SIR ପର୍ଯ୍ୟବେକ୍ଷକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଏବଂ କାର୍ଯ୍ୟ ସମୀକ୍ଷା
ନବରଙ୍ଗପୁର:(ତା. ୧୭.୦୭.୨୦୨୬)(ରବି ନାରାୟଣ ମହାନ୍ତି)ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ନିର୍ବାଚନୀ ତାଲିକା ସଂଶୋଧନ (Special Intensive Revision-SIR), ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ପାଇଁ ସାର୍ବଜନୀନ ଉଦ୍ୟୋଗ ବିଭାଗର କମିଶନର-ତଥା ଶାସନ -ସଚିବ ତଥା ନବରଙ୍ଗପୁର ଜିଲ୍ଲାର ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ ଆଲମ ଆଜି ନବରଙ୍ଗପୁର ଗସ୍ତ କରିଥିଲେ। ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁ ପୁଷ୍ପଗୁଚ୍ଛ ପ୍ରଦାନ କରି ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି, ବର୍ତ୍ତମାନ ସ୍ଥିତି, ଭୋଟର ତାଲିକା ସଂଶୋଧନ, ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟା, ଡିଜିଟାଲାଇଜେସନ୍ ଏବଂ ପରବର୍ତ୍ତୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ୭୩-ଉମରକୋଟ (ଏସ୍.ଟି.), ୭୪-ଝରିଗାଁ (ଏସ୍.ଟି.), ୭୫-ନବରଙ୍ଗପୁର (ଏସ୍.ଟି.) ଏବଂ ୭୬-ଡାବୁଗାଁ (ଏସ୍.ଟି.) ସମେତ ମୋଟ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଜିଲ୍ଲାରେ ୧ଟି ଉପଖଣ୍ଡ, ୧୦ଟି ତହସିଲ, ୧୦ଟି ବ୍ଲକ, ୨ଟି ସହରାଞ୍ଚଳ ସ୍ଥାନୀୟ ନିକାୟ ଏବଂ ମୋଟ ୧,୧୦୫ଟି ମତଦାନ କେନ୍ଦ୍ର ରହିଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ୪ଜଣ ନିର୍ବାଚନୀ ପଞ୍ଜୀକରଣ ଅଧିକାରୀ (ERO), ୨୨ଜଣ ସହକାରୀ ନିର୍ବାଚନୀ ପଞ୍ଜୀକରଣ ଅଧିକାରୀ (AERO) ,୯୮ ଜଣ ବି ଏଲ ଓ ସୁପରଭାଇଯର, ୧,୧୦୫ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ନିର୍ବାଚନୀ ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।ସମୀକ୍ଷା ବେଳେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲାର ମୋଟ ୮,୫୮,୩୪୯ ଜଣ ଭୋଟରଙ୍କ ମଧ୍ୟରୁ ୮,୧୨,୫୯୨ଟି ଗଣନା ଫର୍ମ, ଅର୍ଥାତ୍ ୯୪.୬୭ ପ୍ରତିଶତ ଫର୍ମର ଡିଜିଟାଲାଇଜେସନ୍ ସମ୍ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ୪୫,୭୫୭ଟି ଫର୍ମର ସଂଗ୍ରହ ଓ ଡିଜିଟାଲାଇଜେସନ୍ କାର୍ଯ୍ୟ ଚାଲିଛି। ନିର୍ଭୁଲ ଏବଂ ତ୍ରୁଟିମୁକ୍ତ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିୟମିତ ସମୀକ୍ଷା, BLO-BLA ସମନ୍ୱୟ ବୈଠକ ଏବଂ କ୍ଷେତ୍ରସ୍ତରୀୟ ମନିଟରିଂ କରାଯାଉଛି।ବୈଠକରେ ଆହୁରି ସୂଚନା ଦିଆଯାଇଥିଲା ଯେ, SIR-୨୦୨୬ କାର୍ଯ୍ୟକ୍ରମ ଅନୁସାରେ ୦୫ ଜୁଲାଇ ୨୦୨୬ରେ ଖସଡ଼ା ନିର୍ବାଚନୀ ତାଲିକା ପ୍ରକାଶ ପାଇଛି। ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଉଥିବା ବେଳେ, ସେଗୁଡ଼ିକର ନିଷ୍ପତ୍ତି ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ନିର୍ବାଚନୀ ତାଲିକା ପ୍ରକାଶ କରାଯିବ।ଜିଲ୍ଲାର ସମସ୍ତ ୧,୧୦୫ଟି ମତଦାନ କେନ୍ଦ୍ରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ନିଯୁକ୍ତ କରାଯାଇଛନ୍ତି। ସେଥିମଧ୍ୟରେ ଭାରତୀୟ ଜନତା ପାର୍ଟିର ୯୫୭ଜଣ, ବିଜୁ ଜନତା ଦଳର ୯୩୬ଜଣ ଏବଂ ଭାରତୀୟ ଜାତୀୟ କଂଗ୍ରେସର ୬୯୧ଜଣ BLA ସକ୍ରିୟ ଭାବେ ସହଯୋଗ କରୁଛନ୍ତି।SIR-୨୦୨୬ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବା ପାଇଁ SVEEP କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାବ୍ୟାପୀ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିଲ୍ଲାର Elector Population Ratio (EPR) ୬୦.୨ ପ୍ରତିଶତ ଥିବାବେଳେ ପୁରୁଷଙ୍କ EPR ୬୦ ପ୍ରତିଶତ ଏବଂ ମହିଳାଙ୍କ EPR ୬୧ ପ୍ରତିଶତ ରହିଛି।ସମୀକ୍ଷା ଶେଷରେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ମହମ୍ମଦ ସାଦିକ ଆଲମ ଜିଲ୍ଲାରେ ଚାଲିଥିବା SIR-୨୦୨୬ କାର୍ଯ୍ୟର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିବା ସହ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ୱଚ୍ଛ, ନିର୍ଭୁଲ ଏବଂ ତ୍ରୁଟିମୁକ୍ତ ନିର୍ବାଚନୀ ତାଲିକା ପ୍ରସ୍ତୁତ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକ ରେ ଜିଲ୍ଲାର ସମସ୍ତ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲାପାଳ (ରାଜସ୍ବ ) ବିଶ୍ୱଜିତ ବର୍ମାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକଟର ନିର୍ବାଚନ ଚିନ୍ମୟ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

