ୨୨/୧ (ମନିସ ) : କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ରୁପ୍ରା ନିକଟ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ଟାଙ୍ଗିରି ଡଙ୍ଗରରେ ୨୧ ଟିକିଆ ହାତୀପଲ ରହିଥିବା ଆଜି ସକାଳୁ କିଛି ଚାଷୀ ଦେଖିବାକୁ ପାଇଥିଲେ । ଏବାବଦରେ ଜଙ୍ଗଲ ବିଭାଗ ଖବର ପାଇବା ପରେ ସଙ୍ଗେ ସଙ୍ଗେ ପହଞ୍ଚି ଉକ୍ତ ହାତୀପଲ ଉପରେ ନଜର ରଖିଥିବା ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର କହିଥିଲେ। ଉକ୍ତ ହାତୀପଲରେ ଏକଦନ୍ତା, ଟସ୍କର ୩ଟି, ୧୧ଟି ମାଈହାତୀ ଓ ୬ଟି ଛୋଟ ହାତୀ ଥିବା ରୁପ୍ରାରୋଡ୍ ଫରେଷ୍ଟର୍ ଶ୍ରୀ ଠାକୁର ସୂଚନା ଦେଇ କହିଛନ୍ତି। ରବିବାର ଦିନ ସାରା ଉକ୍ତ ହାତୀପଲ ଉପରେ ଉଭୟ ନର୍ଲା ଓ କେସିଙ୍ଗା ବନାଞ୍ଚଳ ପାରା ଫରେଷ୍ଟ୍ ଷ୍ଟାଫ୍ ଙ୍କ ସମେତ ରୁପ୍ରାରୋଡ୍ ସେକ୍ସନ୍ ର କର୍ମଚାରୀ ଆସି ଜଗି ରହିଥିଲେ । ସେହିପରି ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ୍, କେସିଙ୍ଗା ରେଞ୍ଜର ୟୁଧିଷ୍ଠିର ଜାଲ୍, ରୁପ୍ରାରୋଡ୍ ବନପାଳ ବିଶ୍ୱଜିତ ଠାକୁର, ନର୍ଲା ବନପାଳ ଭବାନୀ ଶଙ୍କର ନାଏକଙ୍କ ସମେତ ଫରେଷ୍ଟ୍ ଗାର୍ଡ୍ ଫକୀର ବିଶ୍ୱାଳ, ନିଗମ ସାହୁ ଓ ପ୍ରିୟରଞ୍ଜନ ଷଡଙ୍ଗୀ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଥିଲେ । ହାତୀ ରହିଥିବା ଉକ୍ତ ଡଙ୍ଗରର ଚାରି ପାର୍ଶ୍ଵରେ ଲୋକେ ରହିଥିବାରୁ ହାତୀ ଯିବାରେ ଅସୁବିଧା ଦେଖାଦେଇଥିବା ସହ ହାତୀ ଇତସ୍ତତଃ ଭାବରେ ଚଳ ପ୍ରଚଳ ହେଉଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ଦେଖଣାହାରୀ କିଛି ଶୁଣି ନଥିବାରୁ ଜଙ୍ଗଲ ବିଭାଗ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସନ୍ଧ୍ୟା ହେବାରୁ ରେଞ୍ଜର ଯୁଧିଷ୍ଠିର ଜାଲ୍ ଓ ବନପାଳ ଶ୍ରୀ ଠାକୁରଙ୍କ ସମେତ ଜଙ୍ଗଲ ବିଭାଗ କର୍ମଚାରୀମାନେ ବାଣ ଫୁଟାଇବା ଓ ନିଆଁ ହୁଲା ଜଳାଇ ହାତୀ ଘଉଡାଇବା ଆରମ୍ଭ କରିଥିଲେ। ଖବର ଲେଖା ହେଲା ବେଳକୁ ହାତୀ ଘଉଡାଇବା ଜାରି ରହିଛି । 

ବର୍ତ୍ତମାନ ଜଙ୍ଗଲ ପଦା ହେଉଥିବା ବେଳେ ହାତୀ ପଲ ବାରମ୍ବାର ଖାଦ୍ୟ ଅନ୍ୱେଷଣରେ ଗାଁ ମୂହା ହେଉ ଥିବାରୁ ଲୋକେ ଭୟ କରୁଥିବା କହିଛନ୍ତି। ସୂଚନା ମୁତାବକ ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଶ୍ରୀପୁର ଗ୍ରମକୁ ୨୦୨୦ ମସିହାରେ ଦୁଇଟି ଜଙ୍ଗଲୀ ହାତୀ ଆସି ଥିବା ବେଳେ ୨୦୨୧ ମସିହା ୧୮ ସେପ୍ଟେମ୍ବରରେ ୧୧ ଟିକିଆ ହାତୀପଲ ତିତକେଲା ଓ ବୁର୍ଡିପଡାକୁ ଆସି ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ୨୦୨୧ ମସିହା ଡିସେମ୍ବର ମାସରେ ୨୯ ଟିକିଆ ହାତୀପଲ ଓ ୨୦୨୨ ଅକ୍ଟୋବର ମାସରେ ଦୁଇ ଟିକିଆ ହାତୀପଲ ଏହି ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରି ପ୍ରାୟ ତିନି ଦିନ ରହିଥିଲେ । ତେବେ ଉକ୍ତ ହାତୀପଲ ଶନିବାର ରାତିରେ ବାଗପୁର ଗାଁ ଦେଇ ବୁର୍ଡିପଡା, ପଲସାପଡା, ତିତକେଲା ଓ କର୍ମେ ଗ୍ରାମର କିଛି ଚାଷୀଙ୍କ ଚଣା, ହରଡ (କାନ୍ଦୁଲ୍) ଓ ମୁଗ ଚାଷ ମାଡି ନଷ୍ଟ କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ସେହିପରି ହାତୀପଲ ଚଳ ପ୍ରଚଳନ ଯୋଗୁଁ ଏହିସବୁ ଅଞ୍ଚଳକୁ ରବିବାର ସନ୍ଧ୍ୟାରୁ ବିଦ୍ୟୁତ ସେବା ବନ୍ଦ୍ ରହିଥିବା ବେଳେ ହାତୀପଲର ଗତିବିଧି ବାବଦରେ ଜଙ୍ଗଲ ବିଭାଗ ତରଫରୁ ଖବର ଦେବାପରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବବୋଲି ନର୍ଲା ବିଦ୍ୟୁତ୍ ଉପଖଣ୍ଡ SDO କମଲେସ୍ ପଧାନ ସୂଚନା ଦେଇ କହିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

 

Related posts

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

masiha

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!